ସମ ହସ୍ପିଟାଲରେ ହେବ କୋଭିଡ ଭ୍ୟାକ୍ସିନର ପରୀକ୍ଷା

Get real time updates directly on you device, subscribe now.

ଭୁବନେଶ୍ୱର: ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ଭ୍ୟାକ୍‌ସିନ୍‌ର ପରୀକ୍ଷଣ। ମଣିଷ ଉପରେ ପରୀକ୍ଷଣ ଲାଗି ଇଣ୍ଡିଆନ୍‌ କାଉନସିଲ୍‌ ଫର୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମନୋନୀତ ଦେଇଛି। ଦେଶର ୧୩ ହସ୍ପିଟାଲ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ସମ୍ ହସ୍ପିଟାଲ ମନୋନୀତ ହୋଇଛି। ଏହି ସୂଚନା ଦେଇଛନ୍ତି ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷ।
ସେହିପରି ଓଡ଼ିଶାରେ କୋଭିଡ‌୍‍-୧୯ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ଲାଜ‌୍‍ମା ଥେରାପିର ପ୍ରୟୋଗ ନିମନ୍ତେ ମନୋନୀତ ହୋଇଥିବା ଚାରୋଟି ହସ୍ପିଟାଲ୍‌‍ ମଧ୍ୟରେ ସମ୍‌ ରହିଛି। କୋଭିଡ୍‌-୧୯ ମହାମାରୀ ଦ୍ୱାରା ଉଦ୍ଭବ ପରିସ୍ଥିତି ଓ ଜନସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇପଡ଼ିଥିବା ଭ୍ୟାକସିନ‌୍‍ର ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଇସିଏମଆର ପକ୍ଷରୁ ସମ‌୍‍ ହସ୍ପିଟାଲ‌୍‍କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ ଏହାର ପ୍ରମୁଖ ପରୀକ୍ଷକ ଭାବେ ଦାୟିତ୍ୱ ତୁଲାଇବେ।
ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ‌୍‍ ଅଫ ଭିରୋଲଜି ପକ୍ଷରୁ କରୋନା ଭାଇରସ୍‌କୁ ପୃଥକ କରାଯାଇଥିଲା। ଏହା ପରେ ଭାଇରସ୍‌ର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ‌୍‍ ପ୍ରସ୍ତୁତ କରଯାଉଛି। ଆଇସିଏମ୍‌ଆର୍‌ ଓ ଭାରତ ବାୟୋଟେକ ମିଳିତ ଭାବେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି। ଡ୍ରଗ୍‌ କଂଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଓ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି।୧୬୦୦ ଶଯ୍ୟା ବିଶିଷ୍ଟ ଓ ୪୦ଟି ବିଭାଗ ଥିବା ସମ୍‌ ହସପିଟାଲ ହେଉଛି ଓଡ଼ିଶାର ଏକମାତ୍ର ଡାକ୍ତରୀ ଅନୁଷ୍ଠାନ, ଯାହା ଆଇସିଏମଆର ପକ୍ଷରୁ ଏହି ଭ୍ୟାକସିନ‌୍‍ ପରୀକ୍ଷଣ ନେଇ ମନୋନୀତ ହୋଇଛି।
ସେହିପରି ପ୍ଲାଜମା ଥେରାପି ମାଧ୍ୟମରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରୁ ଆଂଟିବଡି ସଂଗ୍ରହ କରାଯାଇ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରାଯିବ। ହସ୍ପିଟାଲ‌୍‍ର ମେଡିସିନ ବିଭାଗର ପ୍ରଫେସର ଡ. ଚନ୍ଦନ ଦାସ ଏହି ପ୍ଲାଜମା ଥେରାପିର ଦାୟିତ୍ୱ ତୁଲାଇବେ।
ଆଇଏମଏସ ଆଣ୍ଡ ସମ‌୍‍ ହସପିଟାଲ‌୍‍ ପକ୍ଷରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର, କେନ୍ଦ୍ରାପଡା ଓ ତାଳଚେରରେ ତିନୋଟି କୋଭିଡ-୧୯ ହସ୍ପିଟାଲ ସ୍ଥାପିତ କରାଯାଇଛି। ସେଠାରେ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons