ରାୟଗଡ଼ା,(ବି.ବି.ନୁ୍ୟଜ୍): ମହାମାରୀ କରୋନା ଏବେ ସମଗ୍ର ବିଶ୍ୱକୁ କବଳିତ କରିଛି । ନିରାକରଣ ଲାଗି ଆବଶ୍ୟକ ଔଷଧ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଭାରତଠାରୁ ଆରମ୍ଭ କରି ବିଭିନ୍ନ ଦେଶ । ଏହି କାର୍ଯ୍ୟରେ ସାମିଲ ଅଛନ୍ତି ରାୟଗଡ଼ାର ପୁଅ ଆଦିତ୍ୟ ପାଢ଼ି । ଜାପାନରେ ଯେଉଁ ରିସର୍ଚ୍ଚ ଚାଲିଛି, ସେଥିରେ ତାଙ୍କୁ ସାମିଲ କରାଯାଇଛି । ଜାପାନର ରିକେନ ସହରରେ ଥିବା ରିକେନ ଇନଷ୍ଟିଚୁ୍ୟଟ ପକ୍ଷରୁ ଏହି ରିସର୍ଚ୍ଚ ଆରମ୍ଭ ହୋଇଛି । ୩୨ ବର୍ଷୀୟ ଆଦିତ୍ୟ ୟୁମିଫେନୋଭିର ନାମକ ଔଷଧ ସମ୍ପର୍କରେ ରିସର୍ଚ୍ଚ ଜାରି ରଖିଛନ୍ତି । ବାୟୋସିଷ୍ଟମ ଜରିଆରେ ସେ ଗବେଷଣା କରୁଥିବା ସୂଚନା ମିଳିଛି ।
ରାୟଗଡ଼ା ସହରର ଗୋଦାବରୀଶ ନଗରରେ ରହୁଥିବା ଜଗନ୍ନାଥ ପାଢିଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଆଦିତ୍ୟ । ୨୦୦୩ ମସିହାରେ ସେ ରାୟଗଡ଼ା ଜିସିଡି ଉଚ୍ଚବିଦ୍ୟାଳୟରୁ ମାଟ୍ରିକ, ୨୦୦୫ରେ ରାୟଗଡ଼ା ମହାବିଦ୍ୟାଳୟରୁ ଯୁକ୍ତ ୨ ପାସ କରିବା ପରେ ଭୁଜବଳସ୍ଥିତ ମିଟ୍ସ ବୈଷୟିକ ମହାବିଦ୍ୟାଳୟରୁ ବାୟୋଟେକ୍ନୋଲୋଜିରେ ବିଟେକ୍ କରିଥିଲେ । ଏହାପରେ ନୂଆଦିଲ୍ଲୀସ୍ଥିତ ଆଇଆଇଟିରୁ ପିଏଚଡି କରିଥିବା ଜଣାପଡିଛି । ପିଏଚଡି ପରେ ଆଦିତ୍ୟ ଯାଇଥିଲେ ଜାପାନ । ସେଠାରେ ରିକେନ ଇନଷ୍ଟିଚୁ୍ୟଟରେ ରିସର୍ଚ୍ଚର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ କରୋନା ଉପରେ ସେ ଗବେଷଣା ଜାରି ରଖିଛନ୍ତି । ଯେଉଁ ଔଷଧ ଜାପାନ ପକ୍ଷରୁ ପ୍ରସ୍ତୁତ ଚାଲିଛି, ତାହା ମଣିଷ ଶରୀରରେ କିଭଳି କାର୍ଯ୍ୟ କରୁଛି ତାହାର ଅନୁଧ୍ୟାନ ଦାୟିତ୍ୱରେ ରହିଛନ୍ତି ସେ । ଏଥିସହ ଭାରତୀୟଙ୍କ ଶରୀରରେ ଏହାର ପ୍ରଭାବ କିଭଳି ରହିବ, ତାହାର ମଧ୍ୟ ଅନୁଧ୍ୟାନ କରାଯାଉଛି । ଆଦିତ୍ୟଙ୍କ ଏଭଳି କାର୍ଯ୍ୟ ସଂପର୍କରେ ଜଣାପଡିବା ପରେ ସମଗ୍ର ରାୟଗଡ଼ାରେ ଖୁସିର ଲହରି ଖେଳିଯାଇଛି । ତାଙ୍କ ସହପାଠୀ ଓ ପରିବାର ଏଥିପାଇଁ ଗର୍ବ ଅନୁଭବ କରିଛନ୍ତି । କାରଣ ସମଗ୍ର ବିଶ୍ୱ ବର୍ତ୍ତମାନ ଯେଉଁ କାମରେ ଲାଗିପଡ଼ିଛି, ସେହି ଦାୟିତ୍ୱରେ ରହିଛନ୍ତି ରାୟଗଡ଼ା ମାଟିର ପୁଅ ଆଦିତ୍ୟ ।
Comments are closed, but trackbacks and pingbacks are open.