ସଇଁତଲା,(ବି.ବି.ନୁ୍ୟଜ୍)): ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ନିକଟ ଗୋପବନ୍ଧୁ ପଡାର ରାଜୁ ସିଂ ଦୋରାଙ୍କ ଘରେ ଭଡା ରହୁଥିବା ଜିଓ କମ୍ପାନିର ଜନୈକ କର୍ମଚାରୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ବନ୍ଦ କୋଠରୀରରୁ ସନେ୍ଦହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ ନୟାଗଡ ଜିଲ୍ଲା ଶିକାରାଡା ଗାଁର ଅବକାଶ ପରିଡ଼ା ସଇଁତଲା ଅଞ୍ଚଳରେ ଥିବା ଜିଓ କମ୍ପାନିରେ ରିଗର ଭାବରେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ସେ ବଙ୍ଗୋମୁଣ୍ଡା ବ୍ଲକରେ କାମ କରୁଥିଲେ । ସେଠାରେ କାମ କରୁଥିବା ବେଳେ ବଙ୍ଗୋମୁଣ୍ଡା ଅଞ୍ଚଳର ଜନୈକ ଯୁବତୀଙ୍କୁ ଭଲ ପାଉଥିଲେ । ପରବର୍ତ୍ତି ସମୟରେ ଯୁବତୀ ଜଣକ ଅନ୍ୟତ୍ର ବାହା ହୋଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ଅବକାଶ ଯୁବତୀଙ୍କ ଫଟୋ ସବୁ ନିଜ ଫେସବୁକରେ ଛାଡ଼ିବା ସହିତ ତାଙ୍କୁ ଅନେକ ସମୟରେ ଫୋନ କରୁଥିଲେ । ଏହାକୁ ନେଇ ଯୁବତୀଙ୍କ ପରିବାର ଲୋକେ ମୃତକଙ୍କୁ ନାନା ଧମକଚମକ ଦେଉଥିଲେ ବୋଲି ତାଙ୍କ ମାଁ ପ୍ରକାଶ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ଅବକାଶଙ୍କ ବାଇକ ଘର ବାହାରେ ଥିବା ଦେଖି ଘର ମାଲିକଙ୍କ ପୁଅ ତାଙ୍କ କୋଠରିକୁ ଯାଇଥିଲେ । ହେଲେ ଅବକାଶଙ୍କ କୋଠରିଟି ଭିତର ପଟୁ ବନ୍ଦ ଥିବାରୁ ବାରମ୍ବାର ଡାକ ପକାଇଥିଲେ । ହେଲେ କବାଟ ନଖୋଲିବାରୁ ସେ କବାଟ ସନ୍ଧିରେ ଭିତର ପଟକୁ ଦେଖିବାରୁ ଅବକାଶ ମୁହଁମାଡି ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏଣୁ ସନେ୍ଦହ ହେବାରୁ ସେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ସ୍ଥାନୀୟ ପୁଲିସକୁ ଜଣାଇଥିଲେ । ଏହା ପରେ ପୁଲିସ ଘଟଣା ସ୍ଥଳକୁ ପହଞ୍ଚିି ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ମୃତଦେହ ଜବତ କରିଥିଲେ । ଘଟଣା ସ୍ଥଳରୁ ପୁଲିସ କିଛି ମଦ ବୋତଲ ଓ ଏକ ଚିଠି ଜବତ କରିଛି । ମୃତକଙ୍କ ମାଁଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଆଜି ସକାଳେ ବଲାଙ୍ଗିରରୁ ଏକ ସାଇଣ୍ଟିଫିକ ଟିମ ଆସି ଛାନଭିନ କରିଥିଲା । ଶବ ଜବତ କରି ବଲାଙ୍ଗିରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସଇଁତଲା ଥାନା ଏସଆଇ ସଙ୍ଗିତା ବେକ ଘଟଣାର ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.