ବାସୁଦେବପୁର: ପାଠ ପଢ଼ିବା ବେଳେ ଟିଭି ନଦେଖିଥିବା ପାଇଁ ଝିଅକୁ ଆକଟ କରିଥିଲେ ମାଆ। ହେଲେ ମାଆର ସେହି ସ୍ନେହଭରା ଆକଟକୁ ବୁଝି ପାରିଲାନି ଝିଅ। ମାଆ ଉପରେ ଅଭିମାନ କରି ବିଷ ଦେଇଦେଲା। ଆଉ ଦୁନିଆକୁ ଠିକ୍ରେ ଦେଖିବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜିଦେଲା। ଏପରି ହୃଦୟବିଦାରକ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଘଟିଛି।
ମନୋଜ ଦାସଙ୍କ ପତ୍ନୀ ଗୀତାରାଣୀ ନିଜର ଦୁଇ ଝିଅଙ୍କୁ ଧରି ବାପ ଘର ପରା ଗାଁରେ ରୁହନ୍ତି। ଗତକାଲି ସଞ୍ଜ ବେଳେ ଗୀତାରାଣୀଙ୍କ ସାନ ଝିଅ ଲିପିପୁଷ୍ପା ଟିଭି ଦେଖିଥିଲା। ଯେଉଁଥିପାଇଁ ଲିପିଙ୍କ ଉପରେ ତାଙ୍କ ମାଆ ବିରକ୍ତି ପ୍ରକାଶ କରିଥିଲେ। ଟିଭି ନଦେଖିବାକୁ ବାରଣ ମଧ୍ୟ କରିଥିଲେ। ପରେ ଗୀତାରାଣୀ କୌଣସି କାମରେ ବାହାରକୁ ଯାଇଥିଲେ। ମାଆ ଗଲା ପରେ ଲିପି ବାଡ଼ିକୁ ଯାଇ ଘାସ ମରା ବିଷ ପିଇ ଦେଇଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ଲିପି ସାମାନ୍ୟ ଆରୋଗ୍ୟ ହୋଇଥିଲେ। ଏହା ପରେ ଡାକ୍ତରଙ୍କ ପରାମର୍ଶରେ ପରିବାର ଲୋକେ ତାଙ୍କୁ ଆଜି ଘରକୁ ନେଇ ଆସିଥିଲେ। ମାତ୍ର ଲିପିଙ୍କୁ ମେଡିକାଲ୍ ପକ୍ଷରୁ ଡିସ୍ଚାର୍ଜ ରିପୋର୍ଟ ଦିଆଯାଇ ନ ଥିଲା।ଲିପି ଘରେ ପହଞ୍ଚିବା ବେଳେ ସୁସ୍ଥ ହୋଇପଡ଼ିଥିଲେ। ପରେ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଓଭର ଡୋଜ୍ ଦିଆଯାଇଛି, ଝିଅର ମୁଣ୍ଡ ଧୋଇ ଦିଅ ବୋଲି ଡାକ୍ତରବାବୁ କୁଆଡ଼େ କହିଥିଲେ। ଆଉ ଡାକ୍ତରବାବୁଙ୍କ ପରାମର୍ଶରେ ପରିବାର ଲୋକେ ଝିଅର ମୁଣ୍ଡ ଧୋଇ ଦେଇଥିଲେ। ତା’ପରେ ଲିପିଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଥିଲା। ବାରମ୍ୱାର ସଜ୍ଞା ହରାଉଥିଲେ। ଶେଷରେ କିଛି ଉପାୟ ନପାଇ ପରିବାର ଲୋକେ ଲିପିଙ୍କୁ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ଲିପି ଆଖି ବୁଜିଲେ।
ଡାକ୍ତରଙ୍କ ଅବହେଳାରୁ ଲିପିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମେଡିକାଲ୍ ପକ୍ଷରୁ ପରିବାର ଲୋକଙ୍କୁ ଦାୟୀ କରାଯାଇଛି। ବିନା ଅନୁମତିରେ ଚିକିତ୍ସା ଚାଲିଥିବା ବେଳେ ରୋଗୀଙ୍କୁ ପରିବାର ଲୋକେ ଘରକୁ ନେଇଯାଇଥିବା ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
Comments are closed, but trackbacks and pingbacks are open.