ଚିକିତ୍ସାଧୀନ ଅବସ୍ଥାରେ କଏଦୀର ମୃତୁ୍ୟ

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ସବ୍ ଜେଲ୍ର ଜଣେ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି । ମୃତକ ଜଣକ ନୀଳଗିରି ଥାନା ଅଧୀନ ଅଯୋଧ୍ୟା ବାଲିପାଳ ଶାସନର ମାଗା ସିଂ ଓରଫ୍ ରାଜୁ । ହଠାତ୍ ଗୁରୁତର ହେବାରୁ ରବିବାର ରାତିରେ ମାଗାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତୁ୍ୟ ହୋଇଛି । ଏ ଖବର ପ୍ରଚାର ପରେ ପ୍ରତାପପୁର, ବାଲିପାଳ ତଥା ଆଖପାଖ ଗ୍ରାମର ଲୋକେ ଅଯୋଧ୍ୟା ଫାଣ୍ଡି ଘେରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବାରୁ ନୀଳଗିରି ଥାନା ଆଇଆଇସି ମିନତି ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ରାତି ୮ଟାରେ ଉତ୍ତ୍ୟକ୍ତ ଲୋକେ ପୁଲିସ ଫୋର୍ସ ଉପରକୁ ପଥର ମାଡ଼ କରିବାରୁ ଜଣେ କନେଷ୍ଟବଳଙ୍କ ମୁଣ୍ଡ ଫାଟିଛି ।
ସୂଚନା ଅନୁସାରେ ନୀଳଗିରି ଥାନା ଅଧୀନ ଅଯୋଧ୍ୟା ବାଲିପାଳ ଶାସନର ଜଣେ ଡାକ୍ତରଙ୍କ ଘରୁ ଚୋରି ହୋଇଥିବା ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ବାଲିପାଳ ଶାସନର ବିଦ୍ୟାଧର ପଣ୍ଡାଙ୍କ ପୁଅ ସତ୍ୟରଞ୍ଜନ ପଣ୍ଡା ଡାକ୍ତର । ଦୀର୍ଘବର୍ଷ ଧରି ଗାଁ ଛାଡ଼ି ସେ ରେମୁଣା ସ୍ଥିତ ବାସଭବନରେ ରହି ଆସୁଥିଲେ । ଏହି ସୁଯୋଗରେ ବାଲିପାଳରେ ଥିବା ଡା. ପଣ୍ଡାଙ୍କ ପୁରୁଣା ଘରୁ ଆସବାବପତ୍ର, ବାସନକୁସନ, ପାଣି ପମ୍ପ, ଫ୍ୟାନ୍ ଓ ଅନ୍ୟ ବିଦୁ୍ୟତ୍ ସାମଗ୍ରୀ ଆଦି ଚୋରି ହୋଇଥିଲା । ଖବରପାଇ ସେହି ଅଞ୍ଚଳର ମାଗା ସିଂ, ନର ସିଂଙ୍କୁ ସନେ୍ଦହ କରି ଅଯୋଧ୍ୟା ଫାଣ୍ଡିରେ ଲିଖିତ ଅଭିଯୋଗ ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଏହି ୨ ଜଣଙ୍କ ସମତ ଦିଲ୍ଲୀପ ସିଂଙ୍କୁ ଫାଣ୍ଡିରେ ଅଟକ ରଖିବା ସହ ଚୋରି ସାମଗ୍ରୀ ଜବତ କରିଥିଲା । ପରେ ଚୋରି ଅଭିଯୋଗରେ ଅଟକ ୩ ଜଣ ସମେତ ନରହରି ସିଂ(ନୀର) ଓ ବାଇଧର ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତେ ଜେଲ୍ ଯାଇଥିଲେ । ରବିବାର ରାତି ୯ଟାରେ ପ୍ରତାପପୁର ଗାଁର ରାଜୁ ଓରଫ୍ ମାଗା ସିଂ ହଠାତ ଗୁରୁତର ହୋଇପଡ଼ିଥିଲା । ବାତ ଭଳି ରୋଗ ବାହାରିବାରୁ ଜେଲ୍ କର୍ତ୍ତୃପକ୍ଷ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ସେଠାରୁ ମାଗାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମାଗାଙ୍କ ମୃତୁ୍ୟ ହୋଇଛି । ଏହି ଖବର ପ୍ରଚାର ପରେ ପ୍ରତାପପୁର ତଥା ଆଖପାଖ ଗାଁର ଲୋକେ ଅଯୋଧ୍ୟା ଫାଣ୍ଡି ଘେରିଛନ୍ତି । ମୃତକଙ୍କ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ହେବାକୁ ଦେଇନାହାନ୍ତି । ଗ୍ରାମବାସୀଙ୍କ କହିବା କଥା ଯେ, ମାଗା ସୁସ୍ଥ ଅବସ୍ଥାରେ ଜେଲ୍ ଯାଇଥିବା ବେଳେ ମୃତୁ୍ୟ ହେଲା କିପରି? ଏଣୁ ଅଯୋଧ୍ୟା ଫାଣ୍ଡିକୁ ଜିଲ୍ଲାପାଳ, ଏସ୍ପି ସମେତ ଉଚ୍ଚ ପଦାଧିକାରୀମାନେ ଆସି ଆଲୋଚନା କରନ୍ତୁ । ସେମାନେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ ହେବ ନାହିଁ ଏବଂ ଆମେ ଅଯୋଧ୍ୟା ଫାଣ୍ଡି ଘେରାଉରୁ ଓହରିବୁ ନାହିଁ । ଅନ୍ୟପଟେ ମୃତ କଏଦୀ ମାଗାଙ୍କ ପତ୍ନୀ ବାସନ୍ତୀ ସିଂ ଆଜି ମଧ୍ୟାହ୍ନରେ ବାଲେଶ୍ୱର ଏସ୍ପି ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଏବଂ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ।
ରାତି ୮ଟାରେ ଉତ୍ତ୍ୟକ୍ତ ଲୋକେ ପୁଲିସ ଫୋର୍ସ ଉପରକୁ ପଥର ମାଡ଼ କରିଥିଲେ । ଏଥିରେ ଓଏସ୍ଏପି କନେଷ୍ଟବଳ ତ୍ରିଲୋଚନ ଜେନାଙ୍କ ମୁଣ୍ଡ ଫାଟିଛି । ଖବର ଲେଖା ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଲୋକେ ଫାଣ୍ଡି ଘେରିଥିବା ବେଳେ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons