ହଜ୍ ହାଉସ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭୁବନେଶ୍ୱରରେ ହଜ୍ ଯାତ୍ରୀଙ୍କ ଲାଗି ସରକାର ହଜ୍ ହାଉସ ନିର୍ମାଣ କରିଛନ୍ତି । ଏହା ଆଜି ଉଦ୍ଘାଟନ କରାଯାଇଛି । ହଜ୍ଯାତ୍ରୀଙ୍କ ରହଣୀଠାରୁ ଆରମ୍ଭ କରି ତାଲିମ ଆଉ ପ୍ରାର୍ଥନା ଗୃହ ସବୁ ସୁବିଧା ଏଥର ଗୋଟିଏ ଛାତ ତଳେ ମିଳିପାରିବ । ଏହା ହଜ୍ଯାତ୍ରୀଙ୍କ ପାଇଁ ଖୁବ୍ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।
ହଜ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ହଜ୍ ହାଉସ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବୀନ କହିଛନ୍ତି, ମକ୍କାକୁ ଯିବାକୁ ସବୁ ମୁସଲମାନଙ୍କ ସ୍ୱପ୍ନ ଥାଏ । ସେ ସ୍ୱପ୍ନ ଏବେ ଆପଣମାନଙ୍କ ପୂରା ହେବାକୁ ଯାଉଛି । ଯେଉଁମାନେ ଏ ବର୍ଷ ହଜ୍ ଯାତ୍ରା କରୁଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂଖ୍ୟାଲଘୁଙ୍କ ବିକାଶ ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଶିକ୍ଷା ହିଁ ପରିବର୍ତ୍ତନ ଚାବିକାଠି । ରାଜ୍ୟ ସରକାର ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ବିକାଶ ପାଇଁ ଅର୍ବାନ ହଷ୍ଟେଲ ସହ ଶିକ୍ଷାବୃତ୍ତି ଦେଉଛନ୍ତି । ଏହାର ସୁଯୋଗ ସମସ୍ତେ ନେବା ଦରକାର । ସବୁବର୍ଗର କଲ୍ୟାଣ କରିବା ହେଉଛି ଆମର ଲକ୍ଷ୍ୟ । ଆଗକୁ ମଧ୍ୟ ଏ କାର୍ଯ୍ୟ ଜାରି ରହିବ । ଏବେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସଂଖ୍ୟାଲଘୁବର୍ଗ ଛାତ୍ରଛାତ୍ରୀଙ୍କ ଲାଗି ୪୦ଟି ହଷ୍ଟେଲ ନିର୍ମାଣ କରାଯାଉଛି । ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନରେ ଲାଇବ୍ରେରୀ, ଅତିରିକ୍ତ ଶ୍ରେଣୀଗୃହ, ଲାବୋରେଟୋରୀ ଇତ୍ୟାଦି ବ୍ୟବସ୍ଥା କରାଯାଉଛି । ସେମାନଙ୍କ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୧୦୦ଟି ବହୁମୁଖୀ ଗୋଷ୍ଠୀକେନ୍ଦ୍ର (କମ୍ୟୁନିଟି ହଲ୍) ଅନୁମୋଦନ କରିଛନ୍ତି ।
ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଏ ବର୍ଷ ରାଜ୍ୟରୁ ୬୫୩ ଜଣ ହଜ୍ଯାତ୍ରୀ ଯାଉଛନ୍ତି । ଯେଉଁଥିରେ ୩୮୬ ଜଣ ପୁରୁଷ ରହିଥିବା ବେଳେ ୨୬୭ ଜଣ ମହିଳା ରହିଛନ୍ତି । ଏହି ହଜ୍ଯାତ୍ରୀଙ୍କୁ ସଂଯୋଜନା କରିବାକୁ ୩ଜଣ ସରକାରୀ କର୍ମଚାରୀ ଖାଦିମ୍-ଉଲ-ହୁଜାଜ୍ଜାଜ ଯାଉଛନ୍ତି । ରାଜ୍ୟ ହଜ୍ କମିଟି ଓ ହଜ୍ କମିଟି ଅଫ୍ ଇଣ୍ଡିଆ ପକ୍ଷରୁ ଦିଆଯାଉଥିବା ଗାଇଡ୍କୁ ହଜ୍ଯାତ୍ରୀମାନେ ଭଲ ଭାବେ ପଢ଼ିବା ଦରକାର । ନିଜର ପାସପୋର୍ଟ ଓ ଜରୁରି କାଗଜପତ୍ର ସାଇତି ରଖିବା ଦରକାର ବୋଲି ମନ୍ତ୍ରୀ ସାରକା ହଜ୍ଯାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ।
ଏସ୍ସି, ଏସ୍ଟି ବିକାଶ ଓ ସଂଖ୍ୟାଲଘୁ କଲ୍ୟାଣ ସଚିବ କେ. ରଘୁ କହିଛନ୍ତି, ହଜ୍ଯାତ୍ରୀଙ୍କ ସୁବିଧା ଆଉ ସୁରକ୍ଷା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି । ଆଜି ଉଦ୍ଘାଟନ ହୋଇଥିବା ହଜ୍ ହାଉସ ନିର୍ମାଣ ପାଇଁ ୨ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାବାଦ୍ ଅନ୍ୟାନ୍ୟ ସୁବିଧା ମଧ୍ୟ ହଜ୍ ହାଉସ ପାଇଁ କରାଯାଇଛି । ହଜ୍ଯାତ୍ରୀ କେମିତି ଭୁବନେଶ୍ୱରରୁ ବିମାନ ଯାତ୍ରା କରିବେ, ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଜାରି ରହିଛି । ଯଦି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ଦେବ, ତା ହେଲେ ହଜ୍ ଯାତ୍ରୀ ଭୁବନେଶ୍ୱରରୁ ସିଧାସଳଖ ମକ୍କା ଯାତ୍ରା କରିପାରିବେ । ଯେଉଁମାନେ ଏ ବର୍ଷ ହଜ୍ରେ ଯାଉଛନ୍ତି ସେମାନେ ରାଜ୍ୟର ବିକାଶ, ଶାନ୍ତି ଓ ମୈତ୍ରୀ ପାଇଁ ପ୍ରାର୍ଥନା କରିବାକୁ ସଚିବ ଅନୁରୋଧ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ହଜ୍ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୟଦ୍ ମହମ୍ମଦ ଅଗଦସ, ବିଜେଡି ସଂଖ୍ୟାଲଘୁ ସେଲ୍ ସଭାପତି ମୁନ୍ନା ଖାନ୍ ଓ ପୂର୍ବତନ ବିଧାୟକ ହାଜି ମହମ୍ମଦ ଅୟୁବ ଖାନ୍ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ହଜ୍ଯାତ୍ରୀଙ୍କୁ କିଟ୍ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons