ବନ୍ତଳା,(ବି.ବି.ନୁ୍ୟଜ୍): ସାତକୋଶିଆ ଅଭୟାରଣ୍ୟ ଇଲାକାରେ ମୁକ୍ତ ଭାବରେ ବିଚରଣ କରୁଥିବା ଏକମାତ୍ର ମହାବଳ ବାଘୁଣୀକୁ କାବୁ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କ ଏକାଧିକ ଉଦ୍ୟମ ବିଫଳ ହୋଇଛି । ରାଇଗୁଡ଼ାସ୍ଥିତ ଦୁଇ ଏନ୍କ୍ଲୋଜର ମଧ୍ୟରେ (‘ସୁନ୍ଦରୀ’ ଏନ୍କ୍ଲୋଜର୍ ନିକଟ) ସ୍ୱତନ୍ତ୍ର ଖୁଆଡ଼ (ଯନ୍ତା) ପ୍ରସ୍ତୁତ କରାଯାଇଥିଲେ ହେଁ ଖୁଆଡ଼ ଡେଇଁ ବାଘୁଣୀ ପାର୍ ହୋଇଯାଇଛି । ଏପରିକି ଖୁଆଡ଼ ମଧ୍ୟରେ ଦିଆଯାଇଥିବା ଶିକାରକୁ ଆଡ଼ଆଖିରେ ସୁଦ୍ଧା ଅନାଇଁ ନାହିଁ । ଗତ ସୋମବାର ମଧ୍ୟରାତ୍ରି ବେଳେ ବାଘୁଣୀ ଏଭଳି ହରକତ କରିଥିବା ଆଜି ସୂଚନା ଦେଇଛନ୍ତି ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍ସିସିଏଫ୍) ପ୍ରଦୀପ ରାଜ କରାଟ ।
ଆର୍ସିସିଏଫ୍ ଶ୍ରୀ କରାଟ କହିଛନ୍ତି, ସାତକୋଶିଆର ବୃଦ୍ଧା ମହାବଳ ପ୍ରତି ଦୁଇ ତିନି ଦିନରେ ଥରେ ରାଇଗୁଡା ଏନକ୍ଲୋଜର୍ ନିକଟକୁ ଆସୁଛି । ଏନକ୍ଲୋଜର ଚାରିପାଖରେ ଘୂରାଫେରା କରୁଥିଲେ ହେଁ ଖୁଆଡ଼କୁ ପ୍ରବେଶ କରେନାହିଁ । ଗତ ସୋମବାର ରାତି ୧୧ଟା ୪୫ ମିନିଟ୍ ବେଳେ କିନ୍ତୁ ବାଘୁଣୀ ଖୁଆଡ଼ ଭିତରକୁ ପଶି ଯାଇଥିଲା । ବାଘୁଣୀ ଖୁଆଡ଼ ଭିତରକୁ ପ୍ରବେଶ କରିବା କ୍ଷଣି ସମ୍ମୁଖରେ ଲାଗିଥିବା ଗେଟ୍ ଲକ୍ ହୋଇଯାଇଥିଲା । ଭିତରେ ବାଘୁଣୀକୁ ଆକୃଷ୍ଟ କରିବାକୁ ଶିକାର (ବାର୍ହା) ଛଡ଼ା ହୋଇଥିଲା । ବାଘୁଣୀ କିନ୍ତୁ ବାର୍ହା ଶିକାର କରିନଥିଲା । ଖୁଆଡ଼ ଭିତରେ ପ୍ରାୟ ୧୦ ମିନିଟ୍ ରହିଥିଲା । ପରେ ୧୬ ଫୁଟ୍ ଉଚ୍ଚର ତାର ଜାଲି ଉପରକୁ ଚଢ଼ିଯାଇଥିଲା । ଉପରେ ତାର ଜାଲି ଓ ଲୁହାରେ ତିଆରି ହୋଇଥିଲା ସ୍ଲାଇଡ଼ିଂ ଉପରେ କିଛି ସମୟ ବସିଥିଲା । ପରେ ଲମ୍ଫ ମାରି ଅଭୟାରଣ୍ୟ ଭିତରକୁ ଖସିଯାଇଥିଲା ବୋଲି ଶ୍ରୀ କରାଟ ନୈରାଶ୍ୟ ବ୍ୟକ୍ତ କରିଥିଲେ । ତେବେ ବାଘୁଣୀର ସ୍ୱାସ୍ଥ୍ୟାବସ୍ଥା ଏକ ପ୍ରକାର ସ୍ଥିର ଅଛି । ଲାଞ୍ଜରେ ଘାା ବଢ଼ିନି, ପୂର୍ବଭଳି ରହିଛି ବୋଲି ଆର୍ସିସିଏଫ୍ ତଥା ବ୍ୟାଘ୍ର ପ୍ରକଳ୍ପ ମୁଖ୍ୟ ଶ୍ରୀ କରାଟ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ସାତକୋଶିଆ ଅଭୟାରଣ୍ୟରେ ମୁକ୍ତ ଭାବରେ ବୁଲୁଥିବା ଏକମାତ୍ର ମହାବଳ ବାଘୁଣୀ ଲାଞ୍ଜରେ ଏକ ଘା’ ହୋଇଥିବା ସିସିଟିଭିରୁ ଜଣାପଡ଼ିଥିଲା । ତିନି ମାସ ତଳୁ ବୃଦ୍ଧା ବାଘୁଣୀ ଲାଞ୍ଜରେ ଘା’ ଚିହ୍ନଟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର ଚିକିତ୍ସା ସମ୍ଭବ ହୋଇ ପାରିନାହିଁ । ଜଙ୍ଗଲରେ ଘୂରାଫେରା କରୁଥିବା ବାଘୁଣୀକୁ ଠାବ କରି ଟ୍ରାଂକୁଲାଇଜ୍ କରିବା ସମ୍ଭବ ନଥିବାରୁ ବନ ବିଭାଗ ରାଇଗୁଡ଼ା ନିକଟରେ ଯନ୍ତା ବ୍ୟବସ୍ଥା କରିଛି । ରାଇଗୁଡ଼ାଠାରେ ବାନ୍ଧବଗଡ଼ର ବାଘୁଣୀ ‘ସୁନ୍ଦରୀ’ ଗୋଟିଏ ଏନ୍କ୍ଲୋଜର ମଧ୍ୟରେ ରହିଥିବା ବେଳେ ତା ନିକଟରେ ସାତକୋଶିଆ ବାଘୁଣୀକୁ କାବୁ କରିବାକୁ ଯନ୍ତା ନିର୍ମାଣ ହୋଇଛି । ବାଘୁଣୀର ଗତିବିଧି ଅନୁଧ୍ୟାନ କରିବାକୁ ଶିମିଳିପାଳର ଦୁଇ କୁମ୍କୀ ହାତୀ ‘ମହେନ୍ଦ୍ର’ ଓ ‘ରାଜକୁମାର’ମୁତୟନ ହୋଇଛନ୍ତି । ବନ କର୍ମଚାରୀଙ୍କ କହିବା ଅନୁଯାୟୀ, ବାଘୁଣୀର ଲାଞ୍ଜରେ ହୋଇଥିବା ଘା’ର ଚିକିତ୍ସା ପାଇଁ ଏଯାବତ୍ ବନବିଭାଗର ସମସ୍ତ ଉଦ୍ୟମ ଫେଲ୍ ମାରିଛି । ସାତକୋଶିଆରେ ଲାଗିଥିବା ସିସିଟିଭି ମାଧ୍ୟମରେ ବାଘୁଣୀର ଗତିବିଧି ଉପରେ ନଜର ରଖାଯାଇଛି । ସାତକୋଶିଆ ଅଭୟାରଣ୍ୟର ରାଇଗୁଡାଠାରେ ଥିବା ଦୁଇ ଏନକ୍ଲୋଜର ମଝିରେ ଯନ୍ତା ନିର୍ମାଣ କରାଯାଇ ବିଭିନ୍ନ ସମୟରେ ଶିକାର ଛଡ଼ାଯାଉଛି । ବାଘୁଣୀ ଦୁଇ ତିନି ଦିନ ବ୍ୟବଧାନରେ ‘ସୁନ୍ଦରୀ’ ଏନ୍କ୍ଲୋଜର୍ ନିକଟକୁ ଆସୁଛି । ଦୁଇ ବାଘୁଣୀ ଦୀର୍ଘ ସମୟ ଧରି ସମ୍ନାସାମ୍ନି ଛିଡା ହେବା ପରେ ଗର୍ଜ୍ଜନ କରୁଛନ୍ତି । ବେଳେ ବେଳେ ‘ମହେନ୍ଦ୍ର’ ଓ ‘ରାଜକୁମାର’ ରହୁଥିବା ସ୍ଥାନ ପାଖକୁ ଆସି କିଛି ସମୟ ଠିଆ ହୋଇ ଘଞ୍ଚ ଅଭୟାରଣ୍ୟ ଭିତରକୁ ଚାଲିଯାଉଛି । ବାଘୁଣୀ ଅନେକ ସମୟରେ ଯନ୍ତା ସାମ୍ନାକୁ ଆସିବାର ଦୃଶ୍ୟ ରେକଡର଼୍ ହୋଇଛି । ହେଲେ ଭିତରକୁ ପଶୁନଥିଲା । ଗତ ୧୩ ତାରିଖରେ ପ୍ରଥମ ଥର ପାଇଁ ଯନ୍ତାରେ ପଶିଥିଲା ବେଳେ ଶିକାର ନଛୁଇଁ ଜାଲି ଡେଇଁ ଖସିଯାଇଥିଲା । ବାଘୁଣୀକୁ ଧରିବା ପାଇଁ ବନ ବିଭାଗ ନୟାନ୍ତ ହୋଇଗଲାଣି ।
Comments are closed, but trackbacks and pingbacks are open.