ଭବାନୀପାଟଣା,(ବି.ବି.ନୁ୍ୟଜ୍): ଆଦିବାସୀ ବହୁଳ କେବିକେ ଅଞ୍ଚଳର ୬ଟି ଜିଲ୍ଲାରୁ ଗଞ୍ଜାମ ଜିଲ୍ଳା କରୋନା ସ୍ଥିତି ସମ୍ଭାଳିବା ପାଇଁ ୧୦୦ ଜଣ ଡାକ୍ତରଙ୍କୁ ନେଇ ଯିବା ପ୍ରସଙ୍ଗ ଉପରେ କଂଗ୍ରେସ ନେତା ଭକ୍ତଚରଣ ଦସା ଓ ପିସିସି କାର୍ଯ୍ୟକାରୀ ସଭାପତି ଆପତ୍ତି ଉଠାଇଛନ୍ତି । ଏହାସହ ତୁରନ୍ତ ଏହି ଡାକ୍ତରମାନଙ୍କୁ ସମ୍ପୃକ୍ତ ଜିଲ୍ଲାକୁ ଫେରାଇ ଆଣିବାକୁ ଦାବି କରିଛନ୍ତି । ୩୧ ତାରିଖ ସୁଦ୍ଧା କେବିକେ ଅଞ୍ଚଳର ଏହି ୬ଟି ଜିଲ୍ଳାରୁ ଉଠାଇ ନେଇଥିବା ୧୦୦ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କୁ ଫେରାଇ ନ ଆଣିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବ ବୋଲି ଭବାନୀପାଟଣାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା ପ୍ରକାଶ କରିଛନ୍ତି ।
ଭକ୍ତ କହିଛନ୍ତି, ରାଜ୍ୟ ସରକାର ପ୍ରତି ଜିଲ୍ଲାରୁ ୨-୩ ଜଣ ଲେଖାଏଁ ଡାକ୍ତରଙ୍କୁ ନେଇ ଗଞ୍ଜାମ ପରିସ୍ଥିତିର ମୁକାବିଲା କରିପାରି ଥାଆନ୍ତେ । ତାହା ନକରି ମୁଖ୍ୟମନ୍ତ୍ରୀ ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇଥିବା କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରୁ ୧୦୦ ଡାକ୍ତର ଗଞ୍ଜାମକୁ ପଠାଇବା ଦୁର୍ଭାଗ୍ୟର ବିଷୟ । ଏହି ୬ଟି ଜିଲ୍ଲାରେ ୧୬୯୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ଏବେ ମାତ୍ର ୮୬୬ ଡାକ୍ତର କାର୍ଯ୍ୟ କରୁଛନ୍ତି ଏବଂ ୮୨୮ଟି ଡାକ୍ତର ପଦବୀ ଖାଲି ପଡ଼ିଛି । ପ୍ରାୟ ଅଧା ଡାକ୍ତରରେ ଏହି ୬ଟି ଜିଲ୍ଲାର ସ୍ୱାସ୍ଥ୍ୟସେବା ଚାଲିଛି । ସେଥିରୁ ୧୦୦ ଡାକ୍ତର ନେଇଯିବା ପରେ ବର୍ତ୍ତମାନ କରୋନା ସ୍ଥିତିରେ ଏହି ଜିଲ୍ଲାଗୁଡ଼ିକର ସ୍ୱାସ୍ଥ୍ୟସେବା ଆହୁରୀ ବିପର୍ଯ୍ୟସ୍ଥ ହୋଇପଡ଼ିବ ବୋଲି ଭକ୍ତ ଚେତାବନୀ ଦେଇଛନ୍ତି । ଏହି ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳରେ କରୋନା ବ୍ୟାପିବାରେ ଲାଗିଲାଣି । ତେଣୁ ସମସ୍ତ ୧୦୦ ଡାକ୍ତର ଓ ପାରା ମେଡିକାଲ କର୍ମୀଙ୍କୁ ତୁରନ୍ତ ସେମାନଙ୍କ ଜିଲ୍ଲାକୁ ଫେରାଇ ଆଣିବାକୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିବା ସହ ୩୧ ଜୁଲାଇ ସୁଦ୍ଧା ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କୁ ଫେରାଇ ନ ଆଣିଲେ ଦଳ ଆନେ୍ଦାଳନ କରିବ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ ଓ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.