ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ନିକଟତର ହୋଇଛି । ବୁଧବାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୯ ହଜାର ୩୯୧କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୧୧୧ ଜଣ ବିଦେଶୀ ନାଗରିକ ରହିଥିବା ଜଣାଯାଇଛି । ଏଥିସହ ଦେଶରେ ମୃତୁ୍ୟସଂଖ୍ୟା ୧,୬୯୪ରେ ପହଞ୍ଚôଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୬ ଜଣ ପ୍ରାଣ ହରାଇଥିଲା ବେଳେ ୨,୯୫୮ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ୩୩ ହଜାର ୫୧୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା ବେଳେ ୧୩ ହଜାର ୧୮୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ଆରୋଗ୍ୟ ହାର ବର୍ତ୍ତମାନ ୨୮.୭୧ ଧକୁ ବୃଦ୍ଧି ପାଇଛି । ମଙ୍ଗଳବାର ସନ୍ଧ୍ୟାରୁ ବୁଧବାର ସନ୍ଧା ପର୍ଯ୍ୟନ୍ତ ୧୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ସେଥିରୁ ଗୁଜରାଟରେ ୪୯ ଜଣ ରହିଥିଲା ବେଳେ ମହାରାଷ୍ଟ୍ରରେ ୩୪, ରାଜସ୍ଥାନରେ ୧୨, ପଶ୍ଚିମବଙ୍ଗରେ ୭, ଉତ୍ତରପ୍ରଦେଶର ୩, ତାମିଲନାଡୁ ଓ ପଞ୍ଜାବର ୨ ଜଣ ଲେଖାଏ ଏବଂ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ଜଣେ ଲେଖାଏ ରହିଛନ୍ତି । ମୋଟ ୧୬୯୪ ମୃତୁ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୬୧୭ ଜଣ ପ୍ରାଣ ହରାଇଥିଲା ବେଳେ ଗୁଜରାଟରେ ୩୬୮, ମଧ୍ୟପ୍ରଦେଶରେ ୧୭୬, ପଶ୍ଚିମବଙ୍ଗରେ ୧୪୦, ରାଜସ୍ଥାନରେ ୮୯, ଦିଲ୍ଲୀରେ ୬୪, ଉତ୍ତରପ୍ରଦେଶରେ ୫୬ ଓ ଆନ୍ଧ୍ରପ୍ରଦେଶରେ ୩୬ ଜଣ ରହିଛନ୍ତି । ତାମିଲନାଡୁରେ ୩୩, ତେଲଙ୍ଗାନାରେ ୨୯, କର୍ଣ୍ଣାଟକରେ ୨୯, ପଞ୍ଜାବରେ ୨୫, ଜମ୍ମୁ-କାଶ୍ମୀରରେ ୮, ହରିଆଣାରେ ୬, କେରଳରେ ୪, ବିହାରରେ ୪, ଝାଡ଼ଖଣ୍ଡରେ ୩, ଓଡ଼ିଶାରେ ୨ ଏବଂ ମେଘାଳୟ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଆସାମ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି ।
ସଂକ୍ରମଣ ତାଲିକାରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୫୨୫ ହୋଇଥିଲା ବେଳେ ଗୁଜରାଟରେ ୬ ହଜାର ୨୪୫, ଦିଲ୍ଲୀରେ ୫ ହଜାର ୧୦୪, ତାମିଲନାଡୁରେ ୪ ହଜାର ୫୮, ରାଜସ୍ଥାନରେ ୩ ହଜାର ୧୫୮, ମଧ୍ୟପ୍ରଦେଶରେ ୩ ହଜାର ୪୯ ଓ ଉତ୍ତରପ୍ରଦେଶରେ ୨ ହଜାର ୮୮୦ ଜଣ ସଂକ୍ରମିତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରେ ୧ ହଜାର ୭୧୭, ପଞ୍ଜାବରେ ୧ ହଜାର ୪୫୧, ପଶ୍ଚିମବଙ୍ଗରେ ୧ ହଜାର ୩୪୪, ତେଲଙ୍ଗାନାରେ ୧ ହଜାର ୯୬, ଜମ୍ମୁ-କାଶ୍ମୀରରେ ୭୪୧, କର୍ଣ୍ଣାଟକରେ ୬୭୧, ହରିଆଣାରେ ୫୪୮, ବିହାରରେ ୫୩୬, କେରଳରେ ୫୦୨, ଓଡ଼ିଶାରେ ୧୮୫, ଝାଡ଼ଖଣ୍ଡରେ ୧୨୫, ଚଣ୍ଡିଗଡ଼ରେ ୧୧୧, ଉତ୍ତରାଖଣ୍ଡରେ ୬୧, ଛତିଶଗଡରେ ୫୯, ଆସାମରେ ୪୩, ତ୍ରିପୁରାରେ ୪୩, ହିମାଚଳ ପ୍ରଦେଶରେ ୪୨, ଲଦାଖରେ ୪୧, ଆଣ୍ଡାମାନ ଓ ନିକୋବରରେ ୩୩, ମେଘାଳୟରେ ୧୨, ପୁଡୁଚେରୀରେ ୯, ଗୋଆରେ ୭, ମଣିପୁରରେ ୨ ଏବଂ ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ଦାଦ୍ରା ଓ ନଗରହାବେଳିରେ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଥିଲେ ।
ଇତିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ମହାରାଷ୍ଟ୍ର ସ୍ଥିତି ଚିନ୍ତାଜନକ ରହିଛି । ତେଣୁ ସେ ଖୁବ୍ଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ କରୋନା ମୁକାବିଲା ବିଷୟରେ ଆଲୋଚନା କରିବେ । ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ମହାରାଷ୍ଟ୍ରର ମୋଟ ୩୬ଟି ଜିଲ୍ଲାରୁ ୩୪ଟି ଜିଲ୍ଲା ଏବେ କରୋନା ମହାମାରୀ କବଳରେ ପଡ଼ିସାରିଲାଣି । ପ୍ରତିଦିନ ସଂକ୍ରମଣ ଓ ମୃତୁ୍ୟସଂଖ୍ୟା ବଢ଼ିଚାଲିଛି । ତେଣୁ ସେଠାରେ କରୋନା ଭାଇରସ୍କୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେହି ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ମହାରାଷ୍ଟ୍ରର ମୁମ୍ବାଇ, ଥାନେ, ପୁନେ, ନାଗପୁର, ନାସିକ, ଔରଙ୍ଗାବାଦ, ସୋଲାପୁର ଆଦି ଜିଲ୍ଲାଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଯାହା ଆମ ପାଇଁ ଉଦ୍ବେଗର କାରଣ । ମହାରାଷ୍ଟ୍ରର କୌଣସି ଜିଲ୍ଲାରେ ଯେଭଳି ଆଉ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ନ ଆସିବ ତାହା ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଦେଶରେ ଖୁବଶୀଘ୍ର ବସ୍ ଓ ଟ୍ୟାକ୍ସି ଚଳାଚଳ ଆରମ୍ଭ କରିବ । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ମାର୍ଗଦର୍ଶିକା ପ୍ରସ୍ତୁତ କରୁଛନ୍ତି । ତେବେ ବସ୍ ଓ ଟ୍ୟାକ୍ସି ଚଳାଚଳ ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ । ଭାରତୀୟ ବସ୍ ଓ କାର୍ ଅପରେଟର ମହାସଂଘର ପ୍ରତିନିଧିଙ୍କ ସହିତ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିବା ଅବସରରେ ଗଡକରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜପଥ ଖୋଲିବା ଓ ପରିବହନ ବ୍ୟବସ୍ଥା ଚାଲୁ କରିବା ଯୋଗୁ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ବଢ଼ିବ । ତେବେ ଏଥିପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ ବୋଲି ସେ କହିଛନ୍ତି । ଏଥିସହ ବସ୍ ଓ କାର୍ ଚଳାଚଳ କରିବା ବେଳେ ହ୍ୟାଣ୍ଡୱାସ, ସାନିଟାଇଜର ରଖିବା ଓ ଫେସ ମାସ୍କ ବ୍ୟବହାର କରିବା ଭଳି ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ପଡ଼ିବ । ସେହିଭଳି ଯାତ୍ରୀ ପରିବହନ ଶିଳ୍ପ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଦାବି କରୁଥିବା ସମ୍ପର୍କରେ ଗଡକରୀ କହିଲେ ଯେ ସେମାନଙ୍କ ସମସ୍ୟା ବିଷୟରେ ସରକାର ଅବଗତ ଅଛନ୍ତି । ସେମାନଙ୍କ ଲାଗି ସହାୟତାର ବ୍ୟବସ୍ଥା କରାଯିବ । ସେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି । ସେମାନେ ଏହି ସଙ୍କଟଜନକ ପରିସ୍ଥିତିରେ ଅର୍ଥନୀତିକୁ କିଭଳି ବାଟକୁ ଫେରାଇ ଅଣାଯାଇପାରିବ ସେଥିପାଇଁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଗଡକରୀ କହିଛନ୍ତି ।


Comments are closed, but trackbacks and pingbacks are open.