ମୟୂରଭଞ୍ଜରେ ପୁଣି ୩ ସୁରତ ଫେରନ୍ତା ପଜିଟିଭ୍

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଜିଲ୍ଲାରେ ଆଉ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୩ ଆକ୍ରାନ୍ତଙ୍କ ଘର କପ୍ତିପଦା ବ୍ଲକ୍ର ପିଙ୍ଗୁରେ । ପୂର୍ବରୁ ୪ ଜଣ ସୁରଟ ଫେରନ୍ତାଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏବେ ଆଉ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ ୭କୁ ବୃଦ୍ଧି ପାଇଛି । ଶନିବାର ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଜିଲ୍ଲାରେ ଆତଙ୍କ ଖେଳି ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ପିଙ୍ଗୁ ନୁଦୁଡିହା ସଙ୍ଗରୋଧ କେନ୍ଦ୍ରରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କଠାରେ କରୋନା ଭୂତାଣୁ ଠାବ କରାଯାଇଛି । ସେମାନଙ୍କୁ ଚିକିତ୍ସା ପାଇଁ କଟକ ଅଶ୍ୱିନୀ ହସ୍ପିଟାଲକୁ ପଠାଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ୩ ଆ୍ରକାନ୍ତ ପୁରୁଷ । ସେମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୨୭ ବର୍ଷ, ଅନ୍ୟ ଦୁଇ ଜଣଙ୍କ ବୟସ ୨୩ ଓ ୨୨ ବର୍ଷ । ଗୁଜୁରାଟର ସୁରଟସ୍ଥିତ ସର୍ଦ୍ଧାର ମାର୍କେଟ୍ରେ ବାଲେଶ୍ୱରର ଅଶୋକ ଜେନାଙ୍କ ଚା’ ଦୋକାନରେ ସେମାନେ କାମ କରୁଥିଲେ । ଅଶୋକ ଗତ ଜାନୁଆରୀ ମାସରୁ ଅସୁସ୍ଥତା କାରଣରୁ ସୁରତରୁ ବାଲେଶ୍ୱର ଚାଲି ଆସିଥିଲେ । ଉକ୍ତ ୩ ଆକ୍ରାନ୍ତ ଗତ ୧ ତାରିଖରେ ବସ୍ ଯୋଗେ ଫେରିଥିଲେ । ମୟୂରଭଞ୍ଜରେ ବସ୍ଟି ୪ ତାରିଖ ଭୋର୍ରେ ପହଞ୍ଚିଥିଲା । ସମସ୍ତଙ୍କୁ କପ୍ତିପଦା କଲେଜକୁ ନେଇ ପଞ୍ଜୀକରଣ କରିବା ପରେ ନିଜ ପଞ୍ଚାୟତର କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା । ଜଣେ ମହିଳା, ୮ ବର୍ଷର ଝିଅଙ୍କ ସମେତ ୧୭ ଜଣଙ୍କୁ ପିଙ୍ଗୁ ନୁଦୁଡିହା ୟୁପି ସ୍କୁଲ୍ରେ ରଖା ଯାଇଥିଲା ।
ସେମାନଙ୍କ ନିକଟରେ କରୋନା ସଂକ୍ରମିତ ନେଇ କୌଣସି ସୂଚନା ନ ଥିଲା । ସମସ୍ତଙ୍କଠାରୁ ୫ ତାରିଖରେ ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ ହୋଇଥିଲା । ୬ ତାରିଖ ବିଳମ୍ବିତ ରାତି ସୁଦ୍ଧା ୩ ଜଣଙ୍କର ଏବଂ ୭ ତାରିଖରେ ଆଉ ଜଣଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିଲା । ଏହି ୪ ଆକ୍ରାନ୍ତଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ନିଆ ଯାଇଥିଲା । ଶନିବାର ଚିହ୍ନଟ ହୋଇଥିବା ଅନ୍ୟ ୩ ଜଣ କରୋନା ଆକ୍ରାନ୍ତଙ୍କୁ ମଧ୍ୟ କଟକ ଅଶ୍ୱିନୀ ହସ୍ପିଟାଲ୍ ନିଆଯାଇଛି । ପିଙ୍ଗୁ ନୁଦୁଡିହାର ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ୟ ୧୦ ଜଣଙ୍କ ରିପୋର୍ଟ ଜଣାପଡ଼ି ନାହିଁ । ସେମାନଙ୍କୁ ନିରୀକ୍ଷଣ କରାଯାଉଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ଭୟ କରିବାର ନାହିଁ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ କହିଛନ୍ତି । ସମସ୍ତଙ୍କୁ ସାମାଜିକ ଦୂରତା ବଜାୟ ରଖିବା ସହ ସଚେତନ ରହି ନିୟମ କାନୁନ ମାନିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସେପଟେ ଜିଲ୍ଲାରେ ପ୍ରବାସୀ ଓଡ଼ିଆଙ୍କ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଜିଲ୍ଲାରେ କୋଲକାତା ଫେରନ୍ତା ସ୍ଥିତି ବିଗାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons