ଟ୍ରଲିରେ ଜୁଇକୁ ଗଲା ଶବ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ସାରା ଦେଶରେ କରୋନା ମହାମାରୀ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଲୋକେ ଏତେ ଭୟଭୀତ ହୋଇପଡ଼ିଛନ୍ତି ଯେ, ଯେତେ ନିଜର ଲୋକ ହେଲେ ବି ଆକ୍ରାନ୍ତଙ୍କ ପାଖ ମାଡ଼ିବାକୁ ସାହସ କରୁନାହାନ୍ତି । ଖାଲି ସେତିକି ନୁହେଁ ସାଧାରଣ ଜ୍ୱର କିମ୍ବା ଝାଡ଼ାରେ ଆକ୍ରାନ୍ତ ହୋଇ କେହି ମୃତୁ୍ୟବରଣ କଲେ ବି ଶବକୁ ଛୁଇଁବାକୁ ଲୋକେ ରାଜି ହେଉନାହାନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋଣାର୍କ ଅଞ୍ଚଳରେ । ଜଣେ ଯୁବକଙ୍କର ଜ୍ୱରଜନିତ ମୃତୁ୍ୟ ହୋଇଥିବା ବେଳେ ଶବକୁ କାନ୍ଧରେ ବୋହିବାକୁ ଗ୍ରାମବାସୀ ରାଜି ହୋଇ ନଥିଲେ । ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ସହଯୋଗରେ ଏକ ଟ୍ରଲିରେ ଶବକୁ ଜୁଇ ପର୍ଯ୍ୟନ୍ତ ଟାଣି ଟାଣି ନିଆଯାଇଥିଲା । ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ଥିଲା ।
ଖବରରୁ ପ୍ରକାଶ ଯେ, କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ମାଙ୍କରଗୋରଡ଼ି ଗ୍ରାମର ଜଣେ ଯୁବକ(୨୭) ଗତ ୧୦ ଦିନ ହେବ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଜ୍ୱର ନ ଛାଡ଼ିବାରୁ ତାଙ୍କୁ ଗୋପ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବୁଧବାର ତାଙ୍କ କୋଭିଡ ପରୀକ୍ଷା ହେବାର ଥିଲା । ହେଲେ ଏହା ପୂର୍ବରୁ ସେ ପ୍ରାଣ ହରାଇଥିଲେ । ତେବେ ଯୁବକ ଜଣକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ନେଇ ବୁଧବାର ସକାଳୁ ପ୍ରଚାର ହୋଇଯାଇଥିଲା । ଫଳରେ ଗ୍ରାମବାସୀ ଶବକୁ କାନେ୍ଧଇ ଜୁଇକୁ ନେବାକୁ ରାଜି ହୋଇନଥିଲେ । ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଶବ ଘର ବାରଣ୍ଡାରେ ପଡ଼ି ରହିଥିଲା । କୋଣାର୍କ ଏନ୍ଏସି ନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସ ନୋଡାଲ ଅଫିସର ଭାଗ୍ୟରଥି ବରାଳ ଏବଂ ଅନ୍ୟ ଦୁଇ ଜଣଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । ଦିନ ୧୨ଟାରେ ପିପିଇ କିଟ୍ ଆସିବା ପରେ ସଂପର୍କୀୟଙ୍କ ସମେତ ଗ୍ରାମର ଦୁଇ ଜଣ ଟ୍ରଲିରେ ଶବକୁ ନେଇ ନିକଟସ୍ଥ ଶ୍ମଶାନରେ ଦାହ କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons