ଭୁବନେଶ୍ବର: ଯେତିକି ସଂଖ୍ୟା ବର୍ତ୍ତମାନ ଆସିଛି ତାହାଠାରୁ ଆହୁରି ଅଧିକ ଆସିବ ଏମିତି କିଛି ଆଭାସ ଆଜି ରାଜ୍ୟ ସରକାର ଦେଇଛନ୍ତି। ଗତକାଲି ଏମ୍ସ ନିର୍ଦ୍ଦେଶକ କହିଥିଲେ ଯେ କରୋନାର ପିକ୍ ବା ଶୀର୍ଷ ସମୟ ଆସିବ ଜୁନ୍- ଜୁଲାଇ ମାସରେ। ଆଉ ବର୍ତ୍ତମାନର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହାରକୁ ଦେଖିଲେ ଜୁଲାଇ ପ୍ରଥମ ସପ୍ତାହରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷ ଲକ୍ଷ ହୋଇପାରେ । ଆଉ ଏଭଳି ସ୍ଥିତିର ମୁକାବିଲା କରିବା ଲାଗି ରାଜ୍ୟ ସରକାର କରୋନା ମୁକାବିଲାର ରଣନୀତିକୁ ଆହୁରି କଡ଼ାକଡ଼ି କରିଛନ୍ତି । ଏବେ କ୍ବାରାଣ୍ଟାଇନ୍ ସମୟ ୨୮ ଦିନକୁ ବୃଦ୍ଧି କରାଯାଇଛି।
କରୋନାର ଅସଲ ସମୟ ଏଯାଏଁ ଆସିନାହିଁ । ଆହୁରି ୬୦ ଦିନ କଲବଲ କରିବ କରୋନା। ଗତକାଲି ଏମ୍ସ ନିର୍ଦ୍ଦେଶକ ରନଦୀପ ଗୁଲେରିଆ ସୂଚାଇ ଦେଇଥିଲେ ଯେ କରୋନାର ଶୀର୍ଷ ସମୟ ଆସିବ ଜୁନ-ଜୁଲାଇ ମାସରେ । ଏହା ପରେ ଧିରେ ମ୍ୟାପ ନଇଁବା ଆରମ୍ଭ କରିବ। ରାଜ୍ୟ ସରକାର ମଧ୍ୟ ଆଜି ସମାନ ଢଙ୍ଗରେ ସୂଚନା ଦେଇଛନ୍ତି । ଝଡ଼ର ଲ୍ୟାଣ୍ଡଫଲ ବେଳେ ଯେମିତି ସର୍ବାଧିକ ବିପର୍ୟ୍ୟୟ ଘଟିଥାଏ ସେମିତି କିଛି ସମୟ ଆସୁଛି । ମାନେ ଲ୍ୟାଣ୍ଡଫଲ କେବେ କରିବ ଜଣାନାହିଁ। କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ଯେ ବହୁଗୁଣାରେ ବଢ଼ିବ ଏମିତି କିଛି ଆଭାସ ଦେଇଛନ୍ତି ରାଜ୍ୟ ସରକାର।
ସ୍ଥିତିକୁ ଦେଖି ରାଜ୍ୟ ସରକାର କରୋନା ମୁକାବିଲାର ରଣନୀତିକୁ କଡ଼ାକଡ଼ି କରିଛନ୍ତି। ଏଥିପାଇଁ ୬ଟି ନିଷ୍ପତ୍ତି ନିଆଯାଇଛି। ୧- କ୍ବାରେଣ୍ଟାଇନ ପିରିୟଡ଼କୁ ୧୪ ଦିନରୁ ୨୮ ଦିନ ବଢ଼ାଯାଇଛି। ଏଥିରେ ଜଣେ ବ୍ୟକ୍ତି ୨୧ ଦିନ କ୍ବାରେଣ୍ଟାଇନ କେନ୍ଦ୍ର ଏବଂ ୭ ଦିନ ସଙ୍ଗରୋଧରେ ରହିବେ। ୨ – କ୍ବାରାଣ୍ଟାଇନ କେନ୍ଦ୍ର ନିକଟରେ ୧୪୪ ଧାରା ଜାରି କରାଯିବ। ୩- କ୍ବାରାଣ୍ଟାଇନ କେନ୍ଦ୍ରକୁ ଜେ୍ଲ ବୋଲି ଭାବନ୍ତୁ ନାହିଁ। କ୍ବାରେଣ୍ଟାଇନ୍ରେ ଥିବା ବ୍ୟକ୍ତି ଉନ୍ନୟନ କାମ କରିପାରିବେ । ୨୧ ଦିନରୁ ୧୦ ଦିନ କାମ ଯୋଗାଇଦେବ ସରକାର । କାମ କଲେ ଜଣଙ୍କୁ ଦିନକୁ ୧୫୦ଟଙ୍କା ମିଳିବ ।
ରାଜ୍ୟ ସରକାର ୱାର୍କିଂ ଟାଇମ୍ ୪ଘଣ୍ଟା ବଢାଇଛନ୍ତି । ଏଣିକି ଜଣେ ୮ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାମ କରିପାରିବେ । ଏବଂ ଏଥିପାଇଁ ସେମାନଙ୍କୁ ୪ଘଣ୍ଟାର ଓଭରଟାଇମ୍ ପାଉଣା ମିଳିବ । କଣ୍ଟେନମେଣ୍ଟ ଜୋନରେ କୌଣସି ପ୍ରକାର କାମକୁ ଅନୁମତି ମିଳିବନି । ରେଡ୍ ଜୋନ୍ରେ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିପାରିବ । ଗ୍ରୀନ ଜୋନ ପାଇଁ କୌଣସି କଟକଣା ନଥିବା ରାଜ୍ୟ ସରକାରଙ୍କୁ ପକ୍ଷରୁ କୁହାଯାଇଛି।
ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଟପିଛି। ଦେଶରେ ଦୁଇ ଗୁଣା ସମୟ ୧୦ ଦିନରେ ହେଉଛି। ଏଭଳି ୧୦ଗୁଣାକୁ ଦେଖି ବିଭିନ୍ନ ମଡେଲ ଆକଳନ କରୁଛନ୍ତି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୦ ଲକ୍ଷ ଡେଇଁଯିବ। ଗତ ୧୫ ଦିନରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ବିଶେଷ କରି ମହାରାଷ୍ଟ୍ରରେ ହିଁ ସ୍ଥିତି ସଂଗୀନ ହେବାରେ ଲାଗିଛି। ଯେତିକି ରୋଗୀ ଦୈନିକ ଚିହ୍ନଟ ହେଉଛନ୍ତି ସେଥିରୁ ଅଧା କେବଳ ମହାରାଷ୍ଟ୍ରରୁ। ଗତ ୨୪ ଘଣ୍ଟାରେ ୧୮୮୬ ରୋଗୀଙ୍କ ମୃତ୍ୟୁ ହୋଇଛି ୩୩୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ମଧ୍ୟରେ ଗୋଟିଏ ଆଶ୍ବାସନାର କଥା ହେଲା ୨୯ ଦଶମିକ ୩୬ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ଆଉ ଦେଶର ୨୧୬ ଜିଲ୍ଲା ଏମିତି ଅଛନ୍ତି ଯେଉଁଠାରେ କରୋନା ଛୁହିଁ ନାହିଂ।
ନିତ ଆୟୋଗ ପୂର୍ବାନୁମାନ କରିଥିଲା ଯେ ମେ ତୃତୀୟ ସପ୍ତାହ ସୁଦ୍ଧା କରୋନା ଗ୍ରାଫ ନଇଁବ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ। ସେହିପରି ସିଙ୍ଗାପୁରର ମଧ୍ୟ ଏକ ମଡେଲ ସମାନ ଆକଳନ କରିଥିଲା। କିନ୍ତୁ ବର୍ତ୍ତମାନର ସ୍ଥିତି ଯଦି ଜୁଲାଇ ଯାଏଁ ଲାଗି ରହେ ତେବେ କରୋନା ମୁକାବିଲା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି।
Comments are closed, but trackbacks and pingbacks are open.