ନୂଆଦିଲ୍ଲୀ: ଅତି ଧନୀଙ୍କ ଉପରେ ଟିକସ ବୃଦ୍ଧି ପାଇଁ କେନ୍ଦ୍ର ବଜେଟ୍ ୨୦୧୯-୨୦ରେ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ସରକାର ଅତିରିକ୍ତ ଟିକସ ରାଜସ୍ୱ ଆୟ କରିବାକୁ ସୁଯୋଗ ପାଇବେ । ତେବେ ଏହି ପଦକ୍ଷେପକୁ ଉଚ୍ଚ ଆୟକାରୀ ଟିକସଦାତା ନାପସନ୍ଦ କରିଛନ୍ତି । କିନ୍ତୁ ସରକାରଙ୍କ ଏଭଳି ପ୍ରସ୍ତାବକୁ ଉଚିତ ମଣିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସରଚାର୍ଜ ବୃଦ୍ଧି ବାବଦରେ ସେ କହିଛନ୍ତି, ରାଷ୍ଟ୍ର ଗଠନ ପାଇଁ ଏହା ଏକ ଛୋଟିଆ ଅବଦାନ । ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ରାଷ୍ଟ୍ର ଗଠନରେ ଭାଗୀଦାର ହେବା ଉଚିତ ।
ଲୋକସଭାରେ ଆଜି ବଜେଟ୍ ପ୍ରସ୍ତାବ ଉପରେ ବିତର୍କ ଚାଲିଥିଲା । ସରଚାର୍ଜ ବୃଦ୍ଧି ପ୍ରସଙ୍ଗରେ ବିରୋଧୀମାନେ ପ୍ରଶ୍ନ ଉଠାଇବା ପରେ ଅର୍ଥମନ୍ତ୍ରୀ ସୀତାରମଣ ଏ ନେଇ ନିଜ ଯୁକ୍ତି ରଖିଥିଲେ । ସେ କହିଥିଲେ, ଚଳିତ ବଜେଟ୍ରେ ସରକାର ଦୁଇଟି ପ୍ରସଙ୍ଗ ଉପରେ ଅଧିକ ଫୋକସ୍ କରିଛନ୍ତି । ତାହା ହେଉଛି ଅର୍ଥନୈତିକ ବିକାଶ ଏବଂ ଜାତୀୟ ନିରାପତ୍ତା । ଅର୍ଥନୈତିକ ବିକାଶ କଥା ଯଦି କୁହାଯାଏ, ତେବେ ବିତ୍ତୀୟ ନିଅଣ୍ଟ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଏଥିପାଇଁ ଅତିରିକ୍ତ ରାଜସ୍ୱର ଆବଶ୍ୟକ ।
ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଭିତ୍ତିଭୂମି କ୍ଷେତ୍ର ଉପରେ ଫୋକସ୍ କରିବା ଅତ୍ୟନ୍ତ ଜରୁରି । ଆଗାମୀ ୫ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିବାକୁ ପଡ଼ିବ । ଏଥିପାଇଁ ଘରୋଇ ପୁଞ୍ଜିନିବେଶ ମାତ୍ରା ବଢ଼ିବା ଦରକାର । ଏହାବ୍ୟତୀତ ସାମଗ୍ରିକ ବିକାଶ ପାଇଁ କୃଷି କ୍ଷେତ୍ରରେ ମଧ୍ୟ ଆଶାନୁରୂପ ଅଭିବୃଦ୍ଧି ଆସିବା ଆବଶ୍ୟକ । ଏଥିଲାଗି ସରକାର ବଜେଟ୍ରେ ସମସ୍ତ ୨୨ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରାଯାଇଛି । ୨୦୨୪-୨୫ ସୁଦ୍ଧା ଭାରତୀୟ ଅର୍ଥନୀତି ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏଥିପାଇଁ ବ୍ୟାପକ ଆର୍ଥିକ ସଂସ୍କାରର ଆବଶ୍ୟକ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ।


Comments are closed, but trackbacks and pingbacks are open.