ଗ୍ରୀନ୍ ଜୋନରେ ପୁରୀ: ରଥ ନିର୍ମାଣ ପାଇଁ ବିଭିନ୍ନ ସ୍ତରରେ ଦାବି

Get real time updates directly on you device, subscribe now.

ପୁରୀ: ପୁରୀ ଜିଲ୍ଲା ଗ୍ରୀନ୍ ଜୋନରେ ସାମିଲ ହେବା ପରେ ରଥ ନିର୍ମାଣ ପାଇଁ ବିଭିନ୍ନ ସ୍ତରରେ ଦାବି ଉଠିଛି। ବିଶେଷ କରି ସେବାୟତ ଓ ଦଇତାପତିମାନେ ରଥ ନିର୍ମାଣ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଦିନେ ଦୁଇଦିନ ମଧ୍ୟରେ ରଥ ନିର୍ମାଣ ନେଇ ସରକାର କୌଣସି ନିଷ୍ପତ୍ତି ନନେଲେ ଚଳିତ ବର୍ଷ ଆଉ ରଥ ନିର୍ମାଣ ଶେଷ କରିବା ସମ୍ଭବ ହେବ ନାହିଁ ବୋଲି କହିଛନ୍ତି ବିଶ୍ବକର୍ମା ମହାରଣା।
ପୁରୀ ଗ୍ରୀନ ଜୋନରେ। ତେଣୁ ରଥଯାତ୍ରା ପାଇଁ ପ୍ରସ୍ତୁତି କରାଯାଉ। ସେବାୟତମାନେ ଏମିତି ଦାବି କରୁଛନ୍ତି। ଲକଡ଼ାନ୍ ଅବଧି ୧୪ ଦିନ ବଢ଼ିବା ପରେ ରଥଯାତ୍ରା ଓ ରଥ ନିର୍ମାଣର ଆରମ୍ଭ ନେଇ ଦେଖାଦେଇଛି ଦ୍ବନ୍ଦ । ପୁରୀରେ ଲକଡ଼ାଉନ୍ ଅବଧି ବଢ଼ିଥିଲେ ମଧ୍ୟ ଗ୍ରୀନ୍ ଜୋନରେ ଜିଲ୍ଲା ରହିଥିବାରୁ ରଥନିର୍ମାଣ ନେଇ ସବୁସ୍ତରରେ ଆଶା ବଢ଼ିଛି। ବିଶେଷ କରି ଗ୍ରୀନ୍ ଜୋନରେ କଟକଣା ହଟାଇ ଦିଆଯାଇଛି। ଏଭଳି ସ୍ଥିତିରେ ରଥ ନିର୍ମାଣ ଖୁବ୍ ଶୀଘ୍ର ଆରମ୍ଭ କରାଯାଉ ବୋଲି ମତ ଦେଇଛନ୍ତି ଦଇତାପତି ଓ ଅନ୍ୟ ସେବାୟତମାନେ। ଗ୍ରୀନ୍ ଜୋନରେ ନିର୍ମାଣ ଶ୍ରମିକଙ୍କ ପାଇଁ ସୁଯୋଗ ରହିଥିବାରୁ ରଥ କାର୍ୟ୍ୟ ମଧ୍ୟ ସାମଜିକ ଦୂରତ୍ବ ରକ୍ଷା କରି କାର୍ୟ୍ୟାରମ୍ଭ ପାଇଁ ଦାବି ଉଠିଛି।
ପୂର୍ବରୁ ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କ ସହ ଗଜପତି ମହାରାଜ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତିମାନେ ରଥନିର୍ମାଣ ନେଇ ଆଲୋଚନା କରିଥିଲେ। ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ ଅନୁଯାୟୀ ରଥଯାତ୍ରାର ନୀତି ଓ କାର୍ୟ୍ୟ ନିର୍ଦ୍ଧାରଣ କରାଯାଉଛି । ଏବେ କଟକଣା ବୃଦ୍ଧି କରାଯିବା ପରେ ପ୍ରଶାସନ ଶଙ୍କରାଚାର୍ୟ୍ୟଙ୍କର ପୁଣି ପରାମର୍ଶ ନେବ ବୋଲି ଆଶା କରାଯାଉଛି। ତେବେ ବିଶ୍ବକର୍ମା ମହାରଣାମାନଙ୍କ ମତ ହେଲା ଦିନେ ଦୁଇଦିନ ମଧ୍ୟରେ ଯଦି ରଥକାମ ଆରମ୍ଭ ନେଇ ନିଷ୍ପତ୍ତି ନିଆନଯାଏ ତେବେ ରଥ ନିର୍ମାଣ ସଂପୂର୍ଣ୍ଣ କରିବା ଅସମ୍ଭବ ହୋଇପଡ଼ିବ।
ରଥନିର୍ମାଣ ୮ ଦିନ ବନ୍ଦ ରହିଥିବା ବେଳେ ଆଉ ଅଧିକ ଦିନ ବନ୍ଦ ରହିଲେ ନିର୍ମାଣ କାର୍ୟ୍ୟ ଶେଷ ହେବା ମୁସ୍କିଲ ହୋଇଯାଇପାରେ । ଏପରି ସ୍ଥିତିରେ ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons