କେନ୍ଦୁଝର,(ବି.ବି.ନୁ୍ୟଜ୍): ସଞ୍ଜ ନଇଁଲେ ବାଦୁଡିମାନେ ବିଚରଣରେ ବାହାରି ଯାଉଥିବାବେଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଁକୁ ଫେରି ଆସନ୍ତି । ବାଦୁଡିଙ୍କ କଳରବ ଧ୍ୱନୀ ଗ୍ରାମବାସୀଙ୍କ ସହ ସମ୍ପର୍କକୁ ଆଉ ଟିକିଏ ଘନିÂ କରିଛି । ଏପରିକି ସେମାନଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ କଠୋର ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ବାଦୁଡିଙ୍କୁ କ୍ଷତି ପହଞ୍ଚାଇଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ ବୋଲି ଗାଁ ବୈଠକରେ ନିଷ୍ପତ୍ତି ହୋଇଛି । ବାଦୁଡି ଓ ମଣିଷ ମଧ୍ୟରେ ଏଭଳି ନିଆରା ସମ୍ପର୍କର ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର, ବାଂଶପାଳ ବ୍ଲକ୍ ତରମାକାନ୍ତ ଗ୍ରାମରେ । ବିଭିନ୍ନ କରଣ ଯୋଗୁଁ ସାରା ବିଶ୍ୱରୁ ବାଦୁଡିଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ତରମାକାନ୍ତ ଗ୍ରାମବାସୀଙ୍କ ଏହି ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରାଯାଉଛି ।
ପିଢି ପରେ ପିଢି ତରମାକାନ୍ତ ଗ୍ରାମର କଣ୍ଢେଇବିରା ଗାଁ ଶାଳରେ ରହିଆସୁଛନ୍ତି ହଜାର ହଜାର ବାଦୁଡି । ଏହି ଶାଳର ପଶ୍ଚିମ ଦିଗରେ କଣ୍ଢେଇବିରାଙ୍କ ମନ୍ଦିର ରହିଥିବାବେଳେ ପୂର୍ବରେ ମା’ ତାରିଣୀଙ୍କ ମନ୍ଦିର ରହିଛି । ଲୋକେ ବାଦୁଡି ମାନଙ୍କୁ ଠାକୁର ଠାକୁରାଣୀଙ୍କ ଆଶ୍ରିତ ବୋଲି ବିଚାର କରୁଛନ୍ତି ।
ବାଦୁଡିଙ୍କ ସଂଖ୍ୟା ବଢିଲେ ତାଙ୍କ ମଳରୁ ବିଭିନ୍ନ ଫଳ ଫୁଲ ଗଛ ଅଙ୍କୁରିତ ହୋଇଥାଏ । ବାଦୁଡି ଯୋଗୁଁ ତରମାକାନ୍ତ ଅଞ୍ଚଳରେ ମଧ୍ୟ ବିଭିନ୍ନ ବୃକ୍ଷ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଏମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । କଣ୍ଢେଇବିରା ଶାଳର ଉନ୍ନତି କରଣ ସହ ବାଦୁଡିଙ୍କ ସୁରକ୍ଷା ପାଇଁ ୨୧ ଜଣିଆ କମିଟି ଗଠନ କରାଯାଇଛି । ଗ୍ରାମର ବୟୋଜ୍ୟେÂ ବ୍ୟକ୍ତି ତଥା ଗାଁ ମୁଖିଆ ଦୁର୍ଯେ୍ୟାଧନ ପଲେଇଙ୍କୁ ଏହି କମିଟିର ସଭାପତି କରାଯାଇଛି । ପ୍ରତି ମାସରେ କମିଟି ମାଧ୍ୟମରେ ବୈଠକ କରି ବାଦୁଡିଙ୍କ ସୁରକ୍ଷା ଦିଗରେ ଆଲୋଚନା ତଥା ସଚେତନା କରାଯାଉଥିବାବେଳେ ଏଥିପାଇଁ ପ୍ରତି ଘରୁ ପାଣ୍ଠି ମଧ୍ୟ ସଂଗ୍ରହ କରାଯାଉଛି । ଗ୍ରାମବାସୀ ତଥା ଏହି କମିଟିର ସଦସ୍ୟମାନେ ବାଦୁଡିଙ୍କ ସୁରକ୍ଷା ପାଇଁ ନିଜସ୍ୱ ଅର୍ଥରେ ଏହି ଶାଳ ଚତୁଃପାଶ୍ୱର୍ରେ ତାର ବାଡ ଘେରାଇଛନ୍ତି । ଶାଳ ଭିତରେ ରହିଥିବା ବହୁ ପୁରୁଣା ଗଛ ନଷ୍ଟ ହେବାକୁ ବସିଥିବାବେଳେ ବାଦୁଡିଙ୍କ ରହିବାରେ ଆଗକୁ ଅସୁବିଧା ଉପୁଜିବାର ଆଶଙ୍କା କରି ବୃକ୍ଷରୋପଣ ମଧ୍ୟ କରୁଛନ୍ତି ।
ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା, ବାଦୁଡିଙ୍କ ସୁରକ୍ଷାକୁ ନେଇ କୋଠର ପଦକ୍ଷେପ ସଦୃଶ ବାଦୁଡିଙ୍କୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଥିବା ବ୍ୟକ୍ତି କିମ୍ବା ଶିକାରୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି । ବର୍ଷ ବର୍ଷ ଧରି ବାଦୁଡିଙ୍କ ପ୍ରତି ତରମାକାନ୍ତ ଗ୍ରାମବାସୀଙ୍କ ଭଲପାଇବା ଯୋଗୁଁ ବର୍ତ୍ତମାନ ତରମାକାନ୍ତ ଗ୍ରାମରେ ବାଦୁଡିଙ୍କ ଦୃତ ବଂଶବୃଦ୍ଧି ଘଟୁଛି । ଶାଳ ଭିତରେ ରହିଥିବା ଗଛ ଗୁଡିକରେ ବାଦୁଡି ଭର୍ତ୍ତି ହୋଇଥିବାବେଳେ ଗାଁ ନିକଟ ହାଟତୋଟା, ସ୍କୁଲ ପାଖ ଓସ୍ତ ଗଛ, ଗାଁ ଭିତରେ ରହିଥିବା ଶିମୁଳି ଗଛ ଆଦି ଗୁଡିକରେ ବାଦୁଡିଙ୍କ ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ତରମାକାନ୍ତ ଗାଁରେ ବାଦୁଡିଙ୍କ ସଂଖ୍ୟା ଲକ୍ଷେ ପାର ହେଲାଣି ।
ବାଦୁଡିଙ୍କ ସୁରକ୍ଷା ପାଇଁ ଯତ୍ନବାନ ରହିଥିଲେ ମଧ୍ୟ ଖରାଦିନେ ବାଦୁଡିମାନେ ବିପଦରେ ପଡୁଛନ୍ତି । ବର୍ଷାଦିନେ ଶାଳ ନିକଟରେ ସେମାନଙ୍କ ପିଇବା ପାଣି ମିଳିଯାଉଥିବାବେଳେ ଖରାଦିନେ ପାଣି ପାଇଁ ରାଣିମା ନାଳକୁ ଯାଉଛନ୍ତି । ଯାହା ଫଳରେ ବାଟରେ ଶିକାରୀଙ୍କ ହାବୁଡରେ ପଡୁଛନ୍ତି । ସରକାରଙ୍କ ପକ୍ଷରୁ ଶାଳ ମଧ୍ୟରେ ସେମାନଙ୍କ ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା କରାଯିବା ସହିତ ଶାଳକୁ ପାଚେରି ଦ୍ୱାରା ଆବଦ୍ଧ କରିବା ନିମନ୍ତେ ପଦକ୍ଷେପ ନିଆଗଲେ ବଦୁଡିଙ୍କ ନିରାପଦ ବଂଶବୃଦ୍ଧି ହୋଇ ପାରନ୍ତା ବୋଲି କହିଛନ୍ତି ତରମାକାନ୍ତ ଗ୍ରାମର ମଣିନ୍ଦ୍ର ପଲେଇ, ବିଲୁଆ ନାଏକ, ମଧୁସୂଦନ ପଲେଇ, ଲକ୍ଷ୍ମଣ ପଲେଇ, ରାମଚନ୍ଦ୍ର ବେହେରା, ପୁରୁଷୋତ୍ତମ ପଲେଇ, ଶଙ୍କର୍ଷଣ ପଲେଇ, ଦୁଲ୍ଲଭ ଦେହୁରୀ, ଗୋଲେଖ ଦେହୁରୀ, ମୋଗଲ ଦେହୁରୀ ପ୍ରମୁଖ ।
Comments are closed, but trackbacks and pingbacks are open.