ଯାଜପୁରରେ ୫ ନୂଆ ସଂକ୍ରମିତ

Get real time updates directly on you device, subscribe now.

ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ଛୁଇଁଛି । ସେମାନଙ୍କ ମଧ୍ୟରୁ ୩୧ଜଣ କୋଲକାତା ଫେରନ୍ତା ହୋଇଥିବା ବେଳେ ୨୬ଜଣ ସେମାନଙ୍କ ସଂସ୍ପର୍ଶଜନିତ । ଦୁଇ ଜଣ ସୁରଟ୍ ଫେରନ୍ତା ହୋଇଥିବା ବେଳେ ଜଣେ ନିଜାମୁଦ୍ଧିନ ଫେରନ୍ତା । ୬୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜିଲ୍ଲାର ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଅନ୍ୟ ୫୮ଜଣଙ୍କ ମଧ୍ୟରୁ ୧୪ଜଣ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ୍ ହସ୍ପିଟାଲ ଓ ଅନ୍ୟ ୪୪ଜଣ ଡୁବୁରୀସ୍ଥିତ ଟାଟା ମେଡିକା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଜିଲ୍ଲାରେ ରବିବାର ୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଧର୍ମଶାଳା ବ୍ଲକର ୨ଜଣ ଓ ଯାଜପୁର ବ୍ଲକର ୩ଜଣ । ଧର୍ମଶାଳା ବ୍ଲକରେ ଚିହ୍ନଟ ହୋଇଥିବା ୨ଜଣ ସୁରଟ ଫେରନ୍ତା । ସେମାନଙ୍କ ମଧ୍ୟରୁ ଦେଓଦା ପଞ୍ଚାୟତ ମାଝିପାଟଣା ଗ୍ରାମର ୩୬ ବର୍ଷୀୟ ଯୁବକ ଗତ ୨ ତାରିଖରେ ସୁରଟରୁ ଫେରିଥିଲେ । ତାଙ୍କୁ ଦେଓଦାସ୍ଥିତ ବଳଦେବ ଜିଉ ବିଦ୍ୟାପୀଠ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ୫ ତାରିଖରେ ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଅନ୍ୟ ଜଣେ ସୁରଟ ଫେରନ୍ତା ପଟୁଣିଆ ପଞ୍ଚାୟତ ଶଙ୍ଖ ଗ୍ରାମର ୩୫ ବର୍ଷୀୟ ଯୁବକ । ସେ ଗତ ୪ ତାରିଖରେ ବସ୍ ଯୋଗେ ସୁରଟରୁ ଫେରି ଜାରକାରେ ପହଞ୍ଚିଥିଲେ । ତାଙ୍କୁ ପଟୁଣିଆସ୍ଥିତ ଉଦୟବଟ ହାଇସ୍କୁଲ୍ ସଂଗରୋଧ ଗୃହରେ ରଖାଯାଇଥିଲା । ଚଳିତ ମାସ ୬ ତାରିଖରେ ତାଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଉଭୟଙ୍କର ଆଜି ସ୍ୱାବ୍ ନମୁନା ରିପୋର୍ଟ ଆସିବା ପରେ ସେମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।
ଯାଜପୁର ବ୍ଲକ୍ରେ ଚିହ୍ନଟ ହୋଇଥିବା ୩ଜଣ ସଂକ୍ରମିତଙ୍କ ମଧ୍ୟରୁ ଏରବାଙ୍କ ପଞ୍ଚାୟତର ୨ଜଣ କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶଜନିତ । ବାସୁଦେବପୁର ପଞ୍ଚାୟତ ଜାଲପୁର ଗ୍ରାମର ଚିହ୍ନଟ ବ୍ୟକ୍ତି କୋଲକାତା ଫେରନ୍ତା । ଏରବାଙ୍କ ପଞ୍ଚାୟତରେ ପୂର୍ବରୁ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ଇନ୍ଦାରୋଇ ଗ୍ରାମର ୫୫ବର୍ଷ ବ୍ୟକ୍ତିଙ୍କ ଝିଅ ହୋଇଥିବା ବେଳେ ଅନ୍ୟ ଜଣେ ଏରବାଙ୍କ ଗ୍ରାମର ପୂର୍ବରୁ ଚିହ୍ନଟ ହୋଇଥିବା ୬୨ ବର୍ଷ ବ୍ୟକ୍ତିଙ୍କ ଭାଇ । ଜାଲପୁର ଗ୍ରାମର ୩୭ ବର୍ଷୀୟ ସଂକ୍ରମିତ ଗତ ୬ ତାରିଖରେ କୋଲକାତାରୁ ଫେରିଥିଲେ । ପାଣିକୋଇଲିରେ ନାମ ପଞ୍ଜୀକରଣ କରିବା ପରେ ତାଙ୍କୁ ଯାଜପୁର ବ୍ଲକ୍ ମହେଶ୍ୱପୁର ପଞ୍ଚାୟତ କବିରପୁର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା । ୭ ତାରିଖ ଦିନ ତାଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ତାଙ୍କର ସ୍ୱାବ୍ ନମୁନା ରିପୋର୍ଟ ଆସିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଆଜି ଚିହ୍ନଟ ସମସ୍ତ ୫ଜଣ ସଂକ୍ରମିତଙ୍କୁ ଡୁବୁରୀସ୍ଥିତ ଟାଟା ମେଡିକା କୋଭିଡ୍ ହସ୍ପିଟାଲକୁ ପଠାଯାଇଛି ।
ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ସଂକ୍ରମଣ ପ୍ରତିରୋଧ ଅଞ୍ଚଳର ଅବଧି ବୃଦ୍ଧି କରାଯାଇଛି । ଜିଲ୍ଲାର ଦଶରଥପୁର ବ୍ଲକ୍ କଟିକଟା, ବିରଜାପୁର, ମହାନ୍ତିପାଟଣା, ଅକରପଡ଼ା ଓ ଦେଓପଡ଼ା ସଂକ୍ରମଣ ପ୍ରତିରୋଧ ଅଞ୍ଚଳରେ ମେ ୨୪ ତାରିଖ ସନ୍ଧ୍ୟା ୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons