କେନ୍ଦୁଝର,(ବି.ବି.ନୁ୍ୟଜ୍): ମା’ର ମମତା ଆଗରେ ସବୁ ସନ୍ତାନ ସମାନ । ପୁଅ ଝିଅଙ୍କ ପାଇଁ ବିକଳ ସବୁବେଳେ ମା’ର ମନ । ସେ ଦୂରରେ ଥାଉ କି ପାଖରେ ତା’ରି ମଙ୍ଗଳ କାମନା କରେ । ଭଲରେ ରହିବା ପାଇଁ ଠାକୁରଙ୍କୁ ନିଇତି ଗୁହାରି କରେ । ଲକ୍ଡାଉନ୍ ଯୋଗୁଁ କେରଳରେ ଫସିଥିବା ଜଣେ ଦାଦନ ପୁଅ ପାଇଁ ମା’ର ମମତା ଜାଗି ଉଠିଲା । ପୁଅ ଫେରି ଆସିବା ପାଇଁ ୭ ମାସର ଗର୍ଭବତୀ ଥିବା ମା’ ଦୀର୍ଘ ୭ କିଲୋମିଟର ଚାଲିଚାଲି ଯାଇ ପୁଅ ପାଇଁ ପଞ୍ଜୀକରଣ କରିଛି । ଏହି ମହିୟସୀ ମା’ ହେଉଛନ୍ତି କେନ୍ଦୁଝର ଝୁମ୍ପୁରା ବ୍ଲକ୍ ମଲଦା ପଞ୍ଚାୟତ ରୁଗୁଡ଼ିସାହିର ବାଣ ମୁଣ୍ଡାଙ୍କ ପତ୍ନୀ ପଦ୍ମିନୀ ।
ସ୍ୱାମୀ ଆଉ ୮ ଜଣ ପୁଅ ଝିଅକୁ ନେଇ ପଦ୍ମିନୀଙ୍କ ପରିବାର । ସେଥିରେ ୪ ପୁଅ ଓ ୪ ଝିଅ । ୧୦ ସଦସ୍ୟଙ୍କ ପେଟକୁ ଦାନା ଯୋଗାଡ଼ କରିବା ଅସମ୍ଭବ ହୋଇ ପଡ଼ିବାରୁ ୩ ମାସ ପୂର୍ବେ ଦାଦନ ଖଟିବାକୁ କେରଳ ଯାଇଥିଲା ୧୪ ବର୍ଷର ନାବାଳକ ପୁଅ । କରୋନା ପାଇଁ ସାରାଦେଶରେ ଲକ୍ଡାଉନ୍ ଘୋଷଣା ପରେ କେରଳରେ ଫସିରହିଲା ପୁଅ । କାମଧନ୍ଦା ବନ୍ଦ । ଦି’ ଓଳି ଦୁଇ ମୁଠା ଖାଇବାକୁ ମିଳିଲାନି । ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସରକାର ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି । ନାବାଳକ ପୁଅ ପାଇଁ ତପôର ହୋଇଉଠିଛି ମା’ । ନାବାଳକ ପୁଅକୁ ଫେରାଇ ଆଣିବା ପାଇଁ ପଞ୍ଜୀକରଣ ନିମନ୍ତେ ଅନ୍ୟ ୭ ଶିଶୁଙ୍କୁ ଘରେ ଛାଡ଼ି ୭ କିମି ଦୂର ପଞ୍ଚାୟତ ଅଫିସ୍କୁ କଷ୍ଟ କରି ଯାଇଥିଲା ୭ ମାସର ଗର୍ଭବତୀ ମା’ ପଦ୍ମିନୀ ।
ବାଣ ଅଶିକ୍ଷିତ, ଗରିବ ଆଉ ମଜୁରିଆ । ଚାଷଜମି ନାହିଁ । ଜଙ୍ଗଲରୁ କାଠ ବିକି ପରିବାର ପୋଷନ୍ତି । ପଦ୍ମିନୀଙ୍କ ନାଁରେ ରାସନକାର୍ଡ ଅଛି । ଉକ୍ତ କାର୍ଡରେ ମାତ୍ର ୫ ସଦସ୍ୟଙ୍କ ନାଁ ରହିଛି । ୫ ଜଣଙ୍କ ରାସନ ଚାଉଳରେ ୧୦ ପ୍ରାଣୀ କୁଟୁମ୍ବ ପେଟ ପୋଷନ୍ତି । ବଡ଼ ଝିଅ ଦଶମା ମୁଣ୍ଡା(୧୬) ସ୍କୁଲ୍ ପାଦ ମାଡ଼ିନି । ସୁଶୀଲ(୧୪) ଅଧାରୁ ପାଠ ଛାଡ଼ି ଏବେ ଦାଦନ । ସେହିପରି ବିଜୁ(୧୨), ସଞ୍ଜୁ(୧୦), ସବିତା(୮), ନିତିମା(୬), ପାନି(୪) ମଧ୍ୟ ସ୍କୁଲ୍ ଯାଇ ନାହାନ୍ତି । ଏପରିସ୍ଥଳେ ବାଣ ମୁଣ୍ଡାଙ୍କ ପାଇଁ ସବୁ ଛୁଆଙ୍କ ପାଇଁ ଖାଦ୍ୟ ଓ ପୋଷାକ ଯୋଗାଡ଼ କରିବା ଅସମ୍ଭବ ହୋଇପଡ଼ିଲା । ଏପରି ସ୍ଥିତିରେ ଦାଦନ ଖଟିବାକୁ ଘରୁ ଗୋଡ଼ କାଢ଼ି ଚାଲିଯାଇଥିଲା ସୁଶୀଲ । ଏବେ କେରଳରେ ସେ କରୋନା କଟକଣା କବଳରେ ।
Comments are closed, but trackbacks and pingbacks are open.