କଟକ,(ବି.ବି.ବୁ୍ୟରୋ): ହାଇକୋର୍ଟରୁ ହେଉ ବା ନିମ୍ନ ଅଦାଲତରୁ ହେଉ, ଯେଉଁସବୁ ମାମଲାରେ ରହିତାଦେଶ ବା ଅନ୍ତରୀଣ ସୁରକ୍ଷା ଆଦେଶ ମିଳିଛି ବର୍ତ୍ତମାନ ପରିପ୍ରେକ୍ଷୀରେ ସେସବୁ ଆଦେଶର ଅବଧି ଆସନ୍ତା ଜୁନ୍ ୧୮ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏଥିସହ ଯଦି କୌଣସି ଅଦାଲତଙ୍କ ଦ୍ୱାରା ଭଙ୍ଗାଭଙ୍ଗି କିମ୍ବା ଉଚ୍ଛେଦ ପାଇଁ ଆଦେଶ ଦିଆଯାଇଥାଏ ତାହେଲେ ଉକ୍ତ ଆଦେଶ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ । ସେହିପରି ଯଦି ଥାନାରେ କୌଣସି ନୂଆ ମାମଲା ରୁଜୁ ହେଉଥାଏ ଏବଂ ସେଥିରେ ସର୍ବାଧିକ ୭ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡବିଧାନର ବ୍ୟବସ୍ଥା ରହିଥାଏ ସେଭଳି ମାମଲାରେ ସମ୍ପୃକ୍ତ ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବାକୁ ତରତର ନହୋଇ ସିଆର୍ପିସିର ୪୧(ଏ) ଧାରାରେ ଥାନାରୁ ନୋଟିସ୍ ଦେଇ ଛାଡିବେ । ଏହି ଆଦେଶ ମଧ୍ୟ ଜୁନ୍ ୧୮ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କରୋନା ପାଇଁ ଦେଶରେ ଚାଲିଥିବା ଲକ୍ଡାଉନ୍ ପରିପ୍ରେକ୍ଷୀରେ ମାମଲାରେ ଫସିଥିବା ବିଭିନ୍ନ ବର୍ଗର ସାଧାରଣ ଲୋକଙ୍କୁ କୋର୍ଟ ଆସିବାକୁ ସମସ୍ୟା ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଇନଜୀବୀ ତଥା ସମାଜସେବୀ ବିଜୟ କୁମାର ରଗଡ ହାଇକୋର୍ଟରେ ଏକ ପିଟିସନ୍ ଦାଏର କରିଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସି.ଆର୍. ଦାଶ ଏବଂ ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଗତ ଆଶ୍ୱାସନା ଓ ରିହାତି ସ୍ୱରୂପ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ହାଇକୋର୍ଟଙ୍କ ଏହି ରାୟରେ ଦର୍ଶାଯାଇଛି ଯେ, ଯଦି କୌଣସି ଅଦାଲତଙ୍କ ଦ୍ୱାରା କିଛି ଅନ୍ତରୀଣ ନିଦେ୍ର୍ଧଶ ଦିଆଯାଇଥାଏ ଏବଂ ତାହାର ନିର୍ଦ୍ଧିଷ୍ଟ ସମୟସୀମା ନଥାଏ ତାହେଲେ ଉକ୍ତ ନିଦେ୍ର୍ଧଶନାମା ପରବର୍ତ୍ତୀ ନିଦେ୍ର୍ଧଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯଦି କୌଣସି ଅଦାଲତ ଦ୍ୱାରା ଭଙ୍ଗ, ଉଚ୍ଛେଦ କିମ୍ବା ବେଦଖଲ ଭଳି ଆଦେଶ ଦିଆଯାଇଥାଏ ତାହେଲେ ଏ ସମସ୍ତ ଆଦେଶ ଉପରେ ଜୁନ୍ ୧୮ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି ହେବ । ଯଦି କୌଣସି ମାମଲାରେ ଦିଆଯାଇଥିବା ଆଗୁଆ ଜାମିନ୍ ଆଜି କିମ୍ବା ଏହି ସମୟ ମଧ୍ୟରେ ଶେଷ ହେଉଥାଏ ତାହେଲେ ଏହାର ଅବଧି ଜୁନ୍ ୧୮ ପର୍ଯ୍ୟନ୍ତ ବଢିବ । କିନ୍ତୁ ଯଦି ଏହି ସମୟ ମଧ୍ୟରେ କୌଣସି ଅଭିଯୁକ୍ତ କିଛି ଭୁଲ୍ କାମ କରନ୍ତି ତାହେଲେ ତାଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ ପାଇଁ ସମ୍ପୃକ୍ତ ଅଦାଲତରେ ଆବେଦନ କରାଯାଇ ପାରିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଯଦି କୌଣସି ମାମଲାରେ ଅଭିଯୁକ୍ତଙ୍କୁ ଦିଆଯାଇଥିବା ଅନ୍ତରୀଣ ଜାମିନ୍ର ସମୟ ଶେଷ ହେଉଥାଏ ତାହେଲେ ଏହି ସମୟ ବି ଜୁନ୍ ୧୮ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଅଭିଯୁକ୍ତଙ୍କ ପକ୍ଷରୁ ତାଙ୍କ ଆଡଭୋକେଟ୍ ସମ୍ପୃକ୍ତ ଅଦାଲତରେ ଆଜିଠାରୁ ଠିକ୍ ୧୦ ଦିନ ଭିତରେ ଏକ ସତ୍ୟପାଠ ଦାଖଲ କରି ତାଙ୍କ ମହକିଲ ସ୍ଥାନୀୟ ଅଞ୍ଚଳ ଛାଡି କେଉଁଆଡେ ଯାଇନାହାନ୍ତି ଏବଂ ସେ ଏହି ସମୟରେ ତାଙ୍କ କ୍ଷମତାର କୌଣସି ଅପବ୍ୟବହାର କରିନାହାନ୍ତି ବୋଲି ଅଦାଲତଙ୍କୁ ଅବଗତ କରିବେ । ଯେଉଁଦିନ ୧୦ଦିନ ପୂରଣ ହେଉଛି ଯଦି ସେହିଦିନ କୌଣସି ଛୁଟି ପଡୁଥାଏ ତାହେଲେ ଏହାର ପରଦିନ ଅଦାଲତରେ ଏହି ସତ୍ୟପାଠ ଦାଖଲ କରିବେ ।
ସେହିପରି, ଯଦି ପାରୋଲରେ ଆସିଥିବା କୌଣସି ଅଭିଯୁକ୍ତ ବା ଆସାମୀଙ୍କ ଅବଧି ଏହି ସମୟରେ ଶେଷ ହେଉଥାଏ ତାହେଲେ ମଧ୍ୟ ସେ ଆସନ୍ତା ଜୁନ୍ ୧୮ ପର୍ଯ୍ୟନ୍ତ ଆଉ ଜେଲ୍କୁ ଫେରିବେ ନାହିଁ । କୌଣସି ବ୍ୟକ୍ତି ବା ନାଗରିକଙ୍କୁ କୌଣସି ସ୍ଥାନରୁ ଆସନ୍ତା ଜୁନ୍ ୧୮ ମଧ୍ୟରେ ଉଚ୍ଛେଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଆସନ୍ତା ଜୁନ୍ ୧୮ ମଧ୍ୟରେ ବ୍ୟାଙ୍କ ପକ୍ଷରୁ କୌଣସି ଋଣ ଖିଲାପକାରୀଙ୍କ ଘର ବା ସମ୍ପତ୍ତି ନିଲାମ କରାଯାଇ ପାରିବ ନାହିଁ । ଯଦି ହାଇକୋର୍ଟ କିମ୍ବା ଅନ୍ୟ କୌଣସି ଅଦାଲତ କେନ୍ଦ୍ର ଅବା ରାଜ୍ୟ ସରକାର କିମ୍ବା ଘରୋଇ ଅନୁÂାନକୁ କୌଣସି ନିର୍ଦ୍ଧିଷ୍ଟ ଆଦେଶ କାର୍ଯ୍ୟକାରୀ କରିବାର ଆଦେଶ ଦେଇଥାନ୍ତି ଏବଂ ଏହାର ଅବଧି ଶେଷ ହେଉଥାଏ ତାହେଲେ ଉକ୍ତ ଅବଧିକୁ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଯଦି କୌଣସି ଜରୁରୀ କାର୍ଯ୍ୟ ରହିଥାଏ ସେ କ୍ଷେତ୍ରରେ ରାଜ୍ୟ ସରକାର ଉଚ୍ଛେଦ ପାଇଁ ପଦକ୍ଷେପ ନେଇପାରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ସମସ୍ତ ନିମ୍ନ ଅଦାଲତ, ଟ୍ରିବୁ୍ୟନାଲ, ଜୁଡିସିଆଲ୍ ଏବଂ କ୍ୱାସି-ଜୁଡିସିଆଲ୍ ସଂସ୍ଥା ଏହି ଆଦେଶ ଆଧାରରେ କାର୍ଯ୍ୟ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ମଧ୍ୟ ଅଦାଲତଙ୍କ ଏହି ଆଦେଶକୁ ସମସ୍ତ ବାର୍କୁ ପ୍ରଦାନ କରିବାକୁ ହାଇକୋର୍ଟ କହିଛନ୍ତି । ଆବେଦନକାରୀ ଶ୍ରୀ ରଗଡ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର କି’ ପଦକ୍ଷେପ ଗ୍ରହଣ କରିଛନ୍ତି, ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସୁରକ୍ଷା ଲାଗି କି’ ପଦକ୍ଷେପ ଗ୍ରହଣ କରାଯାଇଛି, ଏସବୁକୁ ନେଇ ପ୍ରଶ୍ନ ଉଠାଇବା ସହ ଲୋକଙ୍କୁ କିପରି ନ୍ୟାୟ ମିଳିବ ସେଥିପାଇଁ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ । ହାଇକୋର୍ଟ ମାମଲାର ବିଚାର କ୍ରମରେ ଆଜି ଉପରୋକ୍ତ ମର୍ମରେ ନିଦେ୍ର୍ଧଶ ଦେଇଛନ୍ତି ।
Comments are closed, but trackbacks and pingbacks are open.