ଜୀବନ ଯୁଦ୍ଧରେ ହାରିଗଲେ ଅନାଥ ରୁକ୍ସାନା

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ପ୍ରଶାସନର ସହାୟତାକୁ ଅପେକ୍ଷା କରି କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଗୌଡ଼ସାହିର ଅନାଥ ରୁକ୍ସାନା ବାନୋ(୧୯) । ଦୀର୍ଘ ୫ ବର୍ଷ ଧରି ସେ ଅଜଣା ରୋଗରେ ଶଯ୍ୟାଶାୟୀ ଥିଲେ । ଅର୍ଥାଭାବରୁ ଚିକିତ୍ସା ସୁବିଧା ନପାଇ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ଯନ୍ତ୍ରଣାର ଶଯ୍ୟାରେ । ସାନ ଭଉଣୀ ରେଶମା ବାନୋ(୧୭) ଯୁକ୍ତ ୨ ପାଠରେ ଡୋରି ବାନ୍ଧିବା ସହ ପରଘରେ ଅଇଁଠା ବାସନ ମାଜି ତାଙ୍କ ସେବା କରୁଥିଲେ । ‘ଜୀବନ ଯୁଦ୍ଧରେ ଅନାଥ ଦୁଇ ଭଉଣୀ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ କେତେକ ସ୍ଥାନୀୟ ନେତା ପହଞ୍ଚିଥିଲେ ରୁକ୍ସାନାଙ୍କ ଘର ଚନ୍ଦାହାଣ୍ଡି ବ୍ଲକ୍ର ଗୌଡ ସାହିରେ । କେବଳ ପ୍ରତିଶ୍ରୁତି ଦେଇ ଫେରି ଆସିଥିଲେ । କିନ୍ତୁ ଆଡ ଆଖିରେ ଚାହିଁନଥିଲା ପ୍ରଶାସନ । ରୁକ୍ସାନାଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା କରିନଥିଲା । ୫ ବର୍ଷ ଧରି ଖଟିଆ ଉପରେ ପଡି ପଡି ରୁକ୍ସାନାଙ୍କ ଶରୀରର ଅଧା ଅଂଶ ଘା ଘଉଡ଼ ହୋଇ ନଷ୍ଟ ହୋଇଗଲା । ଶେଷରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଆଖି ବୁଜିଦେଲେ ସେ । ତାଙ୍କ ମୃତୁ୍ୟରେ ଏତେବଡ଼ ଦୁନିଆରେ ପୂରା ଏକା ହୋଇଯାଇଛନ୍ତି ରେଶ୍ମା । ଆଗକୁ କିମ୍ବା ପଛକୁ ଆଉ କେହି ନାହାନ୍ତି ।
ସୂଚନାଥାଉକି, ପକ୍ଷାଘାତରେ ଆକ୍ରାନ୍ତ ହୋଇ ୧୦ ବର୍ଷ ତଳେ ଆରପାରିକୁ ଚାଲିଯାଇଥିଲେ ସେମାନଙ୍କ ବାପା ମହମ୍ମଦ ରଫିକ୍ । ତାଙ୍କ ମୃତୁ୍ୟ ପରେ ମାଆ ବିଲ୍କି ବାଇ ଦୁଇ ଝିଅଙ୍କୁ ପାଠ ପଢାଇବା ଲାଗି ଅହରହ ଅକ୍ଳାନ୍ତ ପରିଶ୍ରମ କରୁଥିଲେ । କିନ୍ତୁ ୨ ବର୍ଷ ତଳେ କର୍କଟ ରୋଗ ତାଙ୍କ ଜୀବନ ନେଇଗଲା । ତା ପରଠୁ ଅଭାବ ଅନଟନରେ ବୁଡ଼ି ରହିଥିବା ଏହି ପରିବାରର ରେଶମା ଓ ରୁକ୍ସାନାଙ୍କ ଉପରେ ଦୁଃଖର ପାହଡ଼ ଲଦି ହୋଇଯାଇଥିଲା । ମାଆଙ୍କ ମୃତୁ୍ୟ ପୂର୍ବରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇସାରିଥିଲେ ରୁକ୍ସାନା । ୧୯ ବର୍ଷ ବୟସରେ ଦେଖାଯାଉଥିଲେ ଶିଶୁଟିଏ ଭଳି । ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁନଥିଲେ । ରନ୍ଧାବଢାଠାରୁ ଆରମ୍ଭ କରି ତାଙ୍କୁ ଗାଧୋଇଦେବା, ଖୁଆଇବା ଇତ୍ୟାଦି ଯାବତୀୟ କାମ କରୁଥିଲେ ରେଶ୍ମା ।
ସରକାରୀ ସହାୟତା କହିଲେ ୨ ଭଉଣୀଙ୍କୁ ମିଳୁଥିଲା ମାସକୁ ୧୦ କେଜି ଚାଉଳ । ଆଉ ରୁକ୍ସାନାଙ୍କୁ ମାସିକ ଦିବ୍ୟାଙ୍ଗ ଭତ୍ତା କେଇଟା । ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇନଥିଲା ପ୍ରଶାସନ । ନିଜର ବୋଲି ଥିବା ଘର ଖଣ୍ଡିକ ମାଟିରେ ମିଶିଯିବା ପରେ ସମ୍ପର୍କୀୟଙ୍କ ବଖୁରିଏ ଘରେ ପଲିଥିନ୍ ଟାଣି ଦୟନୀୟ ଜୀବନ ବିତାଉଥିଲେ ସେମାନେ । ରୁକ୍ସାନାଙ୍କ ଚିକିତ୍ସା ପାଇଁ ହାତରେ ଟଙ୍କାଟିଏ ନଥିଲା । ଗରିବ ଏବଂ ଅନାଥଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ଥିବା ସତ୍ତେ୍ୱ ଦୁଇଭଉଣୀଙ୍କ ଭାଗ୍ୟରେ ଘର ଖଣ୍ଡିଏ ମିଳିନଥିଲା । ଏମିତିକି ୫ ବର୍ଷ ଧରି ରୁକ୍ସାନା ରୋଗରେ ପଡ଼ି ଛଟପଟ ହୋଇଥିଲେ ବି ତାଙ୍କ ଚିକିତ୍ସା ପାଇଁ ପ୍ରଶାସନ ସହାୟତାର ହାତ ବଢାଇ ନଥିଲା । ପ୍ରଶାସନର ଏଭଳି ଅମାନବିକତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଦାବି କରାଯାଇଛି, ସରକାର ଏହାର ନିରପେକ୍ଷ ତଦନ୍ତ କରନ୍ତୁ । ରୁକ୍ସାନାଙ୍କ ମୃତୁ୍ୟ ପାଇଁ ଯେଉଁ ଅଧିକାରୀମାନେ ଦାୟୀ, ସେମାନଙ୍କ ବିରୋଧରେ ନିଆଯାଉ ଦୃଢ କାର୍ଯ୍ୟାନୁÂାନ । ଏଥିସହ ରେଶ୍ମାଙ୍କ ଥଇଥାନ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯାଉ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons