କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ପବିତ୍ର ଗହ୍ମାପୂର୍ଣ୍ଣିମା ବା ବଳଭଦ୍ର ଜନ୍ମ ଅବସରରେ ମହାପ୍ରଭୁ ଶ୍ରୀସିଦ୍ଧବଳଦେଜିଉଙ୍କର ଆଜି ଜନ୍ମାଭିଷେକ ବେଶ ହୋଇଥିଲା । ଜନ୍ମ ଅଭିଷେକ, ଗହ୍ମାଅଭିଷେକ ମହାଆଡ଼ମ୍ୱର ସହକାରେ ପାଳିତ ହୋଇଥିଲା । ମନ୍ଦିରକୁ ରଙ୍ଗିନ ଆଲୋକମାଳା ଓ ପୁଷ୍ପରେ ସଜାଇ ଦିଆଯାଇଥିଲା । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଥିଲା ।
ସକାଳ ସାଢେ଼ ୫ଟାରେ ଶ୍ରୀଜିଉଙ୍କର ପହୁଡ଼ ଫିଟାଯାଇ ପ୍ରଥମେ ମଙ୍ଗଳାଆଳତି, ନୀତିସ୍ନାନ ଏବଂ ଗୋପାଳବଲ୍ଲଭ ଧୂପ ବଢ଼ି ପରେ ଖେଚୁଡ଼ି ଧୂପ ହୋଇଥିଲା । ପରେ ୩ ପଣ୍ଡା ମହାପ୍ରଭୁଙ୍କୁ ବଡ଼ଚିତା ଲାଗି କରାଇ ନୂତନ ଅଙ୍ଗବସ୍ତ୍ର, ପୁଷ୍ପମାଳରେ ସଜ୍ଜିତ କରିଥିଲେ । ପରେ ମୋଡ଼ା ମଉଳି ବେଶରେ ସଜ୍ଜିତ କରିଥିଲେ । ଲକ୍ଷେ ତୁଳସୀରେ ଶ୍ରୀଜିଉ ସଜେଇ ହୋଇଥିଲେ । ପରେ ପରେ ୩ ଠାକୁରଙ୍କୁ କାଠିମୁକୁଟ ଲାଗି କରାଯାଇ ଗହ୍ମା ଅଭିଷେକ ନୀତି ସମ୍ପନ୍ନ କରାଯାଇଥିଲା । ପୁରୀରୁ ଭଉଣୀ ସୁଭଦ୍ରାଙ୍କ ଦ୍ୱାରା ପ୍ରେରିତ ପାଟରାକ୍ଷୀ ଶ୍ରୀଜିଉମାନଙ୍କୁ ଅର୍ପଣ କରାଯାଇଥିଲା । ପରେ ମହାପ୍ରଭୁଙ୍କ ଅଙ୍ଗଲାଗି ସେବାୟତମାନେ ଏକ ଲକ୍ଷ ତୁଳସୀ ଅର୍ପଣ କରିଥିଲେ । ନୀତିକାନ୍ତି ମଧ୍ୟରେ ତୁଳସୀ ଚଉରା ଆଗରେ ଯଜ୍ଞାଦି ଶୁଭକାର୍ଯ୍ୟ ଆରମ୍ଭ ହୋଇ ଦ୍ୱିପ୍ରହର ଧୂପ ନୀତି ବଢ଼ିବା ପରେ ପୂଜାପଣ୍ଡାଙ୍କ ଦ୍ୱାରା ଯଜ୍ଞର ସଂକଳ୍ପ କରାଯାଇଥିଲା । ଏହା ପରେ ମନ୍ଦିର ପୁରୋହିତ ଓ ରାଜପୁରୋହିତମାନଙ୍କ ଦ୍ୱାରା ଯଜ୍ଞାନୁÂାନ ରାତି ପର୍ଯ୍ୟନ୍ତ ଚାଲି ରାତିରେ ପୂର୍ଣ୍ଣାହୁତି କରାଯାଇଥିଲା । ଏ ବର୍ଷ କରୋନା କଟକଣା ଓ ଦର୍ଶନ ବନ୍ଦ ଯୋଗୁଁ ମନ୍ଦିର ବେଢ଼ା ମଧ୍ୟରେ ବିତରଣ କରାଯାଉଥିବା ପିଠା, ଖିରି ମନ୍ଦିର ବାହାରେ ଉପସ୍ଥିତ ସ୍ୱଳ୍ପ ଭକ୍ତ, ଶ୍ରଦ୍ଧାଳୁଙ୍କୁ ପ୍ରଦାନ କରାଯାଇଥିଲା । ରାତ୍ରଧୂପ ପରେ ଶ୍ରୀଜିଉଙ୍କର ବେଶ ଉଲାଗି କରାଯାଇ ବଡ଼ସିଂହାର ନୀତି, ପଲଙ୍କ ଲାଗି ଓ ପହୁଡ଼ ଲାଗି ହୋଇଥିଲା ।
Comments are closed, but trackbacks and pingbacks are open.