ଯାଜପୁର: ଚନ୍ଦ୍ରପୃଷ୍ଠରେ ମଣିଷ ପହଞ୍ଚି ସାରିଲାଣି। ହେଲେ ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ବାହାରିପାରୁନି ମଣିଷ। ଯେଉଁଥିପାଇଁ ରକ୍ତର ସମ୍ପର୍କକୁ ଭୁଲି ଯାଉଛି। ଅନ୍ଧବିଶ୍ୱାସ ବସବର୍ତ୍ତି ହୋଇ ଖେଳୁଛି ରକ୍ତର ହୋଲି। ଆଜି ଏମିତି ଏକ ଲୋମାଙ୍କୁରା ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତି ଟାଙ୍ଗିଆରେ ବୃଦ୍ଧାଙ୍କ ମୁଣ୍ଡ କାଟି ଦେଇଛି। ପରେ କଟା ମୁଣ୍ଡକୁ ଧରି ଥାନାରେ ଆତ୍ମସମର୍ପଣ କରିଛି।
ଦାନଗଦୀ ବ୍ଲକ ଓଲ୍ଲଳ ପଞ୍ଚାୟତ ଛତରା ଗାଁରେ ନନ୍ଦିନୀ ପୂର୍ତ୍ତି ଝଡ଼ାଫୁଙ୍କା କରନ୍ତି। ଦିନେ ହଠାତ ଉକ୍ତ ଗାଁର କାର୍ତ୍ତିକ କେରେଇଙ୍କ ଦାଦା ପୁଅ ଭାଇଙ୍କୁ ଜ୍ୱର ହୋଇଥିଲା। ସେ ତାଙ୍କୁ ନନ୍ଦିନୀଙ୍କ ପାଖକୁ ନେଇଥିଲେ। ନନ୍ଦିନୀ ତାଙ୍କୁ ଝାଡ଼ାଫୁଙ୍କା କରିଥିଲେ। ଦେହ ଭଲ ହୋଇଯିବ ବୋଲି ସେ କହିଥିଲେ। ଏହା ପରେ କାର୍ତ୍ତିକ ନିଜ ଭାଇକୁ ଧରି ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ଏକଥା ଶୁଣିବା ପରେ କାର୍ତ୍ତିକଙ୍କ ରାଗ ପଞ୍ଚମକୁ ଉଠିଲା। ନନ୍ଦିନୀ ଗୁଣିଗାରେଡି କରୁଥିବାରୁ ତାଙ୍କ ଭାଇର ମୃତ୍ୟୁ ଘଟିଥିବା କାର୍ତ୍ତିକ ସନ୍ଦେହ କରୁଥିଲେ।ଆଜି ସନ୍ଧ୍ୟା ବେଳେ କାର୍ତ୍ତିକ ଏକ ଟାଙ୍ଗିଆ ଧରି ନନ୍ଦିନୀଙ୍କ ଘରକୁ ଯାଇଥିଲେ। ସେଠାରେ ଅତି ବିଭତ୍ସ ଭାବେ ନନ୍ଦିନୀଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେଇଥିଲେ। ପରେ କଟା ମୁଣ୍ଡକୁ ଧରି ଦାନଗଦୀ ଫାଣ୍ଡିରେ ପହଞ୍ଚି ଥିଲେ। ପୁଲିସ କଟାମୁଣ୍ଡ ଓ ଟାଙ୍ଗିଆକୁ ଜବତ କରିବା ସହିତ ଅଭିଯୁକ୍ତ କାର୍ତ୍ତିକକୁ ହାଜତରେ ରଖି ଅନୁସନ୍ଧାନ ଜାରି ରଖିଛି।
Comments are closed, but trackbacks and pingbacks are open.