ମାଲକାନଗିରି,(ବି.ବି.ନୁ୍ୟଜ୍): ଗୁଣିଗାରେଡି ସନେ୍ଦହରେ ହତ୍ୟାକାଣ୍ଡ ଭଳି ଘଟଣା ଜିଲ୍ଲାରେ ଥମିବାର ନାଁ ନେଉନି । ଗତ ଦୁଇମାସ ମଧ୍ୟରେ ଜିଲ୍ଲାରେ ୪ ଜଣ ଏଭଳି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି । ସଦ୍ୟ ଘଟଣା ଘଟିଛି ମାଲକାନଗିରି ଥାନା ଅଧୀନ ଆଦିବାସୀ ଅଧୁ୍ୟଷିତ ତୁମଷାପାଲ୍ଲୀ ଗାଁରେ । ରାମ ସୋଡି(୬୦)ନାମକ ଜଣେ ଆଦିବାସୀ ବୃଦ୍ଧ ଏକ ଧାରୁଆ ଅସ୍ତ୍ରରେ ଗାଁର ମୁକା ମାଡକାମୀ(୫୫)ଙ୍କ ଗଳାକାଟି ହତ୍ୟା କରିଛି । ଗତ ଶନିବାର ରାତିରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ରାମକୁ ପୁଲିସ ଗିରଫ କରିଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ, ଛଅ ବର୍ଷତଳେ ରାମ ସୋଡିଙ୍କ ପୁଅ ମୁକା ସୋଡିଙ୍କର ମୃତୁ୍ୟ ହୋଇଥିଲା । ମୁକା ସୋଡି କୌଣସି ରୋଗରେ ପୀଡିତ ଥିଲେ । ମୁକା ମାଡକାମୀ ଗୁଣିଗାରେଡି କରି ପୁଅକୁ ମାରିଥିବା ରାମ ସନେ୍ଦହ କରିଥିଲା । ଏହାର ପ୍ରତିଶୋଧ ନେବାକୁ ରାମ ସୁଯୋଗ ଖୋଜୁଥିଲା । ଗତ ଶନିବାର ରାତିରେ ମୁକା ମାଡକାମୀ ନିଜ ଘର ବାରଣ୍ଡାରେ ଶୋଇଥିଲେ । ଏହି ସମୟରେ ରାମ ଏକ ଧାରୁଆ ଅସ୍ତ୍ରଧରି ମୁକା ନିକଟକୁ ଯାଇଥିଲା । ଛଅ ବର୍ଷ ତଳେ ପୁଅକୁ ମାରିଥିବା କହି ହଠାତ୍ ରାମ ଧାରୁଆ ଅସ୍ତ୍ରରେ ମୁକାଙ୍କ ଗଳା କାଟି ଦେଇଥିଲା । ଆଘାତ ଏତେ ଗଭୀର ଥିଲା ଯେ ଘଟଣାସ୍ଥଳରେ ମୁକାଙ୍କର ମୃତୁ୍ୟ ହୋଇଥିଲା । ପାଟି ଶୁଣି ମୁକା ମାଡକାମୀଙ୍କ ପରିବାର ଲୋକେ ବାହାରକୁ ଆସିଥିଲେ । ମୁକାଙ୍କ ମୃତଦେହ ନିକଟରେ ହତ୍ୟାକାରୀ ରାମ ଛିଡା ହୋଇଥିବା ଦେଖିଥିଲେ । ସଙ୍ଗେସଙ୍ଗେ ପରିବାର ଲୋକେ ଗାଁ ଲୋକଙ୍କ ସହାୟତାରେ ଅଭିଯୁକ୍ତ ରାମକୁ ଅଟକ ରଖି ମାଲକାନଗିରି ଥାନାକୁ ଜଣାଇଥିଲେ । ରବିବାର ସକାଳେ ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ପୁଲିସ ଦଳ ତୁମୁଷାପାଲ୍ଲୀରେ ପହଞ୍ଚିଥିଲେ । ମୁକାଙ୍କ ମୃତଦେହ ଉଦ୍ଧାର କରିଥିଲେ । ଅଭିଯୁକ୍ତ ରାମକୁ ଗିରଫ କରାଯାଇଛି । ଏ ନେଇ ମାଲକାନଗିରି ଥାନାରେ ଦଫା ୩୦୨ ରେ ଏକ ହତ୍ୟା ମାମଲା(୨୮୧/୨୦୨୦) ରୁଜୁ ହୋଇଛି । ମାଲାକନଗିରି ହସପିଟାଲରେ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୁଲିସ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ଗତ ଦୁଇ ମାସ ମଧ୍ୟରେ ଜିଲ୍ଲାରେ ଗୁଣିଗାରେଡି ସନେ୍ଦହରେ ୪ ଜଣଙ୍କର ହତ୍ୟା ହୋଇଛି । ଅନ୍ଧବିଶ୍ୱାସ ଓ କୁସଂସ୍କାରଠାରୁ ଦୂରରେ ରହିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଜନସଚେତନତା ରଥ ବିଭିନ୍ନ ଗ୍ରାମରେ ପରିକ୍ରମା କରୁଛି ।
Comments are closed, but trackbacks and pingbacks are open.