ପୁରୀ, (ବି.ବି.ନୁ୍ୟଜ୍): ଶନିବାର ରଥର ଚକ ସହ ଅଖ ସଂଯୁକ୍ତ କରାଯାଇ ଚକା ଡେରା କାର୍ଯ୍ୟ ସମ୍ପନ୍ନ ହୋଇଛି । ତାଳଧ୍ୱଜ ରଥର ୧୪ ଚକ ସହିତ ୭ ଅଖ, ନନ୍ଦିଘୋଷ ରଥର ୧୬ ଚକ ସହିତ ୮ ଅଖ ଓ ଦର୍ପଦଳନ ରଥର ୧୨ ଚକ ସହ ୬ ଅଖ ସଂଯୁକ୍ତ ହୋଇ ଚକା ଡେରା କାମ ସରିଛି । ଚକ ଗଡ଼ି ନ ଯିବା ପାଇଁ ଚକର ଉଭୟ ପାଶ୍ୱର୍ରେ ବନ୍ଧ ଲାଗିଛି । ସେହିଭଳି ଅଖ ତଳେ ଦିଆଯାଇଛି ମେଣ୍ଢି । ରଥ ନିର୍ମାଣ ଶେଷ ପରେ ମେଣ୍ଢି ଓ ବନ୍ଧ ହଟିବ । ବିଶ୍ୱକର୍ମାଙ୍କ ନିଦେ୍ର୍ଧଶ କ୍ରମେ ଭୋଇସେବକମାନେ ଏହି କାର୍ଯ୍ୟ କରଛନ୍ତି ।
ଦେବସ୍ନାନ ପୂର୍ଣ୍ଣିମାରେ ରଥରେ ଚାରି ନାହାକା ଉଠିବାର ପରମ୍ପରା ରହିଛି । ବିଶ୍ୱକର୍ମାମାନେ ଚକରେ ଦାଗ ଦେଇ ନମ୍ବରିଂ କରିଥିଲେ । ସେହି ଅନୁସାରେ ଭୋଇସେବକମାନେ ନିଜସ୍ୱ କୌଶଳରେ ଚକରେ ଅଖ ସଂଯୁକ୍ତ କରି ଚକ, ଅଖ ଡେରା ବିଧି ସମ୍ପନ୍ନ କରିଥିଲେ । ନଗଡ଼ିଯିବା ପାଇଁ ଚକର ଦୁଇ ପାଶ୍ୱର୍ରେ ଗଛ ଗଡ଼ ଦେଇ ରୋକାଯାଇଛି । ବନ୍ଧ ଭାବେ ଆମ୍ବଗଛର ଡାଳ ରଖାଯାଇଛି । ଅସନ ଓ ଧଉରା କାଠରେ ମେଣ୍ଢି ତିଆରି ହୋଇଛି । ଅଖ ଉପରେ ରହିବ ରଥର ଭାରା । ରଥର ବିଭିନ୍ନ ଅଂଶ ସହ ଶତାଧିକ ନିର୍ମାଣକାରୀ ରଥକୁ ଚଢିବେ । ମେଣ୍ଢି ଢେରା ଦିଆଯିବାଦ୍ୱାରା ଅଖରେ ଚାପ ଓ ଭାରା କମିବ । ଭୋଇ ସର୍ଦ୍ଧାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଅପରାହ୍ନ ସୁଦ୍ଧା ତିନି ରଥର ଚକ-ଅଖ ଡେରା ସରିଛି ।
ପ୍ରଥମ ଭୂଇଁ ଚଉତା କାଠ ଚଉପଟ ହୋଇ ସାଲ ହେବା ସହ ବିନ୍ଧ ଅନୁକୂଳ ହୋଇଛି । ଭୂଇଁ କାଠ କରତ କଳରୁ ଚିରଟ ହୋଇ ଆସିଛି । ରଥ ଅମିନଙ୍କ ତତ୍ତା୍ୱବଧାନରେ ଭୋଇ ସେବକମାନେ ଭୂଇଁ କାଠକୁ ବିଶ୍ୱକର୍ମାଙ୍କ ଜିମା ଦେଇଛନ୍ତି । ଭୂଇଁ ଚଉତାରେ ସାଲ ଓ ବିନ୍ଧ କରାଯାଉଛି । ପ୍ରଥମ ଭୂଇଁର ୬ କାଠ, ଦ୍ୱିତୀୟ ଭୂଇଁରେ ୮ କାଠ ଓ ତୃତୀୟ ଭୂଇଁରେ ୪କାଠ ଲାଗିଥାଏ । ତାଳଧ୍ୱଜ ରଥର ପ୍ରଥମ ଭୂଇଁ କାଠ ମାପ ସାଢେ ୯ହାତ, ନନ୍ଦିଘୋଷ ରଥର ୧୦ ହାତ ଓ ଦର୍ପଦଳନ ରଥ ପ୍ରଥମ ଭୂଇଁ କାଠ ମାପ ୯ହାତ । ଦ୍ୱିତୀୟ ଭୂଇଁ ୮ଟି କାଠ ମଧ୍ୟରେ ତାଳଧ୍ୱଜ ରଥ କାଠ ମାପ ସାଢେ ୮ହାତ, ନନ୍ଦିଘୋଷ ରଥ କାଠ ମାପ ୯ହାତ ଓ ଦର୍ପଦଳନ କାଠ ମାପ ୮ହାତ । ୩ୟ ଭୂଇଁ ୪କାଠ ଭିତରେ ତାଳଧ୍ୱଜ ରଥ କାଠ ମାପ ସାଢେ ୭ହାତ, ନନ୍ଦିଘୋଷ ରଥ କାଠ ମାପ ୮ହାତ ଓ ଦର୍ପଦଳନ ରଥ କାଠ ମାପ ୭ହାତ । ଗରଗରା କାଠ ହଣା ହୋଇ ବିନ୍ଧ ଚାଲିଛି । ନିରାଡ଼ିରେ ବିନ୍ଧ ହେବ । ଦଣ୍ଡା କାମ ହୋଇ ଫ୍ରେମ୍ ତିଆରି ସରିଛି । ଅଖ ଉପରେ ଦଣ୍ଡା, ତା’ଉପରେ ଗରଗରା, ଏହା ଉପରେ ଚାରି ନାହାକା ଉଠିବ । ଚାରି ନାହାକା ଓ ଚଉଦ ନାହାକା ଉପରେ ଭୂଇଁ ଟୁଙ୍ଗୁରା ହେବ । ରୂପକାର ସେବକମାନେ ନାଟଗୋଡ଼ରେ ରାହୁମୂର୍ତ୍ତି ଖୋଦେଇ କରୁଛନ୍ତି । ବିଶ୍ୱକର୍ମାମାନେ ପୋଲ ଗୟଳ ଓ ଛନ୍ଦା ଗୟଳ ବାରିସିରେ ହାଣି ଚଉପଟ କରୁଛନ୍ତି । କରତି ସେବକମାନେ ଦୋଳବେଦି ପରିସରରେ ଦର୍ପଦଳନ ରଥର ବଡ଼ ପୋଲ ଗୟଳ ଚିରଟ କରୁଛନ୍ତି । ଅସ୍ଥାୟୀ ଶାଳରେ ଓଝା ସେବକମାନେ ଆବଶ୍ୟକ ପରିମାଣର ଦଣ୍ଡା କଣ୍ଟା, ଗୟଳ କଣ୍ଟା ଓ ଗୋଡ଼ିଛାଲ କଣ୍ଟା ପ୍ରସ୍ତୁତ କରୁଛନ୍ତି । ଥର୍ମାଲ ସ୍କି୍ରନିଂ କରାଯାଇ ସବୁ ନିର୍ମାଣକାରୀ ସୁସ୍ଥ ଥିବା ଏପିଆର୍ଓ ଜିତେନ୍ଦ୍ର ମହାନ୍ତି କହିଛନ୍ତି ।
Comments are closed, but trackbacks and pingbacks are open.