ଧର୍ମଶାଳା,(ବି.ବି.ନୁ୍ୟଜ୍): ଗତକାଲି ମଧ୍ୟରାତ୍ରରେ ଧର୍ମଶାଳା ଥାନା ଅନ୍ତର୍ଗତ ସାରଙ୍ଗ ତିରଣପୁର ଗ୍ରାମର ଶିକ୍ଷୟିତ୍ରୀ ତରୁଲତା ମଲ୍ଲିକଙ୍କୁ କେତେକ ଦୁର୍ବୃତ୍ତ ଘରେ ପଶି ନିର୍ମମ ଭାବେ ହତ୍ୟା କରିଛନ୍ତି । ତରୁଲତାଙ୍କ ସ୍ୱାମୀ ଓ ଝିଅ (୧୭) ମଧ୍ୟ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ମଧ୍ୟରାତ୍ରରେ ଏଭଳି ବିଭତ୍ସ କାଣ୍ଡ ଘଟାଇ ଦୁର୍ବୃତ୍ତ ଖସି ପଳାଇଥିବା ବେଳେ, ପୁଲିସ୍ ୩ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡ ପଛରେ ଏକ ତରଫା ପ୍ରେମ ରହିଥିବାର ପୁଲିସ୍ ସନେ୍ଦହ କରୁଛି ।
ପୁଲିସର ପ୍ରାଥମିକ ତଦନ୍ତରୁ ପ୍ରକାଶ, ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ଥାନାର ସାରଙ୍ଗତିରଣପୁର ଗ୍ରାମର ଏକ ଭଡ଼ାଘରେ ଶିକ୍ଷୟିତ୍ରୀ ତରୁଲତା ମଲ୍ଲିକ ୨୦ ବର୍ଷ ତଳୁ ପରିବାର ସହ ରହି ଆସୁଛନ୍ତି । ରବିବାର ମଧ୍ୟରାତ୍ରରେ ଦୁର୍ବୃତ୍ତମାନେ ଘର ପଛପଟୁ ପ୍ରବେଶ କରିଥିଲେ । ତରୁଲତା ଓ ତାଙ୍କ ସ୍ୱାମୀ ନିତ୍ୟ ରଂଜନ ମଲ୍ଲିକ ଗୋଟିଏ ବଖରାରେ ଶୋଇଥିବା ବେଳେ ଝିଅ ଅନ୍ୟ ଏକ କୋଠରୀରେ ଶୋଇଥିଲେ । ଦୁର୍ବୃତ୍ତ ବାଡ଼ିପଟ ବିଦୁ୍ୟତ୍ ବଲ୍ବକୁ ଖୋଲି ଘର ପଛକୁ ଅନ୍ଧାର କରିଥିଲେ । ତରୁଲତା କିଛି ଶବ୍ଦଶୁଣି ଶୋଇବା ଘରୁ ବାହାରିଥିଲେ । ସେତେବେଳକୁ ଜଣେ ଦୁର୍ବୃତ୍ତ ଘର ଭିତରେ ପ୍ରବେଶ କରିଥିବା ବେଳେ, ଅନ୍ୟ ଦୁଇଜଣ ଘର ବାହାରେ ରହିଥିବାର ପୁଲିସ୍ ତଦନ୍ତ ବେଳେ ସନେ୍ଦହ କରୁଛି । ତରୁଲତା ନିଜ କୋଠରୀରୁ ବାହାରିବା ପରେ ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆଘାତ କରିଛନ୍ତି । ତାଙ୍କ ମୁଣ୍ଡକୁ ମଧ୍ୟ ଶକ୍ତ ପ୍ରହାର ଦେଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଘୋଷାରି ନେଇ ଘର ବାହାରେ ଫିଙ୍ଗି ଦିଆଯାଇଥିବାର ଘଟଣାସ୍ଥଳରୁ ପ୍ରମାଣ ମିଳିଛି । ନିତ୍ୟ ରଂଜନଙ୍କ ମୁଣ୍ଡକୁ ଦୁର୍ବୃତ୍ତ ଶକ୍ତ ଆଘାତ କରିଥିଲେ । ତରୁଲତାଙ୍କ ଝିଅ ବି ଦୁର୍ବୃତ୍ତଙ୍କ ଆକ୍ରମଣରେ ଚେତାଶୂନ୍ୟ ହୋଇ ଭୋର ପର୍ଯ୍ୟନ୍ତ ଅଚେତ ପିତା-ମାତାଙ୍କ ପାଖରେ ପଡ଼ି ରହିଥିଲେ ।
ଆକ୍ରମଣକାରୀମାନେ ଯୋଜନାବଦ୍ଧ ଭାବେ ଅପରାଧ ଘଟାଇ ଖସି ପଳାଇଥିବା ବେଳେ ପଡେ଼ାଶୀ ମଧ୍ୟ ଏହାର ଟେର ପାଇ ନଥିଲେ । ଭୋର୍ ସମୟରେ ଝିଅର ପ୍ରଥମେ ଚେତା ଆସିଥିଲା ଓ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ପରେ ଧର୍ମଶାଳା ପୁଲିସ୍ ପହଞ୍ଚି ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ଶିକ୍ଷୟିତ୍ରୀ ତରୁଲତା ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ । ନିତ୍ୟ ରଂଜନ ଓ ଝିଅକୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ପଠା ଯାଇଛି ।
ଘଟଣା ସ୍ଥଳରେ ଯାଜପୁର ଏସ୍ପି ଚରଣ ସିଂ ମୀନା ଓ ସ୍ଥାନୀୟ ପୁଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତରୁଲତାଙ୍କ ଝିଅକୁ ଏକ ତରଫା ପ୍ରେମ କରି କିଛିଦିନ ତଳେ ବିବାଦ ସୃଷ୍ଟି କରିଥିବା ଜନୈକ ଯୁବକ ଓ ତାଙ୍କର ୨ ଜଣ ସହଯୋଗୀକୁ ପୁଲିସ୍ ଅଟକ ରଖି ତଦନ୍ତ ଜାରି ରଖିଛି । ଅଟକ ଯୁବକଙ୍କ ବୟାନକୁ ଭିତ୍ତିକରି ପୁଲିସ୍ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବ ବୋଲି କୁହା ଯାଉଛି । ତଦନ୍ତ ଜାରି ରହିଛି ଓ ଖୁବଶୀଘ୍ର ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିବ ବୋଲି ଏସ୍ପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି ।
ପୁଲିସ୍ ଏ ଯାବତ୍ ଘଟଣାର ପ୍ରତ୍ୟକ୍ଷଦର୍ଶୀ ନିତ୍ୟ ରଂଜନ ଓ ଝିଅର ବୟାନ ସଂଗ୍ରହ କରି ପାରୁ ନଥିବାରୁ ଘଟଣାର ପ୍ରକୃତ ରହସ୍ୟ ସ୍ପଷ୍ଟ ହୋଇ ପାରି ନାହିଁ । ନିତ୍ୟରଂଜନ ଓ ଝିଅ ସୁସ୍ଥ ହୋଇ ବୟାନ ଦେବାକୁ ସମର୍ଥ ହେବା ପରେ ତଦନ୍ତ ଅଧିକ ଗତିଶୀଳ ହୋଇ ପାରିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।
Comments are closed, but trackbacks and pingbacks are open.