ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣ ଭୟଙ୍କର ଆଡକୁ ଯାଉଛି । ବୁଧବାର ୨୪ ଘଣ୍ଟାରେ ୯୦ ଆକ୍ରାନ୍ତ ଧରାପଡିଛନ୍ତି । ଦିନକରେ ସହରରୁ ଏତେ ସଂଖ୍ୟାରେ ପଜିଟିଭ୍ ବାହାରିବା ପ୍ରଥମ । ସହରର ମୋଟ ଆକ୍ରାନ୍ତ ସଂଖ୍ୟା ୮୫୯ରେ ପହଞ୍ଚିଛି ।
ମୋଟ ଆକ୍ରାନ୍ତଙ୍କ ଭିତରୁ ସ୍ଥାନୀୟ ସଂକ୍ରମିତ ( କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ବାହାରେ) ସଂଖ୍ୟା ୨୭ । ବାକି ୬୩ଜଣ କ୍ୱାରେଣ୍ଟାଇନ୍ରେ ଥାଇ ପଜିଟିଭ୍ ବାହାରିଛନ୍ତି । ସହରର ପ୍ରାୟ ଅଧିକାଂଶ ଅଞ୍ଚଳରେ ଭୂତାଣୁ ବିଛାଇ ହୋଇଯାଇଛି । ସଂକ୍ରମଣର ଭୟରୁ କେଉଁ ଅଞ୍ଚଳ ବାଦ୍ ପଡିନି ।
କରୋନା ପୁଣି ଜଣଙ୍କ ଜୀବନ ନେଇଛି । ମୋଟ ମୃତୁ୍ୟ ସଂଖ୍ୟା ୧୧ରେ ପହଞ୍ଚିଛି ।
ବସ୍ତି ଅଞ୍ଚଳରୁ ଦିନକରେ ୧୧ ଆକ୍ରାନ୍ତ ଠାବ ପରେ ପୁଣି ଚିନ୍ତା ବଢିଛି । ସବୁଠୁ ବଡ ବସ୍ତି କୁହାଯାଉଥିବା ସାଲିଆ ସାହି ଶ୍ରୀକୃଷ୍ଣ ନଗରରେ କ୍ୱାରେଣ୍ଟାଇନରେ ଥିବା ୭ ଜଣ ଆକ୍ରାନ୍ତ ବାହାରିଛନ୍ତି । ନୂଆପଲ୍ଲୀ ସୀତାପୁର ବସ୍ତିରୁ କ୍ୱାରେଣ୍ଟାଇନ୍ରେ ଥିବା ଜଣେ ପଜିଟିଭ୍ ଆସିଛନ୍ତି । ବିଶେଶ୍ୱର ବସ୍ତିରେ ରହୁଥିବା ଏକ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ଆକ୍ରାନ୍ତ ବାହାରିଛନ୍ତି । ସ୍ଥାନୀୟ ସଂକ୍ରମଣରୁ ସେ ପଜିଟିଭ୍ ହୋଇଛନ୍ତି । ନୂଆପଲ୍ଲୀ ଗଜପତିନଗର ବସ୍ତିରୁ ଜଣେ ଓ ଟ୍ରାଇଡେଣ୍ଟ କଲେଜ ପାଖ ମହାବୀର ବସ୍ତିରୁ ୨ଜଣ ସଂକ୍ରମିତ ଠାବ ହୋଇଛନ୍ତି । ଉଭୟ ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ ବାହାରିଛନ୍ତି ।
ସରକାରୀ କ୍ୱାରେଣ୍ଟାଇନ୍ରେ ଥିବା ୨୨ଜଣଙ୍କ ନମୁନା ପଜିଟିଭ୍ ଆସିଛି । ନୂଆପଲ୍ଲୀରୁ ପୁଣି ୩ ସଂକ୍ରମିତ ଧରା ପଡିଛନ୍ତି । ଜାଗମରା ଜଗମୋହନ ନଗରରୁ ଜଣେ ଓ ଗଣ୍ଡମୁଣ୍ଡାରୁ ଜଣେ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି । ଗଣ୍ଡମୁଣ୍ଡାରେ ଏହି ସ୍ଥାନୀୟ ସଂକ୍ରମିତ ଜଣକ ୭ ବର୍ଷର ପିଲା । ଖଣ୍ଡଗିରି, ଘାଟିକିଆ ଓ କୋଳଥିଆ ଅଞ୍ଚଳରେ ସଂକ୍ରମଣ ବେକାବୁ ହୋଇଚାଲିଛି । ଆଜି ପୁଣି ଖଣ୍ଡଗରି ବାରିରୁ କ୍ୱାରେଣ୍ଟାଇନ୍ରେ ଥିବା ଜଣଙ୍କ ନମୁନା ପଜିଟିଭ୍ ଆସିଛି । ପିପିଏଲ୍ କଲୋନୀରୁ ଜଣେ ଓ ଖଣ୍ଡଗିରିରୁ ଆଉ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଳଥିଆରୁ ଦୁଇ ଜଣ ସ୍ଥାନୀୟ ସଂକ୍ରମିତ ଓ ଭରତପୁରରୁ ଦୁଇ ଜଣଙ୍କ ସଂକ୍ରମିତ ଧରାପଡିଛି । ପୋଖରୀପୁଟ ଅଞ୍ଚଳରୁ ୨ ସ୍ଥାନୀୟ ସଂକ୍ରମିତଙ୍କ ସମେତ ମୋଟ ୩ଜଣ ସକ୍ରମିତ ବାହାରିଛନ୍ତି ।
ପାହାଳ ପୁଲିସ ଥାନା ପାଖରୁ ଗୋଟିଏ ପରିବାରର ୧୦ ଆକ୍ରାନ୍ତ ବାହାରିଛନ୍ତି । ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିଲେ । ସେ ଅଞ୍ଚଳରୁ ଅନ୍ୟଜଣଙ୍କ ରିପୋର୍ଟ ବି ପଜିଟିଭ୍ ଆସିଛି । ରସୁଲଗଡ ଅଞ୍ଚଳରୁ ଆଜି ୪ ପଜିଟିଭ୍ ବାହାରିଛନ୍ତି । କ୍ୱାରେଣ୍ଟାଇନ୍ରୁ ଥିବା ଶବରସାହି ବସ୍ତିର ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ରସୁଲଗଡ ଜିଜିପି କଲୋନୀରୁ ୨ ସ୍ଥାନୀୟ ସଂକ୍ରମିତ ଏବଂ ଓସିଏ କଲୋନୀ ପାଖରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଙ୍ଗନଗରର ପଲ୍ଲୀରୁ ଜଣେ ସଂକ୍ରମିତ ଠାବ ହୋଇଛନ୍ତି । ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ, ନୀଳାଦ୍ରିବିହାରରୁ ଜଣେ ପଜିଟିଭ୍ ଆସିଛନ୍ତି ।
ସେହିଭଳି ଆଜି ୨୪ଜଣ ସୁସ୍ଥ ହୋଇଥିବା ବିଏମ୍ସି ସୂଚନା ଦେଇଛି । ଆଜିସୁଦ୍ଧା ୩୮୫ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି ।
Comments are closed, but trackbacks and pingbacks are open.