ବିପଦ ଟଳିନି, ସତର୍କ ରୁହ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତର ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ଅଛି । ଦେଶରେ କରୋନା ସୁସ୍ଥ ହାର ଅନ୍ୟ ଦେଶ ଅପେକ୍ଷା ଅଧିକ ରହିଛି । କରୋନା ମୃତୁ୍ୟହାର ମଧ୍ୟ ଅଧିକାଂଶ ଦେଶ ତୁଳନାରେ ଭଲ ଅଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିପଦ ଟଳିନାହିଁ । ଏଣୁ ଆମେ ଏଥିପ୍ରତି ସତର୍କ ରହିବା, ମାସ୍କ ବ୍ୟବହାର କରିବା, ଦୁଇ ଗଜ୍ ଦୂରତା ରଖିବା, ହାତ ଧୋଇବା, ବାହାରେ ଛେପ ନ ପକାଇବା ଭଳି କେତେକ ନିୟମ ପାଳନ କରିବା ଜରୁରି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୭ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି । କାର୍ଗିଲ ବିଜୟ ଦିବସ ପରିପ୍ରେକ୍ଷୀରେ ଚଳିତ ଥର କାର୍ଯ୍ୟକ୍ରମରେ ମୋଦି କାର୍ଗିଲ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ବୀରତ୍ୱର ଗୁଣଗାନ କରିଛନ୍ତି ।
କାର୍ଯ୍ୟକ୍ରମରେ ମୋଦି ପାକିସ୍ତାନର କାପୁରୁଷତା ବଖାଣି କହିଥିଲେ, କାରଗିଲ ଯୁଦ୍ଧ ଯେଉଁଭଳି ପରିସ୍ଥିତିରେ ହୋଇଥିଲା ତାକୁ ଭାରତ କେବେ ବି ଭୁଲି ପାରିବନି । ସେ ସମୟରେ ଭାରତ ପାକିସ୍ତାନ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସରତ ଥିଲା । କିନ୍ତୁ ବିନା କାରଣରେ ଶତ୍ରୁତା କରିବା ଦୁଷ୍ଟମାନଙ୍କର ସ୍ୱଭାବ । ଏଭଳି ପ୍ରକୃତିର ଲୋକ ସଦାବେଳେ ସମସ୍ତଙ୍କର ଅନିଷ୍ଟ ଚିନ୍ତା କରନ୍ତି । ପାକିସ୍ତାନ ଭାରତ ପିଠିରେ ଛୁରି ଭୁସି ଭାରତୀୟ ଭୂମି ଉପରେ କବ୍ଜା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତର ବୀର ସେନାମାନେ ଯେଉଁଭଳି ପରାକ୍ରମ ଦେଖାଇଲେ ତାକୁ ପୂରା ଦୁନିଆ ଦେଖିଲା । ଦୁର୍ଗମ ଉଚ୍ଚ ପାହାଡ଼ରେ ହୋଇଥିବା ଏହି ବିଜୟ ଭାରତୀୟ ସେନାଙ୍କ ଅଦମ୍ୟ ସାହସ ଏବଂ ବୀରତା କାରଣରୁ ସମ୍ଭବ ହୋଇପାରିଥିଲା । ସେହି ସମୟରେ ଥରୁଟିଏ କାର୍ଗିଲ ଯିବାର ସୁଯୋଗ ପାଇଥିଲି । ସେଠାରେ ବିତାଇଥିବା ସମୟ ସବୁ ତାଙ୍କ ଜୀବନର କେତେକ ଭଲ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ବୋଲି ସେ କହିଥିଲେ ।
ଏହି ଅବସରରେ ମୋଦି ଜାତିର ପିତା ମହାତ୍ମା ଗାନ୍ଧି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିଥିଲେ । ମହାତ୍ମା ଗାନ୍ଧିଙ୍କ ବାର୍ତ୍ତାକୁ ମନେ ପକାଇ ମୋଦି କହିଥିଲେ, ଯଦି କେବେ କିଏ ଦ୍ୱନ୍ଦ୍ୱରେ ରହୁଛନ୍ତି କ’ଣ କରିବା ଉଚିତ ଏବଂ କ’ଣ ନୁହେଁ, ତେବେ ସେ ଦେଶର ଗରିବ ଲୋକମାନଙ୍କୁ ମନେ ପକାଇ ତାଙ୍କ ଭଲ ପାଇଁ ଯାହା ଉଦ୍ଧିଷ୍ଟ ତାହା କରନ୍ତୁ । ସେହିଭଳି ବାଜପେୟୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟର ଏକ ଉକ୍ତିକୁ ମୋଦି ଦେଶବାସୀଙ୍କୁ ଜଣାଇ କହିଥିଲେ, ଆମେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହା ଭାବିବା ଆବଶ୍ୟକ ଯେ, ଏହା ଦ୍ୱାରା ଦୁର୍ଗମ ଅଞ୍ଚଳରେ ନିଜ ପ୍ରାଣକୁ ଉତ୍ସର୍ଗ କରୁଥିବା ଯବାନଙ୍କ ମନୋବଳ ବଢ଼ିବ କି ନାହିଁ?
ଦେଶ ଏବେ କରୋନା ସହ ଯୁଦ୍ଧ ଲଢ଼ୁଥିବାରୁ ଆମକୁ କରୋନା ଯୋଦ୍ଧାମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଆବଶ୍ୟକ ବୋଲି ପ୍ରକାଶ କରି ମୋଦି କହିଛନ୍ତି, ଅନେକ ସମୟରେ ଲୋକମାନଙ୍କୁ ମାସ୍କ ପିନ୍ଧିବାରେ ଅସୁବିଧା ହେଉଛି । ସେମାନେ କଥା ହେବା ସମୟରେ ମାସ୍କ କାଢ଼ି ଦେଉଛନ୍ତି । କିନ୍ତୁ ସେତିକି ବେଳେ ହିଁ ଆମକୁ ମାସ୍କର ସର୍ବାଧିକ ଆବଶ୍ୟକତା ରହିଛି । ମାସ୍କ କାଢ଼ିବା ପୂର୍ବରୁ ଆମେ ସେହି କରୋନା ଯୋଦ୍ଧାମାନଙ୍କ କଥା ଭାବିବା ଉଚିତ ଯିଏ ୧୦-୧୦ ଘଣ୍ଟା ପର୍ଯ୍ୟନ୍ତ ମାସ୍କ ପିନ୍ଧି ଅନେକ ଅସୁବିଧା ସତ୍ତେ୍ୱ ଆମ ଜୀବନ ବଞ୍ଚାଇବାରେ ଲାଗିଛନ୍ତି ।
ଏହି ଅବସରରେ ମୋଦି ଆତ୍ମନିର୍ଭର ଭାରତ ପାଇଁ ଦେଶରେ ହସ୍ତତନ୍ତର ପ୍ରଚାର ଓ ପ୍ରସାର ସହ କିଛି ନୂଆ ଶିଖିବା ଏବଂ ଶିଖାଇବାର ସମୟ ଆସିଛି ବୋଲି କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ । ଅନେକ ଲୋକଙ୍କ ତପସ୍ୟା ଏବଂ ସାଧନା ବଳରେ ଦେଶ ଆଜି ଶୀର୍ଷରେ ପହଞ୍ଚି ପାରିଥିବାରୁ ଏହାକୁ ସାର୍ଥକ କରିବା ଆବଶ୍ୟକ ରହିଛି ବୋଲି ମୋଦି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons