ରାଜ୍ୟକୁ ଫେରିଲେଣି ସାଢେ଼ ୩୫ ହଜାର ପ୍ରବାସୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକଡାଉନ କଟକଣାରୁ ବାହାରେ ଫସିଥିବା ଓଡ଼ିଆମାନେ ଏବେ ଘରମୁହାଁ ହୋଇଛନ୍ତି । ସଂକ୍ରମଣ ବଢ଼ିବା ଆଶଙ୍କାରେ ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବାର ଏ ସମୟ ନୁହଁ । ନିଜ ଜନ୍ମମାଟିରେ ସମସ୍ତଙ୍କର ଅଧିକାର ଅଛି । ତେଣୁ ସେମାନଙ୍କ ପ୍ରତି ଆମେ ସମବେଦନା ପ୍ରକାଶ କରିବା ଆବଶ୍ୟକ । ଆଜି ରାଜ୍ୟବାସୀଙ୍କୁ ଏମିତି ଅପିଲ୍ କରିଛନ୍ତି ରାଜ୍ୟ ସରକାର ।
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଏବେ ଆମକୁ ମଣିଷପଣିଆ ଦେଖାଇବାକୁ ହେବ । ଏହା ହେଉଛି ଆମ ଭାରତୀୟ ସମ୍ବିଧାନର ମୂଳଭିତ୍ତି । ଆମ ସମ୍ବିଧାନ ସମସ୍ତଙ୍କୁ ସମାନତା ଓ ସ୍ୱାଧୀନତାର ଅଧିକାର ଦେଇଛି । ତେଣୁ ସେମାନଙ୍କ ପ୍ରତି ଅସୂୟା ମନୋଭାବ ପୋଷଣ କରିବାଠୁ ଆମେ ଦୂରେଇ ରହିବା ଠିକ୍ ହେବ । ସେ କହିଛନ୍ତି, ରାଜ୍ୟକୁ ଇତିମଧ୍ୟରେ ବାହାରେ ଫସିଥିବା ୩୫ ହଜାର ୫୪୦ ଜଣ ଓଡ଼ିଆ ଫେରିଛନ୍ତି । ସେମାନେ ବସ୍ ଓ ଟ୍ରେନ ସହ ଅନ୍ୟ ଯାନରେ ଗାଁକୁ ଫେରିଛନ୍ତି । କିଛି ପ୍ରବାସୀ ଓଡ଼ିଆ କ୍ୱାରେଣ୍ଟାଇନ କେନ୍ଦ୍ରରେ ନିୟମ ଉଲ୍ଲଂଘନ କରିଛନ୍ତି । ମାତ୍ର ଅତୀତରେ ଆମେ ଦୁର୍ବିପାକର ଯେପରି ମୁକାବିଲା କରିଥିଲେ ଏବେ ଆମେ ଠିକ୍ ସେମିତି କରୋନା ମୁକାବିଲା କରିବା । ଆଗାମୀ ୪ ସପ୍ତାହ ହେଉଛି ୪ର୍ଥ ପର୍ଯ୍ୟାୟ ଲଢେ଼ଇ । ଆମେ ପ୍ରବାସୀଙ୍କୁ ନେଇ ଏ ଲଢେ଼ଇ ଲଢ଼ିବାକୁ ହେବ ବୋଲି ବାଗ୍ଚୀ କହିଛନ୍ତି ।
ରାଜ୍ୟକୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ସହରାଞ୍ଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ହୋମ କ୍ୱାରେଣ୍ଟାଇନକୁ ପ୍ରାଥମିକତା ଦିଆଯାଇଛି । ଯେଉଁମାନଙ୍କର ହୋମ କ୍ୱାରେଣ୍ଟାଇନ ସୁବିଧା ନାହିଁ ସେମାନଙ୍କ ପାଇଁ ପୌର କର୍ତ୍ତୃପକ୍ଷ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିବେ । ଏପରିକି ଆବଶ୍ୟକସ୍ଥଳେ ସେମାନେ ହୋଟେଲରେ ନିଜସ୍ୱ ଖର୍ଚ୍ଚରେ କ୍ୱାରେଣ୍ଟାଇନରେ ରହିବାକୁ ମଧ୍ୟ ମିଳିବ ଅନୁମତି ।
ରାଜ୍ୟର ସମସ୍ତ ପଞ୍ଚାୟରେ ୫ ଲକ୍ଷ କ୍ୱାରେଣ୍ଟାଇନ ଶଯ୍ୟା ସହ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଓଡ଼ିଆଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । କ୍ୱାରେଣ୍ଟାଇନ୍ ହେଉଛି ଏକ ଆଇନଗତ ଆବଶ୍ୟକତା, କାହାର ଇଛାଧୀନ ବିଷୟ ନୁହଁ । ତେଣୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ବିଶୃଙ୍ଖଳା କରିବା, ଲୁଚି ପଳାଇବା ହେଉଛି ବେଆଇନ । ଏହାକୁ ସରକାର ଗମ୍ଭୀରତାର ସହ ନେଉଛନ୍ତି । ଏମିତି ବ୍ୟକ୍ତିଙ୍କୁ ବିପର୍ଯ୍ୟୟ ପରିଚାଳନା ଆଇନରେ ଗିରଫ କରାଯିବ । ଏଭଳି ଉଲ୍ଲଂଘନକାରୀଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ବାହାର କରି ଅନ୍ୟ ଜିଲ୍ଲାର କ୍ୱାରେଣ୍ଟାଇନରେ ରଖାଯିବ । ସେମାନଙ୍କ କ୍ୱାରେଣ୍ଟାଇନ ଅବଧି ବଢ଼ାଇ ଦିଆଯିବ । ସେମାନଙ୍କୁ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ମିଳିବନି । ସରପଞ୍ଚମାନଙ୍କୁ ଏଥିପାଇଁ ସରକାର କ୍ଷମତା ଦେଇଛନ୍ତି । ତେଣୁ ପ୍ରବାସୀ ଓଡ଼ିଆମାନେ ନିଜର, ନିଜ ପରିବାର ସହ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାରୀ କଟକଣାକୁ ମାନିବାକୁ ସରକାର ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons