ରଥ ନିର୍ମାଣକୁ ଅନୁମତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୂଆ ସମ୍ଭାବନା । ରଥଖଳାରେ ତିନି ରଥ ନିର୍ମାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁବାର ଅନୁମତି ପ୍ରଦାନ କରିଛି । ତେବେ ରଥଯାତ୍ରା ସମ୍ପର୍କରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ରଥ ନିର୍ମାଣ ଅନୁମତି ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁ ସଚିବ ଆଶିଷ କୁମାର ସିଂ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି । କେତେକ ସର୍ତ୍ତ ସହ କେନ୍ଦ୍ର ଅନୁମତି ପ୍ରଦାନ କରିଛି ।
ପତ୍ରରେ ଉଲ୍ଲେଖ ରହିଛି ଯେ, ବଡ଼ଦାଣ୍ଡର ଦୁଇ ପାଶ୍ୱର୍ରେ ଅବସ୍ଥିତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ଶ୍ରୀନହର ସାମ୍ନା ରଥଖଳାରେ ତିନି ରଥ ନିର୍ମାଣ କରାଯିବ । ରଥଖଳାରେ କୌଣସି ପ୍ରକାର ଧାର୍ମିକ ସମାଗମ ହୋଇପାରିବ ନାହିଁ । ରଥଖଳାରେ ସାମାଜିକ ଦୂରତା ଯେପରି ପାଳନ ହେବ ତାହା ନିଶ୍ଚିତ କରାଯିବ । ଏଥିସହ କେନ୍ଦ୍ର ସରକାର ଗତ ମେ ୧ ତାରିଖରେ ଜାରି କରିଥିବା କରୋନା ଲକ୍ଡାଉନ୍ ନିଦେ୍ର୍ଧଶାବଳୀ ଓ କୋଭିଡ୍-୧୯ ପରିଚାଳନା ନିଦେ୍ର୍ଧଶାବଳୀ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ କୁହାଯାଇଛି ।
ତେବେ ଚଳିତ ବର୍ଷ ରଥଯାତ୍ରା ପାଳନ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ କିଛି ସ୍ପଷ୍ଟ କରିନାହିଁ । କରୋନା ମହାମାରୀ ଓ ଜାରି ଲକ୍ଡାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ରଥଖଳାରେ ତିନି ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଗତ ୪ ତାରିଖ ବୈଠକରେ ନିଷ୍ପତ୍ତି ନେଇଥିଲା । ରଥଖଳାରେ ରଥ ନିର୍ମାଣ ‘ଧାର୍ମିକ ଉତ୍ସବ ନୁହେଁ, ବରଂ ଏକ ନିର୍ମାଣ କାର୍ଯ୍ୟ’ ବୋଲି କମିଟି ସଦସ୍ୟମାନେ ମତ ଦେଇଥିଲେ । ରଥଖଳାରେ ସଂକ୍ରମଣ ରୋକିବା ପାଇଁ ପରିଚାଳନା କମିଟି ୧୧ଟି ପ୍ରସ୍ତାବ ଦେଇଥିଲା । ପୁରୀ ଜିଲ୍ଲା ଗ୍ରୀନ୍ ଜୋନ୍ରେ ଯାଉଥିବାରୁ ନିର୍ମାଣ ପାଇଁ କିଛି ଅସୁବିଧା ନାହିଁ । ତେଣୁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅନୁମତି ମଗାଯାଇଥିଲା । ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏ ନେଇ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲୋଡ଼ିଥିଲା । କେନ୍ଦ୍ର ଆଜି ଅନୁମତି ଦେଇଥିଲେ ହେଁ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନିର୍ମାଣ ଶେଷ ହେବ କି ନାହିଁ ସେଥିନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବା ବିଧି ରହିଛି । କିନ୍ତୁ ଚଳିତ ବର୍ଷ ଲକ୍ଡାଉନ୍ ଯୋଗୁ ଏହି ବିଧି ହୋଇପାରିନାହିଁ । ଇତିମଧ୍ୟରେ ୧୨ଟି ରଥ ନିର୍ମାଣ ଦିବସ ନଷ୍ଟ ହୋଇଛି । ମହାପ୍ରଭୁଙ୍କ ଭଉଁରୀ ପର୍ବରେ ତିନି ରଥର ୬ଟି ଚକକୁ ୩ ଅଖ ସହ ଡେରା ଯାଇଥାଏ । ଆଉ ୭ ଦିନ ପରେ ଏହି ତିଥି ପଡ଼ୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons