ଫୁଲବାଣୀ, (ବି.ବି.ନୁ୍ୟଜ୍): କ. ନୂଅାଁଗାଁ ବ୍ଲକ୍ ଅନ୍ତର୍ଗତ ସାରଙ୍ଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ବ୍ରଜ ବିଷୋୟୀ (୭୦)ଙ୍କୁ ହତ୍ୟା ଅଭିଯୋଗ । ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ତାଙ୍କ ପଡେ଼ାଶୀ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜମିକୁ ପାଣି ମଡ଼ାଇବା ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ରବିବାର ସକାଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ରାତି ୮ଟାରେ ବ୍ରଜ ବିଷୋୟୀ ତାଙ୍କ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ପଛପଟୁ ଆସି ତାଙ୍କୁ ଏକ ଟାଙ୍ଗିଆରେ ହାଣି ଦେଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ସାରଙ୍ଗଡ଼ ଡାକ୍ତରଖାନାକୁ ପରିବାର ଲୋକ ନେଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଆକ୍ରମଣ ପରେ ଅଭିଯୁକ୍ତ ଟାଙ୍ଗିଆ ସହ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ହତ୍ୟାର ଶୀକାର ହୋଇଥିବା ପୂର୍ବତନ ସରପଞ୍ଚ ବିଷୋୟୀ ସାରଙ୍ଗଗଡ ଅଞ୍ଚଳର ବିଜେଡିର ଜଣେ ଟାଣୁଆ ନେତା ଥିଲେ । ତେବେ ଥାନା ଅଧିକାରୀ ଅନିତା କିଡ଼ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନଥିବାରୁ ହତ୍ୟାର ସବିଶେଷ ତଥ୍ୟ ମିଳିନାହିଁ ।


Comments are closed, but trackbacks and pingbacks are open.