ଆଖିବୁଜିଲେ କରୋନା ସଂକ୍ରମିତ ବୃଦ୍ଧ

Get real time updates directly on you device, subscribe now.

ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ କଟାପାଲି ଗାଁର କରୋନା ସଂକ୍ରମିତ ୭୬ ବର୍ଷିୟ ବୃଦ୍ଧଙ୍କ ମୃତୁ୍ୟ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିବା ପରେ ବରଗଡ଼ରେ ଆତଙ୍କ ଖେଳିଯାଇଛି । ଅନ୍ୟପକ୍ଷରେ କଟାପାଲିରେ ଆଜି ପୁଣି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଗାଁରେ ସଂକ୍ରମିତଙ୍କ ସଂଖ୍ୟା ୧୦କୁ ଛୁଇଁଛି । ସଂକ୍ରମିତଙ୍କ ମଧ୍ୟରୁ ତିନିଜଣ କରୋନା ଯୋଦ୍ଧା ସାମିଲ ଥିବା ସୂଚନା ମିଳିଛି । ଗତକାଲି ସଂକ୍ରମିତ ବୃଦ୍ଧଙ୍କ ପରଲୋକ ଘଟିଥିବା ସମୟରେ ବରାହଗୋଡ଼ା ଶ୍ମଶାନରେ କୋଭିଡ୍ ନିୟମ ପାଳନ କରାଯାଇ ତାଙ୍କ ଅନ୍ତେ୍ୟଷ୍ଟି ସମ୍ପନ୍ନ କରାଯାଇଛି । ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏବଂ ନିÂା ପରିବାର ସହଯୋଗରେ ଏହା ସମ୍ପାଦିତ ହୋଇଛି । ବଡ଼ପୁଅ ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ଜଣେ ନାତି ଏହି ଅବସରରେ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ପଶ୍ଚିମାଞ୍ଚଳରେ କରୋନାର ପ୍ରଥମ ଶିକାର ଏହି ବୃଦ୍ଧ ଜଣକ ତାଙ୍କ ସାନପୁଅଙ୍କ ଠାରୁ ସଂକ୍ରମିତ ହୋଇଥିବା ବେଳେ କ୍ରମାଗତ ଭାବେ ତାଙ୍କ ସ୍ତ୍ରୀ ଓ ନାତୁଣୀ ମଧ୍ୟ ଏଥିରେ ସଂକ୍ରମିତ ହୋଇଥିଲେ । ସ୍ତ୍ରୀ ଓ ନାତୁଣୀ ବରଗଡ଼ କୋଭିଡ଼ କେୟାର ସେଣ୍ଟରରେ ବର୍ତ୍ତମାନ ଚିକିିତ୍ସିତ ଥିବା ବେଳେ ପୁଅକୁ କଟକ ସ୍ଥାନାନ୍ତର କରାଯାଇଛି ।
ସେହିପରି ବରଗଡ଼ ଜିଲ୍ଲାରେ ଆଜି ପୁଣି ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ କରୋନା ଯୋଦ୍ଧା ଏଥିରେ ସାମିଲ ଅଛନ୍ତି । ଏମାନେ ସମସ୍ତେ କଟାପାଲି ଲିଙ୍କରେ ସଂକ୍ରମିତ ହୋଇଥିବାରୁ ଜିଲ୍ଲାର ସ୍ଥିତିକୁ ନେଇ ଆତଙ୍କ ଖେଳିଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି ଜାରି କରିଥିବା ବୁଲେଟିନ ପରେ ବରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୬କୁ ପହଞ୍ଚିଛି । ତେବେ ୬୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣକ ମୃତୁ୍ୟ ହୋଇସାରିଥିବା ବେଳେ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଏବେ ୪୭ ଜଣ ଚିକିତ୍ସାଧିନ ଥିବା ସୂଚନା ମିଳିଛି । ତନ୍ମଧ୍ୟରୁ କୋଭିଡ଼ କେୟାର ସେଣ୍ଟରରେ ୩୭ ଜଣ ଭର୍ତ୍ତି ଥିବା ବେଳେ କୋଭିଡ଼ ହସ୍ପିଟାଲରେ ଅବଶିଷ୍ଟ ଚିକିତ୍ସିତ ହେଉଛନ୍ତି ।
ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ମତେ, ରବିବାର ଜଣାପଡ଼ିଥିବା ଜିଲ୍ଲାର ୧୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ପଦ୍ମପୁର ଏନ୍ଏସି ଅଞ୍ଚଳରୁ ୨, ଭଟଲି ବ୍ଲକରୁ ୫ ଓ ବରଗଡ଼ ବ୍ଲକରୁ ୭ ଜଣ ଅନ୍ତର୍ଭୁକ୍ତ ଅଛନ୍ତି । ଦିଲ୍ଲୀରୁ ଫେରି ପଦ୍ମପୁର ଏନ୍ଏସିର କ୍ୱାରେଣ୍ଟାଇନରେ ଥିବା ୩୬ ଓ ୩୮ ବର୍ଷିର ଦୁଇଜଣ ପୁରୁଷଙ୍କ ରିପୋର୍ଟ ଆଜି ପଜିଟିଭ ଆସିଛି । ସେହିଭଳି ସିକନ୍ଦରାବାଦ ଓ ରାୟପୁରରୁ ଆସିଥିବା ଭଟଲି ବ୍ଲକର ମୁଲବାର ଟିଏମ୍ସିରେ ଥିବା ୨୩ ବର୍ଷର ଜଣେ ମହିଳା ଓ ୩୦ ବର୍ଷର ପୁରୁଷ ସଂକ୍ରମିତ ଥିବା ଜଣାପଡ଼ିଥିବା ବେଳେ ଭଟଲି ବ୍ଳକ କମଗାଁ ହୋମ୍ କ୍ୱାରେଣ୍ଟାଇନରେ ଥିବା ୩୨ ବର୍ଷିଆ ମହିଳା ଓ ୩୪-୩୫ ବର୍ଷିଆ ଦୁଇ ଜଣ ପୁରୁଷ ସଂକ୍ରମିତ ଥିବା ବେଳେ କମ୍ଗାଁ ସଂକ୍ରମିତ କଟାପାଲି କଣ୍ଟାକ୍ଟରୁ ଆସିଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ।
ସେହିଭଳି କଟାପାଲି ଗାଁରୁ ୫୨, ୫୫, ୬୦, ୬୩ ବର୍ଷିଆ ୪ ଜଣ ପୁରୁଷ ସଂକ୍ରମିତ ହୋଇଥିବା ବେଳେ ସଭିଏଁ ପୂର୍ବ ପଜିଟିଭ ସଂସ୍ପର୍ଶରେ ଆସିଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଭାବେ ଜିଲ୍ଲାରୁ ପ୍ରଥମ କରି ୩ ଜଣ କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଭିଏଁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ କଟାପାଲି ଲିଙ୍କରୁ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି । ଉପରୋକ୍ତ ତିନି ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଜଣେ ବରଗଡ଼ ପୌରାଞ୍ଚଳର, ଜଣେ ପାଇକମାଲର ଓ ତୃତୀୟ ବ୍ୟକ୍ତି ଜଣକ କଟାପାଲି ଗାଁ ବାସିନ୍ଦା ଥିବା ବେଳେ ସଭିଏଁ କଟାପାଲି ସିଏଚ୍ସିରେ କାମ କରୁଥିବାରୁ ପୂର୍ବ ସଂକ୍ରମିତଙ୍କ କଣ୍ଟାକ୍ଟରୁ ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ସଙ୍ଗରୋଧ କେନ୍ଦ୍ରରୁ ଯାଇ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି ।
ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସପିଟାଲ ସ୍ଥାନାନ୍ତର କରାଯାଇଛି । ସମ୍ପୃକ୍ତ ଅଞ୍ଚଳମାନଙ୍କୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇ ନିକଟରେ ଥିବା ଜନପଦମାନଙ୍କୁ ବଫରଜୋନରେ ରଖାଯାଇଛି । ରାପିଡ଼ ରେସପନ୍ସ ଟିମ୍ଙ୍କୁ ପଠାଯାଇ କଣ୍ଟାକ୍ଟ ଟ୍ରେସିଂ ଜାରି ଥିବା ବେଳେ ଅଞ୍ଚଳଗୁଡ଼ିକୁ ସେନିଟାଇଜ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସେହିଭଳି ଅବରୋଧ ଅଞ୍ଚଳମାନଙ୍କରେ ପ୍ରଶାସନ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଲାଗିଥିବାରୁ ସମସ୍ତଙ୍କୁ ସତର୍କତା ପଦକ୍ଷେପ ସବୁ ଆପଣାଇ କରୋନା ସଂକ୍ରମଣ ରୋକିବା ଦିଗରେ ସହାୟକ ହେବାକୁ ପରାମର୍ଶ ଦେଇଥିବା ଜିଲ୍ଲା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ କଲ୍ୟାଣୀ ଦାଶଙ୍କଠାରୁ ଜଣାପଡ଼ିଛି । କରୋନା ଆକ୍ରାନ୍ତ ମୃତକ ୭୬ ବର୍ଷୀୟ ବୃଦ୍ଧ ଜଣକ ପୂର୍ବରୁ ମଧୁମେହ ଆକ୍ରାନ୍ତ ଥିବା ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons