ଧରାପଡ଼ିଲେ ୫ ଦୁର୍ଦ୍ଧାନ୍ତ ଡକାୟତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୧୬ ନମ୍ବର ଜାତୀୟ ରାଜପଥରେ ଡକାୟତି କରି ଆତଙ୍କ ଖେଳାଇଥିବା ଏକ ୫ ଜଣିଆ ଡକାୟତ ଗ୍ୟାଙ୍ଗ୍କୁ ଗିରଫ କରିଛି ଜଟଣୀ ଥାନା ପୁଲିସ । ସେମାନେ ହେଲେ ଜଟଣୀ ରଥିପୁରରେ ରହୁଥିବା ଖୋର୍ଦ୍ଧା ମୁକୁନ୍ଦପ୍ରସାଦନର ରାଜ ଦଳବେହେରା(୨୨), ମୁକୁନ୍ଦପ୍ରସାଦର କାଇରା ଓରଫ ଉଜିନ ଖାନ୍(୫୨), ଜଟଣୀ ରଥିପୁରର କାଇରା ଓରଫ ସେଖ୍ କାସିମ୍(୧୯), ରଥିପୁରର ଭୁବନ ଓରଫ ରମାକାନ୍ତ ସ୍ୱାଇଁ(୨୨) ଓ କନ୍ଧମାଳ ଫୁଲବାଣୀର ଦୀପକ ଓରଫ ଧରମ ନାରାୟଣ ଓରଫ କାହ୍ନୁ ପରିଡ଼ା(୨୨) । ଗିରଫ ଡକାୟତ ମାନଙ୍କ ଠାରୁ ଗୋଟିଏ ବୋଲେରୋ, ଗୋଟିଏ ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍, ୪ଟି ବାଇକ୍ ସହ ଖଣ୍ଡା, କାତି, ଛୁରି ଓ ଲୁହା ରଡ୍ ଆଦି ଜବତ ହୋଇଛି ।
ପୁଲିସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥର ଗଙ୍ଗପଡ଼ା ଟୋଲ ଗେଟ୍ ପାର୍କିଂ ଏରିଆରେ କିଛି ଅସାମାଜିକ ଜାତୀୟ ରାଜପଥରେ ଡକାୟତି ପାଇଁ ଯୋଜନା ଚଳାଇଥିଲେ । ଜଟଣୀ ଥାନାର ନାଇଟ୍ ପାଟ୍ରୋଲିଂ ଟିମ୍ ଖବର ପାଇବା ପରେ ସେଠାରେ ଚଢ଼ଉ କରିଥିଲା । ଡକାୟତ ଗ୍ୟାଙ୍ଗ ପୁଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଟିମ୍ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ଥାନାକୁ ନେଇ ଜେରାବେଳେ ସେମାନେ ଜାତୀୟ ରାଜପଥରେ ଯାଁଳା ଠାରୁ ବାଲୁଗାଁ ପର୍ଯ୍ୟନ୍ତ ୪ ଚକିଆ ଯାନକୁ ଟାର୍ଗେଟ କରି ଲୁଟନ୍ତି ବୋଲି ସ୍ୱୀକାର କରିଥିଲେ । ଏଥିସହ ଗୋରୁ ଚାଲାଣରେ ମଧ୍ୟ ଏହି ଗ୍ୟାଙ୍ଗ୍ର ସଂପୃକ୍ତି ରହିଛି । ରାତାରାତି ଏହି ଗ୍ୟାଙ୍ଗ୍କୁ ଧରି ପୁଲିସ ଗୋଟିଏ ବୋଲେରୋ, ଗୋଟିଏ ପିକ୍ଅପ୍ ଭ୍ୟାନ୍ ଓ ୪ଟି ବାଇକ୍ ଜବତ କରିଥିଲା । ଏମାନଙ୍କ ଲିଡର ହେଉଛି ମୁକୁନ୍ଦପ୍ରସାଦର ଉଜିନ ଖାନ୍ । ଏହି ଗ୍ୟାଙ୍ଗ୍ ନାମରେ ଜଟଣୀ, ଖୋର୍ଦ୍ଧା ବାଲୁଗାଁ ସମେତ ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନାରେ ଡକାୟତି ମାମଲା ଥିବା ଜଣାପଡ଼ିଛି । ଧରା ପଡ଼ିଥିବା ଏହି ଗ୍ୟାଙ୍ଗ୍ର ୫ ଜଣଙ୍କ ମଧ୍ୟରୁ ଜଣେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ତାକୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ କରୋନା ରୋଗୀ ସଂସ୍ପର୍ଶରେ ଆସିଥିବାରୁ ଜଟଣୀ ଥାନା ପୁଲିସର ଚିନ୍ତା ବଢ଼ି ଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପୁଲିସ କର୍ମଚାରୀଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ ବୋଲି ଜଟଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons