କୃଷି କର୍ମଚାରୀ ଢିଲା ମାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଅରୁଣ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ରାଜ୍ୟ ସରକାରଙ୍କର ଚାଷୀଙ୍କ ପ୍ରତି ଯଥେଷ୍ଟ ଦରଦ ଓ ସମ୍ମାନ ରହିଛି । ଚାଷୀ ଭାଇମାନଙ୍କ ଅକ୍ଲାନ୍ତ ପରିଶ୍ରମରୁ ଓଡ଼ିଶା ୫ଥର କୃଷି କର୍ମଣ ପୁରସ୍କାର ପାଇବାକୁ ସକ୍ଷମ ହୋଇଛି । ସରକାର କୃଷିର ବିକାଶ ପାଇଁ ବହୁ ଯୋଜନା ହାତକୁ ନେଉଛନ୍ତି । ଚାଷୀ ଭାଇମାନେ କିପରି ଏହାର ସୁଫଳ ପାଇପାରିବେ ଉପରସ୍ତରରୁ ଆରମ୍ଭ କରି ତୃଣମୂଳସ୍ତର ଯାଏ କୃଷି ବିଭାଗର କର୍ମଚାରୀମାନେ ଯତ୍ନବାନ ହେବା ଆବଶ୍ୟକ । ଏଥିରେ କର୍ମଚାରୀମାନେ ଅବହେଳା କଲେ ଚଳିବନି । ନିଜ କର୍ତ୍ତବ୍ୟରେ କୃଷି କର୍ମଚାରୀ ଢ଼ିଲା ମାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବିଧାନସଭାରେ ମୁଲତବି ପ୍ରସ୍ତାବ ଆଲୋଚନା କାଳରେ ଏମିତି ସତର୍କ କରାଇ ଦେଇଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । କୃଷି କର୍ମଚାରୀମାନେ ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନାକୁ ଠିକଣା ଭାବେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଛନ୍ତି ।
ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ଡ. ସାହୁ କହିଲେ, ୨୦୦୦ ମସିହାରୁ ୨୦୧୮ ମଧ୍ୟରେ ଆମ ରାଜ୍ୟରେ ୮ ଥର ମରୁଡ଼ି, ୯ ଥର ବନ୍ୟା, ୩ ଥର ବତ୍ୟା ଓ ୩ ଥର ରୋଗପୋକ ଦ୍ୱାରା ଆକ୍ରାନ୍ତ ହୋଇ ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ମାତ୍ର ସରକାର ସବୁକୁ ଠିକଣା ଭାବେ ମୁକାବିଲା କରିଛନ୍ତି । ୨୦୧୩-୧୪ ମସିହାରୁ ସରକାର ସ୍ୱତନ୍ତ୍ର କୃଷିବଜେଟ୍ ଉପସ୍ଥାପନା କରିଛନ୍ତି । ୨୦୧୩-୧୪ ଆର୍ଥିକ ବର୍ଷରେ ୭ ହଜାର ୧୬୨ କୋଟି ଟଙ୍କାର ବ୍ୟୟ ଅଟକଳ ଥିଲା । ୨୦୧୯-୨୦ ବର୍ଷ ପାଇଁ ଏହା ୩ ଗୁଣ ବଢ଼ି ୨୦ ହଜାର ୭୧୪କୋଟି ଟଙ୍କା ବରାଦ କରାଯାଇଛି । କୃଷିର ବିକାଶ ପାଇଁ ସ୍ୱତନ୍ତ୍ର କୃଷି କ୍ୟାବିନେଟ୍ ୨୦୧୬ରେ ଗଠନ ହୋଇଛି । କୃଷି ନୀତି ୨୦୦୮ ମସିହାରୁ କାର୍ଯ୍ୟକାରୀ ହେଉଛି ଓ ଏହା ୨୦୧୩ ମସିହାରେ ସଂଶୋଧିତ ହୋଇଛି । ଜଳସେଚନର ସୁବିଧା ପାଇଁ ବିଜୁ କୃଷକ ବିକାଶ ଯୋଜନା ହାତକୁ ନେଇଛନ୍ତି ।
ଡ. ସାହୁ କହିଲେ, ଚାଷୀଙ୍କ ପାଇଁ ‘କାଳିଆ’ଯୋଜନା ହାତକୁ ନିଆଯାଇଛି । ଏଥିରେ ଏଯାଏ ୫୧ ଲକ୍ଷ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି । ଖୁବ୍ଶୀଘ୍ର ଅବଶିଷ୍ଟ ୨୩ ଲକ୍ଷ ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ । ମନ୍ତ୍ରୀ ନିଜ ଉତ୍ତରରେ କହିଲେ, ମୁଁ ଚାଷୀ ପରିବାରରୁ ଆସିଛି । ତେଣୁ ଚାଷ ଓ ଚାଷୀର ସମସ୍ୟା ସହ ଭଲ ଭାବେ ପରିଚିତ । ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ ସେ ଅନୁଧ୍ୟାନ କରିବେ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମାଛ ଚାଷ କରିବାକୁ ପୋଖରୀ ଦିଆଯାଉଛି । ଅମଳକ୍ଷମ ବିହନ ଯୋଗାଣ ପ୍ରାୟ ଶତକଡ଼ା ୫୦ ଭାଗ ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ପ୍ରଦାନ କରାଯାଇଛି । ୧ ଲକ୍ଷ ଟଙ୍କାରୁ କମ୍ ଋଣ ନେଇଥିବା ଓ ନିୟମିତ ଋଣ ପରିଶୋଧ କରୁଥିବା ଚାଷୀଙ୍କୁ ଏଣିକି ସୁଧ ଦେବାକୁ ପଡ଼ିବ ନାହିଁ । ରାଜ୍ୟ ସରକାର ଜଏଣ୍ଟ ଲିଆବିଲିଟି ଗ୍ରୁପ୍ (ଜେଏଲ୍ଜି)ମାନଙ୍କୁ ଋଣ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଚାଷୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଅଧିକ ଅମଳକ୍ଷମ ବିହନ ଉପଯୁକ୍ତ ମୂଲ୍ୟରେ ଯୋଗାଇଦେବା ସହ ସାର ଯୋଗାଣ ପାଇଁ କର୍ପସ ପାଣ୍ଠି ଗଠନ ହୋଇଛି ।
ଉଦ୍ୟାନ କୃଷି କ୍ଷେତ୍ରରେ ସଂରକ୍ଷିତ ଚାଷ, ଅମଳ ପରବର୍ତ୍ତୀ ପରିଚାଳନା ଓ ଶୀତଳ ଭଣ୍ଡାର ସ୍ଥାପନା ତଥା କୃଷି ଯାନ୍ତ୍ରିକୀକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । ରାଜ୍ୟରେ ଉଦ୍ୟାନ କୃଷିର ଉନ୍ନତି ପାଇଁ ଫଳଚାଷ, ଆଳୁ ଓ ପିଆଜଚାଷ, ପରବର୍ତ୍ତୀ ପରିଚାଳନା, ବଜାର ସୃଷ୍ଟି, ସୁରକ୍ଷିତ ଚାଷ, ଛତୁ ଚାଷ, ମହୁ ଚାଷ, ନଡ଼ିଆ ଚାଷ, ଅଣୁ ଜଳସେଚନ, ତାଳତେଲ ଚାଷ ଇତ୍ୟାଦି ପାଇଁ ଜ୍ଞାନ କୌଶଳ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ମାଣ୍ଡିଆ ଓ ବାଜରା ଆଦି ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପ୍ରଦାନ ପାଇଁ ଓଡ଼ିଶା କ୍ଷୁଦ୍ର ଶସ୍ୟ ମିଶନ୍ ଗଠନ କରାଯାଇଛି । ସରକାର ସ୍ୱତନ୍ତ୍ର ଭାବେ ‘ମରୁଡ଼ି ପରିଚାଳନା କକ୍ଷ’ ଖୋଲିଛନ୍ତି । ଚାଷୀମାନେ କିଭଳି ଠିକ ସମୟରେ ବୀମା ରାଶି ପାଇପାରିବେ ସେଥିପ୍ରତି ସେ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ମନ୍ତ୍ରୀ ଡ. ସାହୁ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons