କେନ୍ଦ୍ର ବଜେଟ୍କୁ ଯୁଗାନ୍ତକାରୀ କହିଲେ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆଜିର ବଜେଟ୍ ନୂଆ ଭାରତ ଓ ନୂଆ ଓଡ଼ିଶାର ମୂଳଦୁଆ ପକାଇବାର ବଜେଟ୍ । ଏ ବଜେଟ୍ ଭାରତବର୍ଷର ଚାଷୀ, ଯୁବକ, ମହିଳା, ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍ । ଲୋକସଭାରେ ବଜେଟ୍ ଉପସ୍ଥାପନ ପରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏହି ବଜେଟ୍ ଭବିଷ୍ୟତର ବଜେଟ୍ । ଆଗାମୀ ୧୦ ବର୍ଷରେ ଭାରତର ପ୍ରଗତିର ପ୍ରବାସ କେଉଁଭଳି ହେବ ଏହି ବଜେଟ ତା’ର ପ୍ରତିଫଳନ । ଗୋଟିଏ ନୂଆ ଭାରତ ଗଢ଼ିବାର ଯେଉଁ ପ୍ରତିବଦ୍ଧତା ଲୋକଙ୍କର ଭିତରେ ଅଛି, ବଜେଟ୍ରେ ତା ଉପସ୍ଥାପିତ ହୋଇଛି ।
ଦେଶର ସର୍ବାଧିକ ଲୋକଙ୍କର ଆର୍ଥିକ ଉନ୍ନତି, ସମସ୍ତଙ୍କୁ ମୌଳିକ ସୁବିଧା ତଥା ଘର, ବିଜୁଳି, ସ୍ୱଚ୍ଛ ଇନ୍ଧନ ନାଁରେ ଏଲପିଜି ସଂଯୋଗ, ଶୌଚାଳୟ, ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ, ଗ୍ରାମାଞ୍ଚଳରେ ଗମନାଗମନ ବ୍ୟବସ୍ଥା, ରୋଜଗାରର ବ୍ୟବସ୍ଥା, କୃଷି ଉତ୍ପାଦିତ ଜିନିଷର ବଜାରୀକରଣ ବ୍ୟବସ୍ଥା ଓ ଏସବୁ କ୍ଷେତ୍ରରେ ବଡ଼ ନିବେଶ ନେଇ ବଜେଟରେ ସ୍ପଷ୍ଟ ଚିତ୍ର ରହିଛି । ବଜେଟ୍ରେ ମଧ୍ୟମ ବର୍ଗର ଲୋକଙ୍କ ଉପରେ କୌଣସି ଅତିରିକ୍ତ କର ବୋଝ ନାହିଁ । ଏହା ଏକ ଯୁଗାନ୍ତକାରୀ ବଜେଟ୍ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବଜେଟ୍ରେ ଓଡ଼ିଶା ଭଳି ରାଜ୍ୟ ବିଶେଷ ଲାଭ ପାଇବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ୨୫ ହଜାର କିମି ରାସ୍ତା ତିଆରି ହେବ । ଏଥିରେ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଓଡ଼ିଶା ଏହାର ସିଂହ ଭାଗ ପାଇବ । ପାଖାପାଖି ୨ କୋଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ । ପିଇବା ପାଣି, ବିଜୁଳି, ଗ୍ୟାସ୍ ସଂଯୋଗ, ଶୌଚାଳୟ କାର୍ଯ୍ୟକ୍ରମ ଓ ମତ୍ସ୍ୟ ସମ୍ପଦକୁ ଜୋର ଦିଆଯିବ । ଓଡ଼ିଶାର ଭିତିଭୂମିରେ ଅଧିକ ନିବେଶ ହେବ । ସ୍ପେଶାଲ ଇନଭେଷ୍ଟମେଣ୍ଟ କରିଡର ହେବ । ସାଢ଼େ ୪୦୦ କିମି ଉପକୂଳ ଓଡ଼ିଶା ସବୁଠୁ ଏହାର ଲାଭ ପାଇବ । ୫ ଟ୍ରିଲିୟନ ଅର୍ଥନୀତିର ଯେଉଁ ଯୋଜନା ହୋଇଛି ଏଥିରେ ଓଡ଼ିଶାର ବଡ ଭୂମିକା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସଡ଼କ ତିଆରି ହେଲେ ଓଡ଼ିଶାର ନକ୍ସଲ ପ୍ରଭାବିତ ଅଞ୍ଚଳର ସବୁ ଗାଁରେ ରାସ୍ତା ତିଆରି ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବନିଲେ ନକ୍ସଲ ପ୍ରଭାବିତ ଅଞ୍ଚଳ ମଧ୍ୟ ପ୍ରାଥମିକତା ପାଇବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ କୋଟି ଘର ବନିଲେ ଓଡ଼ିଶା ଏହାର ଲାଭ ପାଇବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫୋନି’ ପ୍ରଭାବିତ ଅଞ୍ଚଳ ପାଇଁ ୫ ଲକ୍ଷ ଘର ମାଗିଥିବା ବେଳେ ଓଡିଶା ବଜେଟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସିଂହ ଭାଗ ଘର ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବିଗତ ଦିନରେ ଓଡ଼ିଶା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଖାପାଖି ୧୦ ଲକ୍ଷ ଘର ପାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମାଗିଥିବା ଘର ବାଦ୍ ଅଧିକ ଘର ଓଡ଼ିଶାକୁ ମିଳିବା ନିଶ୍ଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons