ବଲାଙ୍ଗୀର,(ବି.ବି.ନୁ୍ୟଜ୍): ମହାରାଷ୍ଟ୍ରର ପନୱେଲରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସନ୍ତା କାଲି ଟିଟିଲାଗଡରେ ପହଞ୍ଚିବ । ୨୪ ବଗି ବିଶିଷ୍ଟ ଉକ୍ତ ଟ୍ରେନରେ ପ୍ରାୟ ୧୨ଶହ ଯାତ୍ରୀ ଆସୁଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଟିଟିଲାଗଡରେ କର୍ଫୁ୍ୟ ଜାରି କରିଛି । ଏହି ସମୟରେ ଯଦି କେହି ବାହାରକୁ ବାହାରିବେ । ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁÂାନ ନିଆଯିବ ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ କହିଛନ୍ତି । ଅପରପକ୍ଷେ, ଟ୍ରେନ ଟିଟିଲାଗଡ଼ ଆସିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ଜିଲ୍ଲା କରୋନା ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଲୋହାନୀ, ବେଣୁଧର ବେହେରା, ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆ, ଏସପି ମଡ଼କର ସନ୍ଦୀପ ସମ୍ପତ, ଡ଼ିଆରଡ଼ିଏ ପିଡ଼ି ଡ.ମହେଶ୍ୱର ସ୍ୱାଇଁ, ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଟିଟିଲାଗଡ଼ ଆସୁଥିବା ପ୍ରବାସୀ ଓଡ଼ିଆ ବିଭିନ୍ନ ବ୍ଲକ ଅଞ୍ଚଳର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କିପରି ପହଞ୍ଚିପାରିବେ ସେନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଷ୍ଟେସନକୁ ଯାଇ ସ୍ଥିତି ପରଖିଛନ୍ତିି । ସେଠାରେ କରାଯାଇଥିବା ଅସ୍ଥାୟୀ କାଉଣ୍ଟର, ବସ, ଶୌଚାଳୟ ଓ ଖାଦ୍ୟପେୟର ବ୍ୟବସ୍ଥା ସମୀକ୍ଷା କରିଥିଲେ । ପୂର୍ବରୁ ଟିଟିଲାଗଡ଼ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା କରୋନା ଆଇସୋଲେସନ ଟ୍ରେନକୁ ଅନ୍ୟତ୍ର ଘୁଞ୍ଚାଇ ଦିଆଯାଇ ପା୍ଲଟଫର୍ମକୁ ଖାଲି କରାଯାଇଛି । ଆସୁଥିବା ପ୍ରବାସୀମାନେ ଯେଭଳି ଅନ୍ୟତ୍ର ଚାଲି ନଯିବେ ସେଥିପାଇଁ ଷ୍ଟେସନ ପରିସରରେ ଖଞ୍ଜାଯାଇଥିବା ସମସ୍ତ ସିସିଟିଭି କ୍ୟାମେରାର କାର୍ଯ୍ୟକାରିତା ଯାଞ୍ଚ କରାଯାଇଛି । ଜିଆରପି ଓ ଆରପିଏଫ ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କ କରାଯାଇଛି । ବାହାରୁ କିଏ ଷ୍ଟେସନକୁ ପଶି ପାରିବେ ନାହିଁ କିମ୍ବା ଫେରୁଥିବା ପ୍ରବାସୀ ବାହାରକୁ ଯାଇପାରିବେ ନାହିଁ । ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି ।


Comments are closed, but trackbacks and pingbacks are open.