ଭୁବନେଶ୍ୱର: ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୫ମାସ ବୃଦ୍ଧି କରାଯିବା ଗରିବ ଓଡ଼ିଆଙ୍କ ପାଇଁ ସଞ୍ଜିବନୀ ସଦୃଶ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଜଣାଇଛି।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ କିମ୍ବା ଗହମ ଓ ପରିବାରକୁ ୧ କିଲୋ ଡାଲି ଆସନ୍ତା ୫ ମାସ ପର୍ୟ୍ୟନ୍ତ ଯୋଗାଇ ଦିଆଯିବ। ଏଥିପାଇଁ କେନ୍ଦ୍ର ସରକାର ୯୦ ହଜାର କୋଟି ବ୍ୟୟ ବରାଦ କରିବେ। ଏହା ଦ୍ୱାରା ଓଡ଼ିଶାର ଜନତା ଅଧିକ ଉପକୃତ ହେବେ। ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨ ଲକ୍ଷ ୯୮ ହଜାର ୫ ଶହ ୮୨ ପରିବାରର ୩ କୋଟି ୨୪ ଲକ୍ଷ ୭୩ ହଜାର ୩ଶହ ୭୦ ଜଣ ହିତାଧିକାରୀ ଏହାର ଲାଭ ଉଠାଇ ପାରିବୋ କରୋନା ସମୟରେ ଯେଉଁମାନେ ଖାଦ୍ୟ ସୁରକ୍ଷା ସାମିଲ ହୋଇପାରିନାହାଁନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କରୋନା ଭଳି ଘଡ଼ିସନ୍ଧି ମୁହୁର୍ତରେ ଗରିବ ଲୋକମାନେ କଷ୍ଟରେ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ସଞ୍ଜିବନୀ ସଦୃଶ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଏକ ମହତ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜୀବନ ଏବଂ ଜୀବିକାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାରେ ବସବାସ କରୁଥିବା ଗରିବ ଖଟଖିଆ ଲୋକଙ୍କୁ ନଭେମ୍ବର ମାସ ପର୍ୟ୍ୟନ୍ତ ଖାଦ୍ୟ ମିଳିବ। କେହି ବି ଯେପରି ଭୋକରେ ନରହିବେ ତାହା ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା। ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ଏବଂ ଗରିବ କଲ୍ୟାଣ ଅନ୍ନ ଯୋଜନାର ସଂପ୍ରସାରଣ ଗରିବ କଲ୍ୟାଣ ପ୍ରତି ମୋଦି ସରକାରଙ୍କ ସମର୍ପଣ ଭାବନାକୁ ଦର୍ଶାଉଛି। ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଭାରତ ଗରିବ ତଥା ସମାଜର ସବୁ ସ୍ତରର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତିକରଣ କରିବାର ପ୍ରୟାସକୁ ସଫଳତାର ସହ ଆୟୋଜନ କରାଯାଇଛି। ଲୋକାଲ ପାଇଁ ଭୋକାଲ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢ଼ିବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟ ସରକାର ଲୋକମାନଙ୍କୁ କିପରି ସୁଚାରୁରୂପେ ଡାଲି ଯୋଗାଇ ଦେବେ ସେନେଇ ବ୍ୟବସ୍ଥା କରିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏବଂ ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.