ଉତ୍ତରାଖଣ୍ଡ: ବାର୍ଷିକ ତୀର୍ଥଯାତ୍ରା ଋତୁ ପାଇଁ ବୁଧବାର କେଦାରନାଥ ମନ୍ଦିର ମୁଖ୍ୟ ଫାଟକ ଖୋଲିଛି । କିନ୍ତୁ ଏବେ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବାରୁ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ଅନୁମତି ମିଳିବ ନାହିଁ । କାହାକୁ ପ୍ରବେଶ ପାଇଁ ଏବେ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ପାହାଡ଼ରେ ଥିବା ଏହି ଶିବ ମନ୍ଦିରର ଫାଟକ ଖୋଲିବା ସମୟରେ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ସମେତ ପାଖାପାଖି ୨୦ ଜଣ ଉପସ୍ଥିତ ଥିଲେ । ମନ୍ଦିରକୁ ଗେଣ୍ଡୁଫୁଲରେ ସୁସଜ୍ଜିତ କରାଯାଇଥିଲା । ବୁଧବାର ସକାଳ ୬ଟା ୧୦ ମିନିଟରେ ଫାଟକ ଖୋଲିଥିଲା । ମନ୍ଦିର ଖୋଲିବା ସମୟରେ ସ୍ୱାଭାବିକ ଭାବେ ଅନେକ ଶ୍ରଦ୍ଧାଳୁ ସେଠାରେ ଉପସ୍ଥିତ ଥାଆନ୍ତି । କିନ୍ତୁ ଏଥର କାହାକୁ ବି ଦେଖିବାକୁ ମିଳି ନ ଥିଲା । ବରଫ ମଧ୍ୟରେ ମନ୍ଦିରର ଫାଟକ ଉଜ୍ଜ୍ୱଳ ଦିଶୁଥିଲା ।
ଅଧିକାରୀଙ୍କ ମୁତାବକ ସାଜସଜ୍ଜା ପାଇଁ ୧୦ କୁଇଣ୍ଟାଲ ଫୁଲ ବ୍ୟବହାର କରାଯାଇଥିଲା । ଭୋର ୩ଟାରୁ ମନ୍ଦିରର ନୀତିକନ୍ତିି ଆରମ୍ଭ ହୋଇଥିଲା । ଏହା ସକାଳେ ଶେଷ ହେବା ପରେ ଫାଟକ ଖୋଲାଯାଇଥିଲା । ଏହି ସମୟରେ ମନ୍ଦିର ପୂଜାରୀ, ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଏବଂ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ପ୍ରଥମ ପ୍ରାର୍ଥନା ଅଥବା ‘ରୁଦ୍ରାଭିଷେକ’ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, କରୋନା ବ୍ୟାପିବା ଆରମ୍ଭ ହେବା ଦିନଠାରୁ ଦେଶରେ ସମସ୍ତ ଧାର୍ମିକ ସଭା, ସାମୂହିକ ପୂଜା, ପ୍ରାର୍ଥନା ଉପରେ କଟକଣା ଲାଗୁ କରାଯାଇଛି । ଅଧିକ ଲୋକଙ୍କ ମେଳି ଉପରେ ଅଙ୍କୁଶ ଲଗାଯିବା ସହ ସାମାଜିକ ଦୂରତା ବଜାୟ ପାଇଁ କଡ଼ା ନିୟମ ଜାରି କରାଯାଇଛି । ଦେଶରେ ଥିବା ଚାରିଧାମ ମଧ୍ୟରୁ ଅନ୍ୟତମ କେଦାରନାଥ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି । ଅନ୍ୟ ଧାମ ମଧ୍ୟରେ ବଦ୍ରିନାଥ, ଗଙ୍ଗୋତ୍ରୀ, ଏବଂ ୟମୁନୋତ୍ରୀ ରହିଥିବା ବେଳେ ପ୍ରତିବର୍ଷ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟିଥାନ୍ତି ।
Comments are closed, but trackbacks and pingbacks are open.