ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ର ଡିଏଫ୍ଓ ଆଲୋକ ରଞ୍ଜନ ହୋତା । ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଶ୍ରୀ ହୋତାଙ୍କ ଜଗତସିଂହପୁର ଚାଷୀଖଣ୍ଡ ଗାଁସ୍ଥିତ ପୈତୃକ ଘର, ଚନ୍ଦ୍ରଶେଖରପୁର ଘର, ବରମୁଣ୍ଡାରେ ସମ୍ପର୍କୀୟଙ୍କ ଘର, ବାଲୁଗାଁ ଅଫିସ୍କୁ ମିଶାଇ ମୋଟ ୬ଟି ଜାଗାରେ ଚଢ଼ଉ କରିଛି । ଚଢ଼ଉ ସମୟରେ ୧ କୋଟି ୩୨ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି । ଶ୍ରୀ ହୋତାଙ୍କୁ ଭିଜିଲାନ୍ସ ଅଟକ ରଖି ପଚରାଉଚରା କରୁଛି ।
ସୋମବାର ସକାଳେ ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଲକ୍ଷ ଲକ୍ଷ ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ୫୦ ଲକ୍ଷ ୩୭ ହଜାର ଟଙ୍କା ମୂଲ୍ୟର ୩ ମହଲା କୋଠା, ୭ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଏକ ମହଲା କୋଠା, ସର୍ବକ୍ଷମାରେ ବିଡିଏକୁ ଦିଆଯାଇଛି ୯୧ ହଜାର ୮୧୯ ଟଙ୍କା, ୬ ଲକ୍ଷ ୫୨ ହଜାର ୫୭୦ ଟଙ୍କା ମୂଲ୍ୟର ଏକ କାର, ବିଭିନ୍ନ ବ୍ୟାଙ୍କ୍ରେ ରହିଛି ୫ ଲକ୍ଷ ୫୪ ହଜାର ୨୧୦ ଟଙ୍କା, ୧୧ ଲକ୍ଷ ୭୮ ହଜାର ୪୯୯ ଟଙ୍କାର ସ୍ୱାସ୍ଥ୍ୟ ଓ ଗାଡ଼ି ବୀମା, ୪ ଲକ୍ଷ ୧୩ ହଜାର ଟଙ୍କାର ମୁ୍ୟଚୁଆଲ୍ ଫଣ୍ଡ, ୯୫ ହଜାର ଟଙ୍କାର ୨ ଟି ବାଇକ୍, ୧ ଲକ୍ଷ ୮୦ ହଜାର ୫୦୦ ଟଙ୍କାର ସୁନା ଓ ରୁପା ଅଳଙ୍କାର, ନଗଦ ୧ ଲକ୍ଷ ୭ ହଜାର ୩୦୦ ଟଙ୍କା, ୯ ଲକ୍ଷ ୩୫ ହଜାର ୭୬୯ ଟଙ୍କାର ଦାମୀ ଗୃହ ଉପକରଣ । ଶ୍ରୀ ହୋତାଙ୍କ ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୩୨ ଲକ୍ଷ ୫୫୧ ଟଙ୍କା । ତା’ଛଡା ବରମୁଣ୍ଡା ଓ ପଦ୍ମପୁରରେ ଥିବା ଶ୍ରୀ ହୋତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ କରା ଯାଇଥିଲା । କାରଣ ସେ ତାଙ୍କ ସମ୍ପର୍କୀୟଙ୍କ ନାଁରେ ମଧ୍ୟ କିଛି ସମ୍ପତ୍ତି କରି ଦେଇଛନ୍ତି । ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।


Comments are closed, but trackbacks and pingbacks are open.