ଦଳୀୟ ବାଛବିଚାର ନକରି ଲୋକଙ୍କ ସେବା କର:ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭୋଟ୍ଭିକ୍ଷା ବେଳେ ଯେମିତି ଆଚରଣ ଓ ବ୍ୟବହାର ପ୍ରଦର୍ଶନ କରୁଥିଲ, ଲୋକଙ୍କୁ ସେମିତି ବ୍ୟବହାର ଦେଖାଅ । କ୍ଷମତା ମୋହରେ ଅହଂକାର କି ଆତ୍ମବଡ଼ିମା ଦେଖାଅନିି । ସରଳ ଓ ନମ୍ର ହୁଅ । ଦଳୀୟ ରାଜନୀତିରୁ ଉଧ୍ୱର୍କୁ ଯାଇ ଜନସାଧାରଣଙ୍କ ସେବା କର । ଦେଇଥିବା ପ୍ରତିଶ୍ରୁତିକୁ ପାଳନ କର ।
ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ନବ ନିର୍ବାଚିତ ବିଧାୟକମାନଙ୍କୁ ଆଜି ଏମିତି ପାଠ ପଢ଼ାଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦଳୀୟ ବିଧାୟକମାନଙ୍କୁ ଏ ଗୁରୁମନ୍ତ୍ର ଦେବା ସହ ନିଜ ପ୍ରଥମ ବିଧାୟକ ଜୀବନର କାହାଣୀକୁ ବଖାଣିଥିଲେ ନବୀନ । ନିଜ ସଫଳତାର ରହସ୍ୟର ପେଡ଼ି ଖୋଲି ସେ କହିଲେ, ତୁମେ ଏବେ ତୁମ ନିର୍ବାଚନମଣ୍ଡଳୀର ବିଧାୟକ । ତୁମେ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳ ଅପେକ୍ଷା ସମସ୍ତ ଜନସାଧାରଣଙ୍କ ପ୍ରତି ଦାୟିତ୍ୱ ରହିଛି । ଦୁର୍ନୀତିଠାରୁ ଦୂରେଇ ରହି ଦଳୀୟ ବାଛବିଚାର ଛାଡ଼ି ତୁମେ ଯେ ପର୍ଯ୍ୟନ୍ତ ନିଷ୍ଠାର ସହ ଲୋକଙ୍କ କାମ କରି ଚାଲିବ, ଲୋକ ତୁମକୁ ଭୋଟ୍ ଦେଇ ବିଜୟୀ କରାଉଥିବେ ।
ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମାର୍ଦ୍ଧ ମଙ୍ଗଳବାର ସରିଲା । ଫୁରସତ୍ ନଦେଇ ନବୀନ ଦଳର ନବ ନିର୍ବାଚିତ ବିଧାୟକମାନଙ୍କୁ ନବୀନ ନିବାସ ଡାକିଥିଲେ । ବିଧାୟକମାନଙ୍କୁ ସରଳତା ଓ ନମ୍ରତାର ପାଠ ପଢ଼ାଇ ସେ କହିଲେ, ୨୦୦୦ ମସିହାରେ ମୁଁ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲି । ନିର୍ବାଚନ ପରେ ମୁଁ ମୋ ନିର୍ବାଚନ ମଣ୍ଡଳୀର ବିଡିଓମାନଙ୍କୁ ଡାକି କହିଲି, ଏବେ ନିର୍ବାଚନ ସରିଯାଇଛି । ମୁଁ ଏକ ଦଳର ନୁହଁ, ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକଙ୍କର ପ୍ରତନିିଧି । ଆପଣମାନେ କାର୍ଯ୍ୟକ୍ଷେତ୍ରରେ କୌଣସି ଭୟ କିମ୍ବା ଦଳୀୟ ଅନୁଗ୍ରହ ପ୍ରଦର୍ଶନ ନ କରି ସବୁ ଲୋକଙ୍କ ପାଇଁ କାମ କରନ୍ତୁ । ଦଳୀୟ ଭିତ୍ତିରେ କୌଣସି ବାଛ-ବିଚାର କରନ୍ତୁ ନାହିଁ । ବିଧାୟକ ଭାବେ ହେଉ ବା ମୁଖ୍ୟମନ୍ତ୍ରୀ ଭାବେ ହେଉ, ମୁଁ ସବୁ ବେଳେ ନିଷ୍ଠାର ସହ ଏହି ନୀତିକୁ ପାଳନ କରି ଆସୁଛି । ମୁଁ ଚାହୁଁଛି ଆପଣମାନେ ସବୁବେଳେ ଏହି ନୀତିକୁ ଅନୁସରଣ କରନ୍ତୁ ।
ବିଧାୟକମାନଙ୍କ ସମ୍ମୁଖରେ ବିଜୁବାବୁଙ୍କ ଉଦାହରଣ ରଖି ଯଦି ନବୀନ କହିଲେ, ଲୋକଙ୍କ ନେତା ଭାବେ ବିଜୁବାବୁଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ସେ ଦଳୀୟ ରାଜନୀତିରୁ ଉଧ୍ୱର୍କୁ ଯାଇ ସବୁ ବର୍ଗର ଲୋକମାନଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କ କେନ୍ଦ୍ରବିନ୍ଦୁରେ ସବୁବେଳେ ସାଧାରଣ ଲୋକ ରହୁଥିଲେ । ବିଜେଡି ମୁଖିଆ ଆହୁରି କହିଲେ, ମୁଁ ମୋ ଅନୁଭୂତିରୁ କହୁଛି, ଆପଣମାନେ ଯଦି ଦୁର୍ନୀତି ଠାରୁ ଦୂରରେ ରହି ଲୋକଙ୍କ ପାଇଁ କାମ କରନ୍ତି ତେବେ ବାରମ୍ବାର ନିର୍ବାଚିତ ହେଉଥିବେ । ଆଉ ଯଦି କେବଳ ନିର୍ବାଚନକୁ ଆଖିରେ ରଖି ଆପଣମାନେ କାମ କରନ୍ତି ତାହା ହେଲେ ବିପରୀତ ହେବ । ଲୋକମାନେ ଆମକୁ ଆଶୀର୍ବାଦ କରିଛନ୍ତି । ଆମେ ଲଗାତର ୫ମ ଥର କ୍ଷମତାକୁ ଆସିଛୁ । ଏଥିପାଇଁ ଆମେ ଲୋକଙ୍କ ନିକଟରେ କୃତଜ୍ଞ ରହିବାକୁ ନବୀନ ବେଶ ଭାବାବେଗର ସହ ପରାମର୍ଶ ଦେଇଥିଲେ ।
ବିଧାୟକମାନଙ୍କୁ ସରଳ ଜୀବନଯାପନର ପାଠ ପଢ଼ାଇ ନବୀନ କହିଲେ, ଲୋକମାନେ ସରଳତାକୁ ପସନ୍ଦ କରିଥାନ୍ତି । ଯଦି ଜଣେ ଅହଂକାରୀ ଓ ବିଳାସପୂର୍ଣ୍ଣ ଜୀବନ ଯାପନ କରେ ତେବେ ଏହା ସାଧାରଣ ଲୋକ ଏବଂ ପ୍ରତିନିଧିଙ୍କ ମଧ୍ୟରେ ଏକ ଦୂରତା ସୃଷ୍ଟି କରିବ । ଆମେ ଯେତେ ସରଳ ଓ ନମ୍ର ହେବା ଲୋକ ଆମକୁ ଭରସା କରିବେ । ଆପଣମାନେ ମୋ ପରାମର୍ଶକୁ ଗୁରୁମନ୍ତ୍ର ଭାବେ ଗ୍ରହଣ କରିବେ ବୋଲି ମୋର ଆଶା । ଲୋକମାନଙ୍କର ଆମ ଉପରେ ଥିବା ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିବା ପାଇଁ ବିଧାୟକମାନେ ନିର୍ବାଚନମଣ୍ଡଳୀରେ ରହି ନିୟମିତ ପରିଶ୍ରମ କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବସ୍ ଉଠ କରାଇବା ଘଟଣା ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି ବୋଲି ରାଜନୈତିକ ମହଲ ମନେ କରୁଛି । ତେଣୁ ନୂଆ ବିଧାୟକମାନଙ୍କୁ ଡାକି ନବୀନ ଏଭଳି ଟ୍ୟୁସନ କରିଛନ୍ତି । ନବୀନ ନିବାସରେ ଦୁଇଟି ପର୍ଯ୍ୟାୟରେ ନବୀନ ବିଧାୟକମାନଙ୍କୁ ଭେଟିଥିଲେ । ନୂଆ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେବା ପରେ ଦଳର ବରିଷ୍ଠ ବିଧାୟକ ଓ ନେତାମାନଙ୍କ ସହ ନବୀନ ପାଟକୁରା ଓ ବିଜେପୁର ଉପନିର୍ବାଚନ ନେଇ ମନ୍ତ୍ରଣା କରିଥିଲେ । ଆଗକୁ ପୌର ନିର୍ବାଚନ ଥିବାରୁ ବିଧାୟକମାନେ ନିଜ ଅଞ୍ଚଳରେ କିଭଳି ସଂଗଠନକୁ ଅଧିକ ସୁଦୃଢ଼ କରିବେ ତାହା ଉପରେ ଚର୍ଚ୍ଚା ହୋଇଥିଲା ।
କିଛି ମନ୍ତ୍ରୀ ଓ ବରିଷ୍ଠ ବିଧାୟକ ମଧ୍ୟ ନୂଆ ବିଧାୟକମାନଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ବିଧାୟକମାନେ ଦାମୀ ଗାଡ଼ି ଓ ସୁନା ଚେନ୍ ଲୋଭରୁ ନିଜକୁ ଦୂରେଇ ରଖିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଲୋକଙ୍କ ସହ ସରଳ ଭାବେ ମିଶି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ପହଞ୍ଚାଇବାକୁ ପରାମର୍ଶ ଦିଆଯାଇଥିଲା । ଯେଉଁଠି ତ୍ରୁଟି ବିଚ୍ୟୁତି ରହୁଛି ଦଳର ସଭାପତିଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons