ବାଲିକୁଦା,(ବି.ବି.ନୁ୍ୟଜ୍): କରୋନା ଲକ୍ଡାଉନ୍ ସମୟରେ ଅନ୍ୟ ଏକ ମାନସିକ ଯନ୍ତ୍ରଣା ମାଡ଼ି ବସିଛି ଥାଇଳୋ ପଞ୍ଚାୟତ ଜଏଗାଁର ୧୯ ବର୍ଷର ପୁଅ କ୍ଷୀତିଶଙ୍କୁ । କ୍ଷୀତୀଶ ଗୁଜରାଟର ଗାନ୍ଧି ନଗରରୁ ବାପାଙ୍କ ମୃତୁ୍ୟ ଖବର ପାଇ ଗାଁକୁ ଫେରିଥିଲେ ମଧ୍ୟ ଆଜି ବାପା କୃଷ୍ଣଚନ୍ଦ୍ର ଦାସଙ୍କ ଦଶାହ କର୍ମରେ ସାମିଲ ହୋଇ ପାରିନାହାନ୍ତି ।
ଏହି ସମୟରେ ପଡେ଼ାଶୀ ତାଙ୍କୁ ପାଖରେ ମଧ୍ୟ ପୁରାଇ ଦେଇ ନଥିବା ଜଣା ପଡ଼ିଛି । ବାପାଙ୍କ କ୍ରିୟାକର୍ମରେ ଯୋଗଦେବାକୁ ଚାହିଁବାରୁ ବ୍ରାହ୍ମଣ ଓ ବାରିକ ନାକ ଟେକିଛନ୍ତି । ତାଙ୍କୁ ଛୁଇଁ କର୍ମ କରିବାକୁ ବ୍ରାହ୍ମଣ ଅରାଜି ହୋଇଥିବା ବେଳେ ଲଣ୍ଡା କରିବା ପାଇଁ ବାରିକ ମଧ୍ୟ ରୋକ୍ଠୋକ୍ ମନା କରି ଦେଇଛନ୍ତି । ଫଳରେ ବାପାଙ୍କ କର୍ମ ଚାଲିଥିବା ସ୍ଥାନରୁ ୧୦୦ ମିଟର ଦୂରରେ ଅଲଗା ଭାବେ ବାପାଙ୍କ ପାଇଁ ଲଣ୍ଡା ହୋଇ ବାପାଙ୍କ ପାଇଁ ନିଜର ଯଥା ସମ୍ଭବ କର୍ମ କ୍ରିୟା ସମ୍ପାଦନ କରିଛନ୍ତି କ୍ଷୀତିଶ । ରାତିରେ ଦଶ ହାଣ୍ଡିରେ ଖାଇବାରୁ ବଞ୍ଚିତ ରହିବାକୁ ପଡ଼ିଛି କ୍ଷୀତୀଶଙ୍କୁ । ବାପାଙ୍କ ଶେଷ ସମୟର ଖବର ପାଇ ଏକ ମାତ୍ର ପୁଅ କ୍ଷୀତିଶ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୁଦୂର ଗୁଜରାଟରୁ ଏକ କାର ଭଡ଼ାରେ ଆଣି ଗାଁକୁ ଫେରିଥିଲେ । ହେଲେ ଗାଁରେ ପହଞ୍ଚିବା ପୂର୍ବରୁ ବାପାଙ୍କର ମୃତୁ୍ୟ ହୋଇ ସାରିଥିଲା । ବାପାଙ୍କ ଶେଷ ଦର୍ଶନ କରି ପାରି ନଥିଲେ କ୍ଷୀତିଶ । ପୁଅ ବଦଳରେ ଝିଅ ବର୍ଷା ବାପାଙ୍କୁ ମୁଖାଗ୍ନି ଦେଇଥିଲେ । ପୁଅ ଗାଁରେ ପହଞ୍ଚିବା ପରେ ତାକୁ ପଞ୍ଚାୟତର ଟିଏମ୍ସିରେ ରହିବାକୁ ପଡ଼ିଥିଲା । ହେଲେ ସୋମବାର ବାପାଙ୍କ ଦଶାହ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । କ୍ଷୀତିଶ ଦଶ ତୁଠକୁ ଆସିଲେ ବ୍ରାହ୍ମଣ କର୍ମ କରିବାକୁ ମନା କରିଥିବା ବେଳେ ବାରିକ ମଧ୍ୟ ତାର କର୍ତ୍ତବ୍ୟ କରିବାକୁ ଅରାଜି ହୋଇଥିଲା । ଜଣେ ପ୍ରବାସୀଙ୍କ ମଣିଷପଣିଆ ପାଇଁ କ୍ଷୀତୀଶ କେବଳ ଦଶାହ କର୍ମ ପାଇଁ ପୋଖରୀ ଘାଟ ନିକଟକୁ ଆସିଥିଲେ । ସେଠାରେ ତାଙ୍କୁ ଲଣ୍ଡା କରିଥିଲେ ଟିଏମ୍ସିରେ ଥିବା ଅନ୍ୟତମ ପ୍ରବାସୀ ସୁବାଷ ବାରିକ । କ୍ଷୀତିଶଙ୍କ ସହିତ ଟିଏମ୍ସିରେ ଥିବା ତାଙ୍କ ଦାଦା ଦେବେନ୍ଦ୍ର ମଧ୍ୟ ଅଲଗା ସ୍ଥାନରେ ଭାଇଙ୍କ ଦଶାହରେ ଖିଅର ହୋଇ ଦଶାହ କର୍ମ ପାଳନ କରିଥିଲେ ।
Comments are closed, but trackbacks and pingbacks are open.