ଲକ୍‌ଡାଉନ୍‌ କଟକଣା ମାନି ନିର୍ମାଣ ହେବ ରଥ କାର୍ୟ୍ୟ: ବିଶ୍ବକର୍ମାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହେବ ନିୟମିତ

Get real time updates directly on you device, subscribe now.

ପୁରୀ: ସମସ୍ତ ଅନିଶ୍ଚିତତା ଓ ଦ୍ବନ୍ଦ ପରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥନିର୍ମାଣ କାର୍ୟ୍ୟ । ସକାଳେ ବିଶ୍ବକର୍ମା ମହାରଣାମାନେ ମାହାର୍ଦ୍ଦ ଓ ଶ୍ରୀଫଳ ଭାଙ୍ଗି ମହାପ୍ରଭୁଙ୍କ ରଥନିର୍ମାଣ କାର୍ୟ୍ୟରେ ଯୋଗ ଦେଇଛନ୍ତି। ୨ ଶହ ଫୁଟର ନିଷିଦ୍ଧାଞ୍ଚଳ ମଧ୍ୟରେ ଲକଡ଼ାଉନର ସମସ୍ତ କଟକଣାକୁ ମାନି ରଥ ନିର୍ମାଣ ହେବ। ର‌ଥ କାମରେ ନିୟୋଜିତ ସମସ୍ତ ବିଶ୍ବକର୍ମା ଭକ୍ତନିବାସରେ ରହିବେ। ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଚଳଚଞ୍ଚଳ ହେଲା ରଥଖଳା। ନିହାଣ କରତର ଶବ୍ଦରେ ମୁଖରିତ ହେଲା । ଶ୍ରୀଜଗନ୍ନାଥଙ୍କ ଆଦେଶ ମିଳିଲା, କେନ୍ଦ୍ର ସରକାର ବି ଜଣାଇ ଦେଲେ । ଆରମ୍ଭ ହେଲା ରଥ ନିର୍ମାଣ । ଆଜି ସକାଳେ ବିଶ୍ବକର୍ମା ମହାରଣାମାନେ ଲଡୁ ମହାପ୍ରସାଦ, ଶ୍ରୀଫଳ ଓ କଦଳୀ ଲାଗିହେବା ପରେ ରଥନିର୍ମାଣ କାର୍ୟ୍ୟ ଆରମ୍ଭ କରିଛନ୍ତି। ୧୧ ଦିନ ବିଳମ୍ବ ହୋଇଥିବରୁ ରଥନିର୍ମାଣକୁ ତ୍ବାରାନ୍ବିତ କରିବା ପଡ଼ିବ। ଏଥିପାଇଁ ଆରମ୍ଭରୁ ହିଁ ମହାରଣା, ରୂପକାର, ଭୋଇ ସେବାୟତ ଜୋର ଦେଇଛନ୍ତି । ଏବେ ୩ ରଥର ୪୨ ଟି ତୁମ୍ବ କାର୍ୟ୍ୟ ସହ ଅର ଓ ପହି କାର୍ୟ୍ୟ ଆରମ୍ଭ କରାଯାଇଛି । ଆଗକୁ ଭଉଁରୀ ଅବସରରେ ୩ ରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୋଗ ହେବାକୁ ଥିବାରୁ ସେଥିପାଇଁ ଉଦ୍ୟମ ଜାରି ରହିଛି।
ଅନ୍ୟପଟେ ରଥନିର୍ମାଣ ପାଇଁ କୋଭିଡ଼-୧୯ର ସମସ୍ତ କଟକଣାକୁ ପାଳନ କରାଯିବ। ସାଧାରଣ ଲୋକଙ୍କଠାରୁ ରଥଖଳାକୁ ଦୂରରେ ରଖିବା ପାଇଁ ୨ ଶହ ଫୁଟର ନିଷିଦ୍ଧାଞ୍ଚଳକୁ ବ୍ୟାରିକେଡ଼ିଂ କରାଯିବ। ସମଗ୍ର ରଥଖଳାକୁ ଆଦୃତ ରଖାଯିବା ସହ ବିଶ୍ବକର୍ମାମାନେ ମାସ୍କ, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରଖି ରଥନିର୍ମାଣ କରିବେ। ରଥକାର୍ୟ୍ୟରେ ନିୟୋଜିତ ୧୫୦ ସେବାୟତ ଘରକୁ ନଯାଇ ଭକ୍ତ ନିବାସରେ ରହି କାମ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସହ ଖାଇବା ଓ ରହିବା ଖର୍ଚ୍ଚ ପ୍ରଶାସନ ବହନ କରିବ। ଏହାସହ ଅଧିକ ପାରିଶ୍ରମିକ ମଧ୍ୟ ଦିଆଯିବ।
କାର୍ୟ୍ୟ ତ୍ବାରାନିତ କରିବା ଲାଗି ପ୍ରଥମ ଥର ପାଇଁ ରାତିରେ ଉଜ୍ଜଳ ଆଲୋକ ମଧ୍ୟରେ ରଥକାର୍ୟ୍ୟ କରାଯିବ। ରଥ ନିର୍ମାଣ ସମୟ ଅବଧି ମଧ୍ୟରେ ସାରିବା ପାଇଁ ପ୍ରଶାସନ ସମସ୍ତ ଉଦ୍ୟମ ଜାରି ରଖିଛି । ତେବେ ରଥଯାତ୍ରା ହେବ କି ନାହିଁ ଏହା ଲକ୍‌ଡାଉନ ସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons