ଯୁବକଙ୍କୁ ଗୋଡେ଼ଇ ଗୋଡେ଼ଇ ହାଣିଲେ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ସଦର ଥାନା ଅଧୀନସ୍ଥ ଛତ୍ରପୁର ଛକରେ ଅଭାବନୀୟ କାଣ୍ଡ ଘଟିଛି । ସୋମବାର ରାତିରେ କେତେକ ଦୁର୍ବୃତ୍ତ ଗୋଡେ଼ଇ ଗୋଡେ଼ଇ ଦୁଇ ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଜଣେ ଯୁବକଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି ପାରିକୁଳ ଗ୍ରାମର ଶ୍ରୀଧର ପାତ୍ରଙ୍କ ପୁଅ ତପନ(୨୪) । ସେହି ଗ୍ରାମର ମୁରଲୀଧର ମହାପାତ୍ରଙ୍କ ପୁଅ ପ୍ରିୟବ୍ରତ ମହାପାତ୍ର(୩୦) ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଖବରରୁ ପ୍ରକାଶ, ଗତ ସୋମବାର ରାତି ପ୍ରାୟ ସାଢେ଼ ୧୦ଟା ବେଳେ ପାରିକୁଳ ଗ୍ରାମର ପ୍ରିୟବ୍ରତ ଓ ତପନ ଫୁଲାଡିରୁ ନିଜ କାମ ସାରି ଏକ ସ୍କୁଟି ଯୋଗେ ନିଜ ଘରକୁ ଫେରୁଥିଲେ । ଛତ୍ରପୁର ପହଞ୍ଚିବା ବେଳକୁ ରାସ୍ତାରେ ବୁଆଁଳ, ଛତ୍ରପୁର ଓ ସିନ୍ଧିଆ ଗ୍ରାମର ୨୦ରୁ ୨୫ ଜଣ ଯୁବକ ପ୍ରିୟବ୍ରତ ଓ ତପନଙ୍କୁ ଅଟକାଇ ଅଚାନକ ତେଲେଙ୍ଗା କଟୁରୀ, ଖଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ । ପ୍ରାଣ ବିକଳରେ ଉଭୟ ପ୍ରିୟବ୍ରତ ଓ ତପନ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରିଥିଲେ । ମାତ୍ର ସେମାନେ ଛାଡ଼ି ନ ଥିଲେ । ଦୁର୍ବୃତ୍ତମାନେ ପଛରୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ପ୍ରିୟବ୍ରତ ଓ ତପନ ପଡ଼ି ଯାଇଥିଲେ । ଏତିକିବେଳେ ଦୁର୍ବୃତ୍ତମାନେ ତପନଙ୍କ ବାମହାତକୁ ତେଲେଙ୍ଗା କଟୁରୀ, ଖଣ୍ଡା ଓ ଭୁଜାଲିରେ ହାଣି ଦୁଇ ଖଣ୍ଡ କରିଦେଲେ । ଏଥିସହ ତାଙ୍କ ଶରୀରରେ ବିଭିନ୍ନ ସ୍ଥାନକୁ ସେମାନେ ମନ ଇଚ୍ଛା ହାଣିଥିଲେ । ସେହିପରି ପ୍ରିୟବ୍ରତଙ୍କ ବାମହାତକୁ ହାଣିବା ସମେତ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ପାଟିତୁଣ୍ଡ ଶୁଣି କେତେକ ଲୋକ ସେଠାରେ ପହଞ୍ଚିଥିଲେ । ମାତ୍ର ଦୁର୍ବୃତ୍ତମାନେ ସେଠାରୁ ଖସି ପଳାଇ ଯାଇଥିଲେ । ଖବର ପାଇ ପ୍ରିୟବ୍ରତ ଓ ତପନଙ୍କ ସଂପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତପନଙ୍କ ଅବସ୍ଥା ସଂକଟାପନ୍ନ ହୋଇ ପଡିଥିଲା । ତେଣୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବାଟରେ ସୋର ନିକଟରେ ତାଙ୍କର ଅବସ୍ଥା ଗମ୍ଭୀର ହୋଇ ପଡ଼ିଥିଲା । ତେଣୁ ତାଙ୍କୁ ନିକଟସ୍ଥ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପ୍ରିୟବ୍ରତ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ ନଂ. ୨୧୫/୨୦ରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ତେବେ ଖବର ଲେଖା ହେବା ବେଳକୁ ପୁଲିସ କାହାରିକୁ ଗିରଫ କରି ନଥିଲା ।
ସୂଚନାଯୋଗ୍ୟ, ସଦର ଥାନା ଅଧୀନସ୍ଥ ପାରିକୁଳ, ବୁଆଁଳ ଗ୍ରାମ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଏଥିପାଇଁ ଉଭୟ ଗ୍ରାମର ଦୁଇ ଗୋÂୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା । ତେବେ ଗତ ସୋମବାର ପୂର୍ବ ଶତ୍ରୁତାର ଉଗ୍ରରୂପ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons