ନଈରେ ବୁଡ଼ି ନାବାଳିକାଙ୍କ ମୃତୁ୍ୟ

Get real time updates directly on you device, subscribe now.

ବାଲିକୁଦା,(ବି.ବି.ନୁ୍ୟଜ): ଭାଇ-ଭଉଣୀମାନେ ମିଶି ଖୁସି ମନରେ ମୋବାଇଲ୍ରେ ଟିକ୍ଟକ୍ ଭିଡିଓ ସୁଟ୍ କରିବାକୁ ଯାଇଥିଲେ । ତେବେ ନଦୀକୂଳରେ ଭିଡିଓ ସୁଟ୍ କରିବା କାଳ ହେଲା । ଭିଡିଓ ସୁଟିଂ ବେଳେ ଅଘଟଣ ଘଟି ମାଛଗାଁ ଦେବୀ ନଈରେ ବୁଡ଼ିଯାଇ ଜଣେ ନାବାଳିକାଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ତିନି ଭାଇ, ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣାଟି ଘଟିଛି ବାଲିକୁଦା ଥାନା ଅଧୀନ ମାଛଗାଁ ପଞ୍ଚାୟତ ମଙ୍ଗପୁର ଗାଁରେ ।
ମୃତକ ହେଲେ ଜଗତସିଂହପୁର ଥାନା ରାଇବରେଇ ଗାଁର ନିତ୍ୟାନନ୍ଦ ନାୟକଙ୍କ ଝିଅ ପୂଜା ନାୟକ (୧୪) । ଗୁରୁତରମାନେ ହେଲେ ଦେପଡ଼ା ଗାଁର ପ୍ରସାଦ ପରିଡ଼ାଙ୍କ ୧୩ ବର୍ଷର ପୁଅ ଅମରେଶ ଓ ୧୫ ବର୍ଷର ଝିଅ ପ୍ରଜ୍ଞା ଏବଂ ନାଉଗାଁ ଥାନା ଓଷକଣା ଗାଁର ଅବିନାଶ ସ୍ୱାଇଁଙ୍କ ୧୪ ବର୍ଷର ଝିଅ ନିଲମ୍ ସ୍ୱାଇଁ । ତିନି ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ୧୦୮ ଆମ୍ୱୁଲାନ୍ସରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥା ଉଦ୍ବେଗଜନକ ଥିବାରୁ ପୁଣି ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଦିନ ଶ୍ରୀଗୁଣ୍ଡିଚା ଅବସରରେ ବାଲିକୁଦା ଥାନା ମାଛଗାଁ ପଞ୍ଚାୟତ ମଙ୍ଗପୁର ଗାଁର ପ୍ରଭାତ ଜେନାଙ୍କର ଘର ଛାତ ପଡୁଥିଲା । ମାମୁ ଘର ଛାତ ପଡୁଥିବାରୁ ଭଣଜା, ଭାଣିଜୀମାନେ ବୁଲି ଆସିଥିଲେ । ଉକ୍ତ ୪ ଭାଇ-ଭଉଣୀ ନଦୀ କୂଳକୁ ଯାଇ ମୋବାଇଲରେ ଟିକ୍ଟକ୍ ଭିଡିଓ ସୁଟିଂ କରୁଥିଲେ । ଅସାବଧାନତା ହେତୁ ପୂଜା ଆଗ ନଦୀ ଭିତରକୁ ଖସି ପଡ଼ିଥିଲେ । ପୂଜାଙ୍କୁ ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ ନଦୀ ଭିତକୁ ପଶିଥିଲେ । ନଈ ସୁଅରେ ତିନି ଜଣ ଭାସି ଯାଉଥିବା ଦେଖି ନିଲମ୍ ଫୋନ୍ କରି ମାମୁ ଘର ଲୋକଙ୍କୁ ଡାକିଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିଜେ ମଧ୍ୟ ନଦୀ ଭିତରକୁ ପଶିଯାଇଥିଲେ । ନଦୀର ସ୍ରୋତରେ ନିଲମ ମଧ୍ୟ ଭାସି ଯାଇଥିଲେ । ନିଲମ୍ଙ୍କ ଫୋନ ପାଇ ନଦୀ କୂଳକୁ ଧାଇଁ ଆସିଥିଲେ ମାମୁଘର ଲୋକେ । ନଦୀ କୂଳରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଥିଲେ । ଇତିମଧ୍ୟରେ ବାଲିକୁଦା ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା । ଦମକଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ନବଘନ ମଲ୍ଲିକଙ୍କ ନେତୃତ୍ୱରେ ଆଗ୍ନିକ ଗୌତମ ସାହୁ, ଭାଗ୍ୟଧର ମଲ୍ଲିକ, ବିଭୁତି ପରିଡ଼ା, ଅଶୋକ ନାୟକ, ଗାଡ଼ି ଚାଳକ ସୟଦ ନୱାଜ୍ ଅହମ୍ମଦ୍ ପ୍ରମୁଖ ପହଞ୍ଚି ଗୁରୁତର ଆହତ ଅବସ୍ଥାରେ ଉକ୍ତ ୪ ଜଣଙ୍କୁ ବାଲିକୁଦା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ମାତ୍ର ସେତେବେଳକୁ ପୂଜାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ତାଙ୍କୁ ଡାକ୍ତର ରଜତ କୁମାର ରାଉତ ମୃତ ଘୋଷଣା କରିଥିଲେ । ଅମରେଶ ଓ ପ୍ରଜ୍ଞାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ନିଲମ୍ ଏବେ ବାଲିକୁଦା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଘଟଣାଟି ଅଞ୍ଚଳରେ ଶୋକ ଖେଳାଇ ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons