ଆରମ୍ଭ ହେଲା ଯୁକ୍ତଦୁଇ ନାମଲେଖା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଯୁକ୍ତଦୁଇ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ଆରମ୍ଭ ହୋଇଛି । ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲରେ ପ୍ରଥମ ଦିନରେ ୩୧ ହଜାର ୪୦୪ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।
ବୁଧବାର ରାତି ୯ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ବିଜ୍ଞାନ, କଳା ଓ ବାଣିଜ୍ୟରେ ୩୦ ହଜାର ୩୨୯ ଜଣ ନାମ ଲେଖାଇଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ ୫୫୫ ଓ ସଂସ୍କୃତରେ ୫୨୦ ଜଣ ଛାତ୍ରଛାତ୍ରୀ ନାମ ଲେଖିଛନ୍ତି ।
ଅନ୍ୟପକ୍ଷରେ ନାମଲେଖାର ପ୍ରଥମ ଦିନରୁ ବିଭ୍ରାଟ ସୃଷ୍ଟି ହୋଇଛି । ସାମ୍ସ ୱେବସାଇଟ୍ର ସର୍ଭର ଧିମା ଚାଲୁଥିବାରୁ ଛାତ୍ରଛାତ୍ରୀମାନେ ଆଜି ଇଣ୍ଟିମେସନ୍ ଡାଉନ୍ଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବିଜେବି କଲେଜକୁ ନାମ ଲେଖିବାକୁ ଆସିଥିବା ବହୁ ଛାତ୍ରଛାତ୍ରୀ ଏହି ଅସୁବିଧା ପାଇଁ ନାମଲେଖାଇ ନପାରି ନିରାଶ ହୋଇ ଫେରିଥିଲେ । କେବଳ ଏହି କଲେଜ ନୁହେଁ ରାଜ୍ୟର ଅନ୍ୟ କେତେକ କଲେଜରେ ମଧ୍ୟ ଏଭଳି ସମସ୍ୟା ଦେଖା ଦେଇଥିବା ଅଭିଯୋଗ ଆସିଛି ।
ପ୍ରଥମ ପର୍ଯ୍ୟାୟ ନାମଲେଖା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୭ ତାରିଖରେ ସମସ୍ତ ଡାଟା ଇ-ସ୍ପେସ୍ରେ ଅପଡେଟ୍ ହେବ । ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ୧୨ ତାରିଖରେ ବାହାରିବା ସହିତ ଜୁଲାଇ ୧୨ରୁ ୧୬ତାରିଖ ମଧ୍ୟରେ ନାମଲେଖା ହେବ । ଏହାପରେ ବଳକା ସିଟ୍ଗୁଡିକରେ ସ୍ପଟ୍ ଆଡମିଶନ୍ ପାଇଁ ମେଧା ତାଲିକା ୨୦ରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ୨୨ ତାରିଖ ଦିନ ୨ଟା ବେଳେ କଲେଜରେ ଯାଇ ନିଜ ନାମ ପଞ୍ଜୀକରଣ କରିବେ । ସେହିଦିନ ୫ଟା ବେଳକୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଯାହାର ନାମଲେଖା ୨୪ରୁ ୨୬ ତାରିଖରେ ହେବ । ୨୯ ତାରିଖରେ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ । ନାମଲେଖା ସମ୍ପର୍କିତ ଅସୁବିଧା ପାଇଁ ଛାତ୍ରଛାତ୍ରୀମାନେ ନିକଟରେ ଥିବା ସାମ୍ସ ରିସୋର୍ସ ସେଣ୍ଟର୍ ଗୁଡିକରେ ଯୋଗାଯୋଗ କରିପାରିବେ । ନଚେତ ସଂଯୋଗ ହେଲପଲାଇନ୍ ଟୋଲ୍ ଫ୍ରି ନମ୍ବର(୧୫୫୩୩୫ କିମ୍ବା ୧୮୦୦-୩୪୫-୬୭୭୦)ରେ କଲ୍ କରିପାରିବେ ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ସମୁଦାୟ ୨୦୪୧ଟି ହାୟର ସେକେଣ୍ଡାରୀ ସ୍କୁଲରେ ୪ଲକ୍ଷ ୫୧ ହଜାର ୧୬୭ଟି ସିଟ୍ରେ ନାମଲେଖା ହେବ । କଳାରେ ସର୍ବାଧିକ ୨ଲକ୍ଷ ୩୬ହଜାର ୮୯୪ଟି ସିଟ୍ ଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୪୫ହଜାର ୮୨୨ ଓ ବାଣିଜ୍ୟରେ ୪୫ ହଜାର ୪୧୧ଟି ସିଟ୍ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons