ଇଡି ଆଗରେ ହାଜର ହେଲେ ରିୟା

Get real time updates directly on you device, subscribe now.

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତୁ୍ୟ ମାମଲାରେ ବିବାଦୀୟ ହୋଇପଡିଥିବା ତାଙ୍କର ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଆଜି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟରେ ହାଜର ହୋଇଛନ୍ତି । ମୁମ୍ବାଇ ସ୍ଥିତ ଇଡି କାର୍ଯ୍ୟାଳୟରେ ତାଙ୍କୁ ଜେରା କରାଯାଇଛି । ତାଙ୍କର ପିତା, ଭାଇ ସୋଭିକ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରିତେଶ ଶାହ ବି ଇଡି ଆଗରେ ହାଜର ହୋଇଥିଲେ । ସେମାନଙ୍କୁ ବି ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସୁଶାନ୍ତଙ୍କ ପୂର୍ବତନ ବିଜନେସ୍ ମ୍ୟାନେଜର ଶ୍ରୁତି ମୋଦି ମଧ୍ୟ ଇଡି ଅଫିସକୁ ଯାଇଥିଲେ ।
ରିୟା ଆଜି ପ୍ରଥମେ ଇଡିକୁ ନିବେଦନ କରିଥିଲେ ଯେ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି ନସାରିବା ଯାଏଁ ତାଙ୍କୁ ଜାରି କରାଯାଇଥିବା ସମନକୁ ସ୍ଥଗିତ ରଖାଯାଉ । ହେଲେ ସେ ତଦନ୍ତକୁ ବିଳମ୍ବିତ କରିବାକୁ ଚାହୁଁଥିବା ଦର୍ଶାଇ ଇଡି ଏହାକୁ ଅଗ୍ରାହ୍ୟ କରିଥିଲା । ଏହାର କିଛି ଘଣ୍ଟା ପରେ ସେ ଇଡି ଅଫିସରେ ଭାଇଙ୍କ ସହ ପହଞ୍ଚôଥିଲେ । ସେ ମାସ୍କ ପରିଧାନ କରି ଇଡି ଅଫିସ ଭିତରକୁ ଯାଇଥିଲେ ଯେଉଁଠାରେ ତାଙ୍କୁ ପ୍ରାୟ ୮ ଘଣ୍ଟାରୁ ଅଧିକ ଜେରା କରାଯାଇଥିଲା । କିନ୍ତୁ ସେ ତଦନ୍ତରେ ଇଡିକୁ ସହଯୋଗ କରିନଥିଲେ ବୋଲି ଜଣାପଡ଼ିଛି । ତାଙ୍କୁ ଯାହା ପଚରାଯାଉଥିଲା, ସେ ତା’ର ଜବାବରେ ଖାଲି କହୁଥିଲେ ଯେ ମୋର ସେସବୁ ଠିକ୍ସେ ମନେ ନାହିଁ । ସେ ତାଙ୍କ ଦେହ ଖରାପ ଥିବାର ବାହାନା ବି କରୁଥିଲେ ।
ସୁଶାନ୍ତ ସିଂ ମୃତୁ୍ୟ ମାମଲାର ଯାଞ୍ଚ ଏବେ ସିବିଆଇ କରୁଛି । ସୁଶାନ୍ତଙ୍କ ପିତା ଅଭିଯୋଗ କରିଥିଲେ ଯେ ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ପ୍ରାୟ ୧୫ କୋଟି ଟଙ୍କା ନେଇଯାଇଛନ୍ତି । ଇଡି ଏହି ଅଭିଯୋଗର ତଦନ୍ତ କରୁଛି । ଇଡି ଯାଞ୍ଚ କରିବାକୁ ଜାଣିବାକୁ ପାଇଛି କି ୨୦୧୮ରେ ରିୟାଙ୍କ ମୋଟ ଆୟ ଥିଲା ମାତ୍ର ୧୪ ଲକ୍ଷ । କିନ୍ତୁ ୨୦୧୯ରେ ସେ ଦୁଇଟି ବିଶାଳ କୋଠା କ୍ରୟ କରିଛନ୍ତି ଯାହାର ମୂଲ୍ୟ କିଛି କୋଟି ଟଙ୍କା ହେବ । ସେ ଏତେ କୋଟି ଟଙ୍କା କେଉଁ ଠାରୁ ଆଣିଲେ ତାହାର ଖୋଳତାଡ଼ କରାଯାଉଛି । ରିୟା ତାଙ୍କ ସମ୍ପତ୍ତି କ୍ରୟକୁ ଆଇନସମ୍ମତ ବୋଲି ଦର୍ଶାଇବା ପାଇଁ ଇଡି ନିକଟରେ ଅଡିଟରଙ୍କ ରିପୋର୍ଟ ଦାଖଲ କରିଛନ୍ତି । ସେ ବ୍ୟାଙ୍କ ଋଣ ନେଇ ଉକ୍ତ ସମ୍ପତ୍ତି କ୍ରୟ କରିଥିବା ପ୍ରକାଶ କରିଛନ୍ତି । ଇଡି ତାଙ୍କୁ ଗତ ୫ ବର୍ଷର ଆୟକର ରିଟର୍ଣ୍ଣର କପି ଦାଖଲ କରିବାକୁ କହିଛି ।
ଆନ୍ୟ ଏକ ଘଟଣାକ୍ରମରେ, ମୁମ୍ବାଇ ପୁଲିସ କମିଶନର ପରମବୀର ସିଂଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇବା ପାଇଁ ମୁମ୍ବାଇର ବିଜେପି ବିଧାୟକ ଅତୁଲ ଭଟ୍ଟକାଲକର ଦାବି କରିଛନ୍ତି । ସେ କହିଛନ୍ତି ଯେ ଏହି ମାମଲାରେ ମୁମ୍ବାଇ ପୁଲିସ ନିଜ ଅପାରଗତାର ପରିଚୟ ଦେଇଛି । ତେଣୁ ଏହି ମାମଲାର ତଦନ୍ତ ସରିବା ଯାଏଁ ପୁଲିସ କମିଶନରଙ୍କୁ ଛୁଟିରେ ପଠାଇ ଦିଆଯାଉ । ସେ ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ପତ୍ର ଲେଖିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons