ଭିଜିଲାନ୍ସ ଜାଲରେ ସିଡିଭିଓ: କାର୍ରୁ ମିଳିଲା ୪ ଲକ୍ଷ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ଭିଜିଲାନ୍ସ ଜାଲରେ ପଡିଛନ୍ତି ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (ସଡିଭିଓ) ଡାକ୍ତର ଅଭୟ କୁମାର ତ୍ରିପାଠୀ । ତାଙ୍କ କାର୍ରୁ ମିଳିଛି ୩ ଲକ୍ଷ ୯୧ ହଜାର ଟଙ୍କା । ଉକ୍ତ ଟଙ୍କା ତାଙ୍କ ନାଁ ଆଉ କାହାର? ଯଦି ଟଙ୍କା ତାଙ୍କର ତା’ହେଲେ ପ୍ରମାଣ କ’ଣ ଅଛି ଅଛି ବୋଲି ଭିଜିଲାନ୍ସ ବାଲେଶ୍ୱର ଡିଭିଜନ୍ର ଅଧିକାରୀମାନେ ତାଙ୍କୁ ପଚାରିଥିଲେ । ହେଲେ ଅଭୟ କିଛି ଉତ୍ତର ଦେଇ ପାରିନଥିଲେ । ଫଳରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲେ ।
ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ ଡା ଶ୍ରୀ ତ୍ରିପାଠୀ ତାଙ୍କ ଅଧସ୍ତନ କର୍ମଚାରୀଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ଆଦାୟ କରିଥିଲେ । ଏ ବାବଦରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ କିଛି କର୍ମଚାରୀ । ଏହା ପରେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ଡା. ଶ୍ରୀ ତ୍ରିପାଠୀଙ୍କ ଗତିବିଧି ଉପରେ କଡ଼ା ନଜର ରଖୁଥିଲେ । ଶୁକ୍ରବାର ସକାଳେ ଡା ଶ୍ରୀ ତ୍ରିପାଠୀ ବାରିପଦାରୁ ଏକ କାର (ଓଡି ୧୧ ଆର ୮୪୪୪)ରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଭିଜିଲାନ୍ସ ଟିମ୍ ତାଙ୍କୁ ବେତନଟୀ ଠାରେ ସକାଳ ୮ଟା ୧୫ମିନିଟ ସମୟରେ ବେତନଟୀ ବଡସାହି ରାସ୍ତାର ହାଟପଦା ନିକଟରେ ଧରିଥିଲା । କାର୍ରୁ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ କରିଥିଲେ । ପାଞ୍ଚଟି ଲଫାଫା ଭିତରେ ଏହି ଟଙ୍କା ଥିବା ବଳେ ଟଙ୍କାକୁ ଏକ ହ୍ୟାଣ୍ଡବ୍ୟାଗ ଭିତରେ ରଖା ଯାଇଥିଲା । ଏତେ ଟଙ୍କା କେଉଁଠୁ ଆସିଲା ସେ ନେଇ ତାଙ୍କୁ ବେତନଟୀସ୍ଥିତ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ରଖି ଜେରା କରାଯାଇଥିଲା ମାତ୍ର ସେ କୌଣସି ପ୍ରକାରର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ଡା. ଶ୍ରୀ ତ୍ରିପାଠୀ । ପରେ ତାଙ୍କୁ ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ନେଇ ଭିଜିଲାନ୍ସର ଅଧିକାରୀ ମାନେ ପଚରାଉଚୁରା କରିବା ସହ କାର୍ଯ୍ୟାଳୟରେ ଖାନତଲାସ ଆରମ୍ଭ କରିଥିଲେ ।
ସେପଟେ ମୁଖ୍ୟପ୍ରାଣୀ ଚିକିତ୍ସାଧିକାରୀଙ୍କ ବାରିପଦା ମଧୁବନ ନିକଟସ୍ଥ ରାଣୀ ସତୀ ମନ୍ଦିର ନିକଟରେ ଥିବା ଭଡା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରା ଯିବା ସହ ଆଉ ଏକ ଟିମ୍ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜୟଦେବ ବାଟିକାରେ ଥିବା ବାସଭବନରେ ରେଡ କରାଯାଇଥିଲା । ତେବେ ଭିଜିଲାନ୍ସ ଡା ଶ୍ରୀ ତ୍ରୀପାଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବଳେ ଅଧିକ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ପ୍ରଦାନ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons