ଚୋରାଚାଲାଣ ପ୍ରସ୍ଥାନ ପଥ ପାଲଟିଛି ରେଢ଼ାଖୋଲ

Get real time updates directly on you device, subscribe now.

ରେଢାଖୋଲ,(ବି.ବି.ନୁ୍ୟଜ୍): ଦଶନ୍ଧି ଦଶନ୍ଧି ଧରି ଓଡିଶାର ଅର୍ଥନୀତିକୁ କେନ୍ଦୁପତ୍ର ନିୟନ୍ତ୍ରିତ କରି ଆସିଛି । ହେଲେ ସବୁଜ ହୀରା ଭାବେ ପରିଚିତ କେନ୍ଦୁପତ୍ର ଉପରେ ନିର୍ଭରଶୀଳ ତୋଳାଳୀରୁ ଆରମ୍ଭ କରି ବିଡି ଶ୍ରମିକ ଏବଂ ସିଜ୍ନାଲ୍ କର୍ମଚାରୀଙ୍କ ପର୍ଯ୍ୟନ୍ତ ଜୀବିକା ବିପନ୍ନ ହେବାରେ ଲାଗିଛି । ଗୋଟିଏ ପଟେ, ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇପାରୁନଥିବା ବେଳେ ଅନ୍ୟପଟେ ମାଫିଆଙ୍କ ବ୍ୟାପକ ଚୋରାଚାଲାଣ ଯୋଗୁଁ ସରକାର ରାଜସ୍ୱ ହରାଉଥିବା ବେଳେ ତୋଳାଳୀ ଓ କର୍ମଚାରୀଙ୍କ ପେଟପାଟଣା ସଙ୍କଟରେ ପଡୁଛି । ପଶ୍ଚିମ ଓଡିଶାର ପ୍ରବେଶ ପଥ ଭାବେ ପରିଚିତ ରେଢଖୋଲ ବର୍ତ୍ତମାନ କେନ୍ଦୁପତ୍ର ଚୋଲାଚାଲାଣର ପ୍ରସ୍ଥାନ ପଥ ଭାବେ ପରିଣତ ହେଲାଣି । ରେଢାଖୋଲ ଉପଖଣ୍ଡରେ ପୁଣି ଥରେ ସକ୍ରିୟ ହୋଇଉଠିଥିବା ମାଫିଆ କାରବାର ଏବେ ଚିନ୍ତାର କାରଣ ହେଲାଣି ।
ସମ୍ବଲପୁର ଜିଲ୍ଲାର ଅଣଜଳସେଚିତ, ଶିଳ୍ପବିହୀନ ଅଂଚଳ ଭାବେ ପରିଚିତ ରେଢାଖୋଲ ଉପଖଣ୍ଡର ଜନସାଧାରଣଙ୍କର ବିଶେଷ କରି ଧାନ ଚାଷ ପରେ କେନ୍ଦୁପତ୍ର ହିଁ ଆର୍ଥିକ ରୋଜଗାରର ଅନ୍ୟ ଏକ ମାଧ୍ୟମ ଅଟେ । ଉପଖଣ୍ଡରେ ବିଭିନ୍ନ ସମୟରେ ମରୁଡି, ହାତୀ ଓ ବନ୍ୟଜନ୍ତୁଙ୍କ ଉପଦ୍ରବ, ରୋଗ ପୋକ ପାର୍ଦୃଭାବରେ ଚାଷୀ ବିପୁଳ କ୍ଷତିର ସମ୍ମୁଖୀନ ହୋଇ ଆସୁଛନ୍ତି । ଏଭଳି ସ୍ଥିତିରେ କେନ୍ଦୁପତ୍ର ହିଁ ପରିବାର ପ୍ରତିପୋଷଣରେ ବିଶେଷ ଭାବେ ସହାୟକ ହୋଇଥାଏ । ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ପତ୍ର ପିଛା ୬ପଇସା ପ୍ରଦାନ କରାଯିବା ସହିତ ବୋନସ୍ ଓ ପୁଅ ଝିଅ ମାନଙ୍କ ଶିକ୍ଷା ସମେତ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥାଏ । ଆଉ ଏହି ସବୁ ସହାୟତା ସରକାର କେନ୍ଦୁପତ୍ରରୁ ଆଦାୟ ହେଉଥିବା ଲାଭାଂଶରୁ ଦେଇଥାନ୍ତି । ହେଲେ ଏବର୍ଷ ଲକ୍ ଡାଉନ୍ ସହ ବିଭିନ୍ନ କାରଣରୁ କେନ୍ଦୁପତ୍ର ସଂଗ୍ରହ ନୈରାଶ୍ୟଜନକ ରହିଛି ।
ଗତ ୨୦୧୯ ରେ ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନରେ କେନ୍ଦୁପତ୍ର ସଂଗ୍ରହ ପାଇଁ ୧୨କୋଟି ୯୨ ଲକ୍ଷ ୮୧ ହଜାର ୫୮୦ ଟଙ୍କ ଖର୍ଚ୍ଚ କରାଯାଇଥିଲା । ସଂଗୃହୀତ କେନ୍ଦୁପତ୍ରକୁ କ୍ୱିଣ୍ଟାଲ ପିଛା ୨୦ ରୁ ୨୫ ହଜାର ଟଙ୍କା ମୂଲ୍ୟରେ ୧୯କୋଟି ୩୮ଲକ୍ଷ ୫୬ ହଜାର ୯୯୬ ଟଙ୍କା ବିକ୍ରିରେ ବିକ୍ରି କରାଯାଇ ୬ କୋଟି ୪୫ଲକ୍ଷ ୭୫ ହଜାର ୪୧୬ ଟଙ୍କା ଫାଇଦା ହୋଇଛି । ହେଲେ ଚଳିତବର୍ଷ ଡିଭିଜନର ୯ ଟି ରେଂଜ ଅଂଚଳର ତୋଳାଳୀମାନଙ୍କ ଠାରୁ ୧୪ ହଜାର କ୍ୱିଣ୍ଟାଲ ଓ ପ୍ରଜାମାନଙ୍କ ଠାରୁ ୧୫ ଶହ କ୍ୱିଣ୍ଟାଲ ଜି.ଏଲ କେନ୍ଦୁପତ୍ର କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ, ଲକ୍ ଡାଉନ୍ କଟକଣା ସାଙ୍ଗକୁ ଅଦିନିଆଁ ବର୍ଷା ଯୋଗୁଁ ଏହି ଡିଭିଜନରେ ଗୋଛା କଟେଇରେ ୭୫ ପ୍ରତିଶତ ଲକ୍ଷ୍ୟ ହାସଲ କରିପାରିଥିବା ବେଳେ କେନ୍ଦୁପତ୍ର କ୍ରୟରେ ୬୫.୮୨ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇଥିବା ଡିଏଫଓ ଶୁଭଦତ୍ତ ଚଂପତିରାଏ ପ୍ରକାଶ କରିଛନ୍ତି । ତେବେ ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ପାଇଁ ଜିଏଲ୍ ପତ୍ର କ୍ରୟକୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ସେ ସୂଚନା ଦେଇଛନ୍ତି ।
ଅପରପକ୍ଷେ, ଉପଖଣ୍ଡରେ ଉତ୍ପାଦିତ ହେଉଥିବା ସମସ୍ତ କେନ୍ଦୁପତ୍ରକୁ ତୋଳାଳୀଙ୍କ ଠାରୁ ସଂଗ୍ରହ କରାଯାଇ ପାରୁନଥିବା ବେଳେ ଏହାର ସୁଯୋଗ ନେଇ ମାଫିଆ ମାନେ ଗ୍ରାମାଞ୍ଚଳରେ ସମାନ୍ତରାଳ ଭାବେ ଏଜେଣ୍ଟ ଓ ଦଲାଲ ନିଯୁକ୍ତ କରିଥିବା ସୂଚନା ମିଳିଛି । ଆଉ ଏହି ଏଜେଣ୍ଟ ଓ ଦଲାଲ ଜରିଆରେ କେନ୍ଦୁପତ୍ର ତୋଳାଳୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ କେନ୍ଦୁପତ୍ର ସଂଗ୍ରହ କରି ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ କରି ଆସୁଥିବା ଅଭିଯୋଗ ହେଉଛି । ଚାହିଦା ସତ୍ତେ୍ୱ ସରକାରୀସ୍ତରରେ କେନ୍ଦୁପତ୍ର ସଂଗ୍ରହ ହୋଇପାରୁନଥିବାରୁ ମାଫିଆମାନେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରି ମାଲେମାଲ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଉପଖଣ୍ଡରେ ଅନେକ ଦୁର୍ଗମ ଇଲାକା ରହିଥିବା ବେଳେ ସେହି ଅଞ୍ଚଳରେ ବର୍ତ୍ତମାନ ଦଲାଲଙ୍କ ମାଧ୍ୟମରେ ଚୋରାଚାଲାଣ ପାଇଁ କେନ୍ଦୁପତ୍ର ବିଡା ବନ୍ଧା କାମ ଜାରି ରହିଛି । ଆଉ ରାଜପଥରେ ଥିବା ସମସ୍ତ ତନଖି ଫାଟକ ଉଠିଯିବା ପରେ ମାଫିଆମାନେ ଅଚିରେ ରେଢାଖୋଲରୁ ରାଜ୍ୟ ବାହାରକୁ ଏହି ସବୁଜ ହୀରା ଚୋରାଚାଲାଣ କରିବାରେ ସଫଳ ହେଉଛନ୍ତି । ଗତ କିଛିଦିନ ହେଲା ଚୋରାଚାଲାଣ କାରବାର ବେଶ୍ ବୃଦ୍ଧି ପାଇଥିବା ସୂଚନା ମିଳୁଛି ।
ବିଭାଗର ନିରବତାର ସୁଯୋଗ ନେଇ ମାଫିଆ ଏହି କାରବାର ଜାରି ରଖିଥିବା ବେଳେ କାଁ ଭାଁ ଚଢାଉ ଧର୍ମକୁ ଆଖିଠାର ବୋଲି କୁହାଯାଉଛି । ଏପରିକି ବିଭିନ୍ନ ଗାଡି ମଟର ସମେତ ଟ୍ରେନ୍ରେ ବି ଚୋରାଚାଲାଣ ନିୟମିତ ଘଟଣାରେ ପରିଣତ ହେଲାଣି । ତେବେ, ଗତ କିଛି ବର୍ଷ ପୂର୍ବରୁ ପୁଲିସ ପକ୍ଷରୁ ଧରପଗଡକୁ ଜୋରଦାର କରାଯାଇ ମାଫିଆଙ୍କୁ ଗିରଫ କରାଯାଇଥିବାରୁ ଚୋରାଚାଲାଣ କିଛିା ବନ୍ଦ ପଡିଥିଲା । ହେଲେ ଗତବର୍ଷ ଠାରୁ ପୁଣି ଚୋରି ବଢିଛି ।
ଗତ ୨୦୧୯ ମାର୍ଚ୍ଚରୁ ଗତ ମାସ ୨ ତାରିଖ ମଧ୍ୟରେ ଡିଭିଜନ୍ ମଧ୍ୟରେ ମାତ୍ର ୭ ଥର ଚଢାଉ ହୋଇଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଥିଲା । ଏହାଛଡା ବିପୁଳ ପରିମାଣର କେନ୍ଦୁପତ୍ର ଜବତ ହୋଇଛି । ହେଲେ ବାସ୍ତବରେ ପ୍ରତିଦିନ ରେଢାଖୋଲରୁ ବିଭିନ୍ନ ଅଞ୍ଚଳକୁ ଅବାଧରେ ବିଭିନ୍ନ ଯାନବାହନରେ ଚୋରାଚାଲାଣ ହେଉଥିଲେ ହେଁ ଏହାକୁ ରୋକିବାରେ ବିଭାଗ ବିଫଳ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons