ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼ୁଛି । ଏଭଳି ସଂକଟ ସମୟରେ ଆମ ରାଜ୍ୟକୁ ଏବେ ପ୍ରବାସୀ ଓଡ଼ିଆ ଆସୁଛନ୍ତି । ସେମାନଙ୍କ ଆଗମନ ପରେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଛି । ମାତ୍ର ଏହାକୁ ନେଇ ରାଜ୍ୟବାସୀ ଭୟଭୀତ ହେବାର କାରଣ ନାହିଁ । ଆଗକୁ ପଜିଟିଭ୍ ସଂଖ୍ୟା ଆହୁରି ବଢ଼ିବ । ମାତ୍ର ତାକୁ ଦୃଷ୍ଟିରେ ରଖି ସରକାର ସବୁ ପଞ୍ଚାୟତରେ କ୍ୱାରେଣ୍ଟାଇନ କେନ୍ଦ୍ର ଖୋଲିବା ସହ ପର୍ଯ୍ୟାପ୍ତ ଶଯ୍ୟା ବ୍ୟବସ୍ଥା କରିଛନ୍ତି । ସମସ୍ତ ପଜିଟିଭ୍ ଏବେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହେଉଛନ୍ତି । ନିଜ ଘରକୁ ଫେରିବା ହେଉଛି ପ୍ରତି ନାଗରିକଙ୍କର ଆଇନଗତ ଅଧିକାର । ତେଣୁ ରାଜ୍ୟବାସୀ ପ୍ରବାସୀ ଓଡ଼ିଆଙ୍କ ପ୍ରତି ଏବେ ସମବେଦନା ଜଣାଇବାର ସମୟ । ସମସ୍ତେ ସରକାରଙ୍କୁ ସହଯୋଗ କଲେ ଆମେ କରୋନା ଯୁଦ୍ଧରେ ବିଜୟୀ ହେବା ବୋଲି ଅପିଲ୍ କରିଛନ୍ତି ସରକାର ।
ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଲେ, ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ଏବେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ନିଶ୍ଚୟ ବଢ଼ିଛି । ମାତ୍ର ଆସନ୍ତା ଜୁନ୍ ବେଳକୁ ଯଦି କରୋନା ମହାମାରୀ ରୂପ ନେଇଥିବ ସେ ସମୟରେ ସେମାନେ ଆସିଥିଲେ ହୁଏତ ରାଜ୍ୟର ସ୍ଥିତି ଆହୁରି ଅଧିକ ବିସ୍ଫୋରକ ହୋଇଥାନ୍ତା । ତେଣୁ ସବୁ ଦୃଷ୍ଟିରୁ ବିଚାର କରି ଓଡ଼ିଶା ସରକାର ଏକ ସନ୍ତୁଳିତ ପଦକ୍ଷେପ ନେଇଛନ୍ତି । ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିନଥିଲେ ହୁଏତ ଅନେକ ସୁପରସ୍ପେ୍ରଡର ପାଲଟିଥାନ୍ତେ । ତେଣୁ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ଯଥାର୍ଥ ପଦକ୍ଷେପ ନେଇଛନ୍ତି ।
ଶ୍ରୀ ବାଗ୍ଚୀ କହିଲେ, ଭାରତ ହେଉଛି ଦେଶାନ୍ତରଣର ରାଷ୍ଟ୍ର । ସମଗ୍ର ଦେଶରେ ପ୍ରାୟ ୨୦ କୋଟି ଲୋକ ଭିନ୍ନ ରାଜ୍ୟକୁ କାମଧନ୍ଦା ପାଇଁ ଯାଉଥିବା ୨୦୧୧ ଜନଗଣନା କହୁଛି । ରାଜ୍ୟ ବାହାରେ ଆକଳନ ଅନୁସାରେ ୧୨ ଲକ୍ଷ ୭୦ ହଜାର ଓଡ଼ିଆ କାମ କରୁଛନ୍ତି । ସେହିଭଳି ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ୮ ଲକ୍ଷ ୬୦ ହଜାର ଲୋକ ମଧ୍ୟ କାମଧନ୍ଦା ପାଇଁ ଆସିଛନ୍ତି । ତେଣୁ କରୋନା ସମୟରେ ପ୍ରବାସୀମାନେ ଯିବେ କୁଆଡେ଼, ରହିବେ କେଉଁଠି ଆଉ ଖାଇବେ କ’ଣ ତାହା ହିଁ ଦେଶ ଆଗରେ ବଡ଼ ଆହ୍ୱାନ ଛିଡ଼ା କରାଇଛି । ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ନେବାକୁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଓଡ଼ିଶାକୁ ମଧ୍ୟ ବସ୍ ଓ ଟ୍ରେନରେ ଓଡ଼ିଆ ଫେରୁଛନ୍ତି । ନିଜ ଭିଟାମାଟିକୁ ସେମାନଙ୍କ ଫେରିବାକୁ କେହି ଅଟକାଇ ପାରିବେନି । କେବଳ ଶ୍ରମିକ ନୁହନ୍ତି ବହୁ ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ ଓ ବୟସ୍କ ଲୋକ ମଧ୍ୟ ଫସି ରହିଥିଲେ, ସେମାନେ ଏବେ ଫେରୁଛନ୍ତି ।
ସରକାର ସ୍ପଷ୍ଟ କରିଛନ୍ତି, ବାହାରେ ଥିବା ଓଡ଼ିଆଙ୍କ ମଧ୍ୟରୁ ୨୫ରୁ ୩୦% ଘରକୁ ଫେରିଆସିବାକୁ ଚାହୁଁଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ତାଙ୍କ ଆଗମନକୁ ମଧ୍ୟ ରୋକି ହେବ ନାହିଁ । ତେଣୁ ଆଇନଗତ ଓ ମାନସିକସ୍ତରରେ ଓଡ଼ିଶା ସେମାନଙ୍କୁ ଗ୍ରହଣ କରିବାକୁ ବାଧ୍ୟ । ଆଇନଗତ ବ୍ୟବସ୍ଥା ଓ ମାନବବାଦ ଦୃଷ୍ଟିକୋଣରୁ ସରକାରଙ୍କ ଏ ପଦକ୍ଷେପ ସମୟୋପଯୋଗୀ ଓ ଯଥାର୍ଥ ।
ଜନସାଧାରଣ ମନରୁ ଭୟକୁ ଦୂରେଇବାକୁ ଅପିଲ୍ କରି ସରକାର କହିଛନ୍ତି, ବିନା ପଞ୍ଜୀକରଣରେ କାହାକୁ ଆମେ ଆସିବାକୁ ଅନୁମତି ଦେଉନାହୁଁ । ସାମାଜିକ ଦୂରତା ରକ୍ଷା କରି ଧାର୍ଯ୍ୟ ଗାଇଡଲାଇନ୍ ଅନୁସାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରୁଛନ୍ତି । ରାଜ୍ୟକୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୨୧ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟର ସମସ୍ତ ପଞ୍ଚାୟତରେ ୫ ଲକ୍ଷ କ୍ୱାରେଣ୍ଟାଇନ ଶଯ୍ୟା ସହ ୧୨ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇଛି । କ୍ୱାରେଣ୍ଟାଇନ କେନ୍ଦ୍ରରେ ଅନ୍ତେବାସୀଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି । ସେମାନଙ୍କୁ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ । କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନା ଠିକଣା ଭାବେ କରିବାକୁ ସରପଞ୍ଚମାନଙ୍କୁ ସରକାର ଜିଲ୍ଲାପାଳ କ୍ଷମତା ଦେଇ ସଶକ୍ତ କରିଛନ୍ତି । କ୍ୱାରେଣ୍ଟାଇନ କେନ୍ଦ୍ର ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି ।
ବହୁଳ ଭାବେ କରୋନା ସଂକ୍ରମିତ ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁରୁ ପ୍ରବାସୀ ଓଡ଼ିଆ ଫେରୁଥିବାରୁ ଆଗକୁ ପଜିଟିଭ୍ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ତେବେ ସେମାନେ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ କରାଯାଇଥିବାରୁ ଏବଂ ସରପଞ୍ଚମାନେ ସତର୍କ ଦୃଷ୍ଟି ରଖିଥିବାରୁ ରାଜ୍ୟବାସୀ ଭୟଭୀତ ନହୋଇ ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।
ସରକାର କହିଛନ୍ତି, ପ୍ରଥମ ଦଫାରେ ବିଦେଶରୁ ବହୁ ଓଡିଆ ଫେରିଲେ, ସେଥିରୁ ୭ ଜଣ ପଜିଟିଭ୍ ବାହାରିଲେ । ସରକାର ଏ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଲେ । ଠିକ୍ ସେହିଭଳି ନିଜାମୁଦ୍ଧିନ ଫେରନ୍ତାଙ୍କ ମଧ୍ୟରୁ ୪୧ ଜଣ ପଜିଟିଭ୍ ବାହାରିଲେ ଏବଂ ପଶ୍ଚିମବଙ୍ଗ ଫେରାନ୍ତାଙ୍କ ଯୋଗୁଁ ୧୧୩ ପଜିଟିଭ୍ ଚିହ୍ନଟ ହେଲେ । ଏସବୁ ପରିସ୍ଥିତିକୁ ସରକାର ସଫଳତାର ସହ ନିୟନ୍ତ୍ରଣ କରିପାରିଛନ୍ତି । ତେଣୁ ଆଗକୁ ପ୍ରବାସୀ ଓଡ଼ିଆଙ୍କ ଅଧିକ ଆଗମନ ପରେ ରାଜ୍ୟରେ ପଜିଟିଭ୍ ଯଥେଷ୍ଟ ବୃଦ୍ଧି ପାଇବ । ମାତ୍ର ସେ ପରିସ୍ଥିତିକୁ ଆକଳନ କରି ସରକାର ଆଗୁଆ ସବୁପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ତେଣୁ ରାଜ୍ୟବାସୀ ଭୟଭୀତ ନହୋଇ ସହଯୋଗ କରିବାକୁ ସରକାର ଅନୁରୋଧ କରିଛନ୍ତି ।


Comments are closed, but trackbacks and pingbacks are open.