ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ତଥା ମାନବଜାତି ପାଇଁ ଏକ ବଡ଼ ସଂକଟ ଭାବେ ଛିଡ଼ା ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ତଥା ସମାଜ ଉପରେ ଏହା ଗଭୀର ପ୍ରଭାବ ପକାଇଛି । ମାତ୍ର ଖୁବ୍ ଶୀଘ୍ର କରୋନା ଦୂର ହେବ । ମାନବଜାତି ନିଶ୍ଚୟ ଆଗକୁ ବଢ଼ିବ । ଏମିତି ଆତ୍ମବିଶ୍ୱାସର ସହ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏ ଅବସରରେ ସେ କହିଲେ, ସମଗ୍ର ବିଶ୍ୱ କରୋନା କବଳରେ କବଳିତ । ସାରା ବିଶ୍ୱରେ କୋଟି କୋଟି ଲୋକ ଜୀବିକା ହରାଉଛନ୍ତି । ଟିକା ଆସିବା ପରେ କରୋନା ନିୟନ୍ତ୍ରିତ ହେବ । ଆମ ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରିଛି ତାହାକୁ ଭରଣା କରିବାକୁ ସାହସର ସହ କାମ କରିବାକୁ ହେବ ।
କରୋନା ମୁକାବିଲା ନେଇ ଓଡ଼ିଶାର ଭୂମିକା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବିଭିନ୍ନ ଅଞ୍ଚଳରେ କୋଭିଡ୍ ହସପିଟାଲ କରିଛନ୍ତି । ୫ଟି ପ୍ଲାଜମା ବ୍ୟାଙ୍କ ସହ ପ୍ଲାଜମା ଥେରାପି ସେବା ରୋଗୀଙ୍କୁ ମିଳୁଛି । ଅର୍ଥ ପାଇଁ ଓଡ଼ିଶାରେ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନାହିଁ । ଏଥିପାଇଁ ଓଡ଼ିଶା ସରକାର କୋଭିଡ ରୋଗୀଙ୍କୁ ସବୁପ୍ରକାର ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ପ୍ରତିଟି ଜୀବନ ଆମପାଇଁ ମୂଲ୍ୟବାନ । ଏହି ମିଶନ ନେଇ ରାଜ୍ୟ ସରକାର କାମ କରୁଛନ୍ତି । ସମସ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ଦେବାକୁ ଚେଷ୍ଟା କରୁଛୁ ।
ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରି ମୁଖ୍ୟମନ୍ତ୍ରୀ କହିଲେ, ଲକଡାଉନ୍ ସମୟରେ ଜୀବିକା ଜାରି ରଖିବାକୁ ଆମେ ପଦକ୍ଷେପ ନେଇଛୁ । କୃଷିକାର୍ଯ୍ୟ, ନିର୍ମାଣ କାର୍ଯ୍ୟ ସହ ଲୋକଙ୍କ ହାତକୁ କାମଧନ୍ଦା ଯୋଗାଇବାକୁ ବହୁ କାମ ସରକାର ହାତକୁ ନେଇଛନ୍ତି । ଗରିବ ଲୋକ ଓ ଶ୍ରମିକମାନଙ୍କୁ ବିଭିନ୍ନପ୍ରକାର ସହାୟତା ଦିଆଯାଉଛି । ଏ ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜିଲଗାଣ ମଧ୍ୟ ଆସିଛି । ସମଗ୍ର ଦେଶରେ ଏ ସମୟରେ ନିବେଶ ପୁଞ୍ଜିର ୧୮% କେବଳ ଓଡ଼ିଶାକୁ ଆସିଛି । ମହାରାଷ୍ଟ୍ରକୁ ପଛରେ ପକାଇ ପୁଞ୍ଜିଲଗାଣରେ ଓଡ଼ିଶା ୧ ନମ୍ବର ସ୍ଥାନରେ ରହିଛି । ୨୦୧୯-୨୦ରେ ଦେଶରେ କୃଷି ଅଭିବୃଦ୍ଧି ହାର ୨.୮୦% ଥିଲା ବେଳେ ଆମ ରାଜ୍ୟରେ ଏ ହାର ୭.୬୧ % ରହିଛି ।
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ କୋଭିଡ୍ ଯୋଦ୍ଧାମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଲେ, କୋଭିଡ ଯୋଦ୍ଧାମାନେ ଯେଭଳି କାମ କରୁଛନ୍ତି ତାର ତୁଳନା ନାହିଁ । ସେମାନଙ୍କ ସେବା ଓ ତ୍ୟାଗ ପାଇଁ ସାରା ଦେଶରେ ଆମ ରାଜ୍ୟରେ ଆରୋଗ୍ୟ ହାର ଭଲ ରହିଛି । ସାରା ଭାରତରେ ଓଡିଶାର ମୃତୁ୍ୟହାର କମ୍ ରହିଛି । କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ ଓ ସେବା ପାଇଁ ଓଡ଼ିଆ ଜାତି ସେମାନଙ୍କ ନିକଟରେ ଋଣୀ । ସେମାନଙ୍କ ନିÂା ଓ ସେବା ସହ ଆମ ସମସ୍ତଙ୍କ ସହଯୋଗ ହିଁ ଓଡ଼ିଶା ପାଇଁ, ଭାରତ ପାଇଁ ତଥା ମାନବଜାତି ପାଇଁ ନିଶ୍ଚୟ ବିଜୟ ଆଣିବ ।
ମୁଖ୍ୟମନ୍ତ୍ରୀ ବେଶ ଦମ୍ଭର ସହ କହିଲେ, ଓଡ଼ିଆ ଜାତି ବହୁ ବିପଦର ସାମନା କରିଛି । ସାହସର ସହ ମୁକାବିଲା କରି ନୂଆ ଇତିହାସ ଲେଖିଛି । କରୋନା ନିଶ୍ଚୟ ଶୀଘ୍ର ଦୂର ହେବ । ସ୍କୁଲଗୁଡ଼ିକରେ ପୁଣି ଘଣ୍ଟା ବାଜି ଉଠିବ । ମାନବଜାତିର ଜୟଯାତ୍ରା ଆହୁରି ଆଗକୁ ବଢ଼ିବ ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ, କୋଭିଡ୍ ଯୋଦ୍ଧା ଓ ଅମର ଯବାନଙ୍କୁ ସ୍ମରଣ କରିଥିଲେ ।
Comments are closed, but trackbacks and pingbacks are open.