ଫୁଲବାଣୀ,(ବି.ବି.ନୁ୍ୟଜ୍): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ଲମ୍ବା ତାଲିକା । ଗ୍ରାମାଞ୍ଚଳ ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଥିବା କହୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏସବୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚୁ ନାହିଁ । ଯୋଜନାରୁ ଫାଇଦା ନେଇ ପାରୁନାହାନ୍ତି ଗ୍ରାମାଞ୍ଚଳ ଲୋକ । ଏନେଇ ନିତି ପ୍ରତିଦିନ ଖବରକାଗଜ ପୃÂା ମଣ୍ଡନ କରୁଛି । ରାସ୍ତା ନଥିବାରୁ ପ୍ରସୂତିକୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଆସି ପାରୁନାହିଁ । ଭାରରେ ବୁହା ହେଉଛନ୍ତି ଗର୍ଭବତୀ । ପାନୀୟ ଜଳ ପାଇଁ କିଲୋମିଟର ବ୍ୟାପି ରାସ୍ତା ଚାଲିବାକୁ ପଡ଼ୁଛି । ଏଭଳି ଘଟଣା କନ୍ଧମାଳକୁ ନୂଆ ନୁହେଁ । ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି କେ. ନୂଆଗାଁ ବ୍ଲକର ଗୁଞ୍ଜିବାଡି ପଞ୍ଚାୟତରେ ଏହି ପଞ୍ଚାୟତର ୫ଟି ଗ୍ରାମବାସୀ ଅତି ବିପଦସଙ୍କୁଳ ଭାବେ ଲୁହା ତାର ସହାୟତାରେ ଭରା ନଈ ପାର ହେଉଥିବାର ନଜରକୁ ଆସିଛି । ସତେ ଯେମିତି ସେମାନଙ୍କ ଜୀବନ ଡୋର ଏହି ଲୁହା ତାରରେ ଝୁଲି ରହିଛି ।
ଗୁଞ୍ଜିବାଡି ପଞ୍ଚାୟତ ସଦର ମହକୁମା ଅନ୍ତର୍ଗତ ବଗାଡ଼ି ଗ୍ରାମ ନିକଟରେ ବୋହି ଯାଇଛି ବଗାଡ଼ି ନଦୀ । ନଦୀର ଅପର ପାଶ୍ୱର୍ରେ ରହିଛି ବଦାଲି, ସାର୍କାପାଙ୍ଗା, ମିଲାମିନୁ ଆଦି ୫ ଖଣ୍ଡ ଗ୍ରାମ । ଏହି ସବୁ ଗ୍ରାମରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ପରିବାରର ୫ ଶହରୁ ଉଦ୍ଧ୍ୱର୍ ଲୋକ । ଏହି ସବୁ ଗ୍ରାମରେ ଅଙ୍ଗନବାଡି, ସ୍କୁଲ ନାହିଁ । ତେଣୁ ପିଲାମାନେ ଅଙ୍ଗାନବାଡି ଓ ସ୍କୁଲ ଯିବାକୁ ନଦୀ ଆରପାଖରେ ଥିବା ବଗାଡି ଗ୍ରାମକୁ ଆସନ୍ତି । ଏହାଛଡ଼ା ଭତ୍ତା ହେଉ ବା ରାସନ ସାମଗ୍ରୀ ନେବାକୁ ଗୁଞ୍ଜିବାଡି ପଞ୍ଚୟତ କାର୍ଯ୍ୟାଳୟକୁ ଆସିବାକୁ ପଡେ଼ । ବଗାଡ଼ି ନଦୀରେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇ ନଥିବାରୁ ଛୋଟ ପିଲାଙ୍କ ଠାରୁ ନେଇ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ନଦୀ ଭିତରେ ଚାଲି ଚାଲି ପାର ହେବାକୁ ପଡେ଼ । ଖରା ଦିନରେ ପାଣି କମ୍ ଥିବାରୁ ନଦୀ ପାର ହେବା ବିଶେଷ କଷ୍ଟ ହୁଏନି । ହେଲେ ବର୍ଷା ଦିନରେ ନଦୀ ସ୍ରୋତ ଯୋଗୁଁ ପାର ହେବା କଷ୍ଟକର । ଜୀବନ ଚାଲି ଯିବାର ଭୟ । ତେଣୁ ଗ୍ରାମବାସୀ ନଦୀର ଦୁଇ ପାଶ୍ୱର୍ରେ ଥିବା ଦୁଇଟି ବଡ଼ ଗଛରେ ଏକ ଲୁହା ତାର ଟାଣିଛନ୍ତି । ଏହି ତାରକୁ ଧରି ଲୋକମାନେ ବିପଦ୍ଜନକ ଭାବେ ନଦୀ ପାର ହୁଅନ୍ତି । ଛୋଟ ପିଲାଙ୍କୁ କାନେ୍ଧଇ ଅବା ପିଠିରେ ପକାଇ ନଦୀ ଭିତରେ ତାରକୁ ଧରି ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲକୁ ନେବା ଆଣିବା କରନ୍ତି । ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାରେ ନାହିଁ ନଥିବା ଅସୁବିଧା । ଏଭଳି ବିପଦଜନକ ଭାବେ ଯାତାୟତ କରୁଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହୋଇଛି । ତେବେ ଭଗବାନଙ୍କ ଦୟାରୁ ଆଜି ପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଗ୍ରାମବାସୀ କୁହନ୍ତି । ପୋଲ ନିର୍ମାଣ ପାଇଁ ଅନେକବାର ଗ୍ରାମବାସୀମାନେ ବ୍ଲକ ପ୍ରଶାସନ ନିକଟରେ ଓ ଲୋକ ପ୍ରତିନିଧିଙ୍କ ପାଖରେ ଅନୁରୋଧ କରିଛନ୍ତି । ହେଲେ କେବଳ ପ୍ରତିଶ୍ରୁତି ହିଁ ମିଳିଛି । କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଏହି ସମସ୍ୟା ସମ୍ପର୍କରେ କେ. ନୂଆଗାଁ ବିଡିଓ ମନୋଜ କୁମାର ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ କହିଛନ୍ତି ଯେ ନଦୀରେ ପୋଲ ନିର୍ମାଣ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କରୋନା ମହାମାରୀ ପାଇଁ ଅଧିକ ଅଗ୍ରସର ହୋଇନାହିଁ । ମହାମାରୀ ଶେଷ ହେବା ପରେ ପୋଲ ନିର୍ମାଣ ପାଇଁ ନିଶ୍ଚିତ ପଦକ୍ଷେପ ନିଆଯିବ ।


Comments are closed, but trackbacks and pingbacks are open.