୨୧ତମ କାର୍ଗିଲ ବିଜୟ ଦିବସ

Get real time updates directly on you device, subscribe now.

ନୂଆଦିଲ୍ଲୀ: ରବିବାର ୨୧ତମ କାର୍ଗିଲ ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନାର ମୁଖ୍ୟ ନୂଆଦିଲ୍ଲୀସ୍ଥିତ ଯୁଦ୍ଧ ସ୍ମାରକରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ରାଜନାଥ କହିଛନ୍ତି, କାର୍ଗିଲ ଯୁଦ୍ଧ ଲଢ଼ିଥିବା ବୀରପୁତ୍ରମାନଙ୍କୁ ମୁଁ ୨୧ତମ କାରଗିଲ ବିଜୟ ଦିବସ ଅବସରରେ ଅଭିବାଦନ ଜଣାଉଛି । ଆଧୁନିକ ଇତିହାସରେ ଏହି ଯୁଦ୍ଧ ସବୁଠୁ ଅଧିକ ଚାଲେଞ୍ଜପୂର୍ଣ୍ଣ ସ୍ଥିତିରେ ଲଢ଼ାଯାଇଥିଲା । ଆଜିର ଦିନରେ ଭାରତୀୟ ସେନା କାର୍ଗିଲର ଦ୍ରାସ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ କବ୍ଜାରୁ ଭାରତୀୟ ଅଞ୍ଚଳକୁ ପୁନର୍ବାର ହାସଲ କରିଥିଲେ । ୧୯୯୯ରେ ସେନା ବୀରତ୍ୱର ସହ ଲଢ଼ି ଯୁଦ୍ଧ ଜିତିଥିଲା । ୧୯୯୯ ମେ ମାସରୁ ଜୁଲାଇ ପର୍ଯ୍ୟନ୍ତ ଏହି ଯୁଦ୍ଧ ହୋଇଥିଲା । ଜୁଲାଇ ୨୬ରେ ଭାରତକୁ ବିଜୟ ପ୍ରାପ୍ତ ହୋଇଥିଲା ।
ରାଜନାଥ ଆହୁରି କହିଛନ୍ତି, କାର୍ଗିଲ ଯୁଦ୍ଧରେ ଦିବ୍ୟାଙ୍ଗ ହୋଇଥିବା ଯବାନମାନେ ସେମାନଙ୍କ ସେବା ଜାରି ରଖିଛନ୍ତି । ଏହି ଲୋକମାନେ ନିଜ ଢଙ୍ଗରେ ଦେଶ ପ୍ରତି ସମର୍ପିତ ହୋଇ ଦୃଷ୍ଟାନ୍ତ ସାଜିଛନ୍ତି । କାର୍ଗିଲ ବିଜୟ କେବଳ ଭାରତର ସ୍ୱାଭିମାନର ପ୍ରତୀକ ନୁହେଁ । ବରଂ ଅନ୍ୟାୟ ବିରୋଧରେ ଉଠାଯାଇଥିବା ଏକ ପଦକ୍ଷେପ । ଦେଶର ଏକତା ଓ ସଂହତି ପାଇଁ ଆମେ ଯେ କୌଣସି ପଦକ୍ଷେପ ଉଠାଇବାକୁ ଏବେ ପ୍ରସ୍ତୁତ ।
ସେପଟେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ଆଜି ଦିନଟି ଦେଶର ଗୌରବ ଏବଂ ଦୃଢ଼ ନେତୃତ୍ୱର ପ୍ରତୀକ । ଦୁର୍ଗମ ପାହାଡ଼ରେ ଶତ୍ରୁମାନଙ୍କ ସହ ଲଢ଼ି ସେମାନଙ୍କୁ ତଡ଼ିଦେଇଥିବା ସେହି ବୀର ଯବାନମାନଙ୍କୁ ମୁଁ ପ୍ରଣାମ ଜଣାଉଛି । ସେମାନେ ଶତ୍ରୁମାନଙ୍କ ବିରୋଧରେ ଅଦମ୍ୟ ସାହସର ସହ ଲଢ଼ି ସେମାନଙ୍କୁ ଜବାବ ଦେଇଥିଲେ । ଏହାପରେ କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲେ । ଯବାନଙ୍କ ଏଭଳି କାର୍ଯ୍ୟ ପାଇଁ ଦେଶ ଆଜି ଗର୍ବିତ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, କାର୍ଗିଲ ବିଜୟ ଦିବସ ଆମ ସଶସ୍ତ୍ର ବଳର ନିର୍ଭୟତା, ଦୃଢ଼ ସଂକଳ୍ପ ଏବଂ ଅସାଧାରଣ ବୀରତାର ପ୍ରତୀକ । ଶତ୍ରୁମାନଙ୍କୁ ଦୃଢ଼ ଜବାବ ଦେଇ ଭାରତ ମାତାର ରକ୍ଷା କରିବାରେ ଜୀବନ ଉତ୍ସର୍ଗ କରିଥିବା ସେହି ବୀର ସହିଦମାନଙ୍କୁ ମୁଁ ଅଭିବାଦନ ଜଣାଉଛି । ଦେଶ ସବୁବେଳେ ସେମାନଙ୍କ ଏବଂ ସେମାନଙ୍କ ପରିବାର ପ୍ରତି କୃତଜ୍ଞ ରହିବ ।
ନୂଆଦିଲ୍ଲୀର ଯୁଦ୍ଧ ସ୍ମାରକରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରୱଣେ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଆର୍କେଏସ୍ ଭଦୌରିଆ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons